ସମ୍ବଲପୁର: ବିଜେଡି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମ୍ବଲପୁର ବିଧାନସଭା ଆସନ ପାଇଁ ଟିକେଟ ଦେଇଛି । ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସମ୍ବଲପୁର ପୂର୍ବତନ ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମର୍ଥକ । ବିଜେଡି ସୁପ୍ରିମୋ ନିଷ୍ପତ୍ତି ବଦଳାଇବା ପାଇଁ ରାସେଶ୍ୱରୀଙ୍କୁ ଟିକେଟ ଦେବାକୁ ଦାବି କରିଛନ୍ତି ସମର୍ଥକ । କର୍ମୀ ଓ ସମର୍ଥକ ଏପରି କରୁଥିବା କହି ରାସେଶ୍ୱରୀ ନିଜର ଦୋଷ ଝାଡୁଥିଲେ ମଧ୍ୟ ଏହା ରାସେଶ୍ୱରୀଙ୍କ ଇଙ୍ଗିତରେ ହିଁ ହେଉଥିବା ଚର୍ଚ୍ଚା ହେଉଛି । ରାଜନୀତି ବିଶ୍ଳେଷକ ଏହାକୁ ରାସେଶ୍ୱରୀଙ୍କ ଟିକେଟ ଓ କ୍ଷମତା ମୋହ ବୋଲି ମତ ପ୍ରକାଶ କରିଛନ୍ତି ।
ନିର୍ବାଚନ ଯେତେ ପାଖଉଛି ସମ୍ବଲପୁର ଜିଲ୍ଲା ବିଜେଡିରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ସେତିକି ନଜର ଆସୁଛି । ମୁଖ୍ୟତଃ ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବିଭିନ୍ନ ଆଶାୟୀ ନିଜ ନିଜ ସମର୍ଥକଙ୍କ ଜରିଆରେ ଦାବି ଉପସ୍ଥାପନ କରୁଛନ୍ତି । ବର୍ତ୍ତମାନ ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହେବା ପରେ ମଧ୍ୟ କିଛି ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ସମ୍ବଲପୁରର ପୂର୍ବତନ ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମର୍ଥକ ଖୁଲମ ଖୁଲା ଦଳର ସୁପ୍ରିମୋଙ୍କୁ ବିରୋଧ କରୁଛନ୍ତି । ଗତ ଶୁକ୍ରବାର ରାତିରେ ଶାନ୍ତି ନଗର ସ୍ଥିତ ରାସେଶ୍ୱରୀଙ୍କ ଘର ସମ୍ମୁଖରେ ପ୍ରାୟ 5ଶହ ସମର୍ଥକ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ଏହାସହ ସେମାନେ ଏକ ରାଲି କରି ରାସେଶ୍ୱରୀଙ୍କୁ ଟିକେଟ ଦିଆଯାଉ ବୋଲି ଦାବି ଉପସ୍ଥାପନ କରିଥିଲେ । ସେହି ସମୟରେ ରାସେଶ୍ୱରୀ ନଥିଲେ ମଧ୍ୟ ପ୍ରଚ୍ଛଦପଟରେ ରହି ଏଭଳି କରାଉଥିବାର ଚର୍ଚ୍ଚା ହେଉଛି ।