ଓଡିଶା

odisha

ଓଡ଼ିଶା କଂଗ୍ରେସ ମୁଖିଆ ଚୟନରେ ବିଳମ୍ବ; ନିଷ୍ପତ୍ତି ନେଇପାରୁନି AICC ! କାର୍ଯ୍ୟକାରୀ ସଭାପତି ରେସରେ ଏମାନେ - OPCC Working President

By ETV Bharat Odisha Team

Published : Aug 12, 2024, 10:28 PM IST

OPCC Working President: ଜୁଲାଇରୁ ଓଡ଼ିଶା କଂଗ୍ରେସ କମିଟି ଭାଙ୍ଗିଲାଣି । ହେଲେ ଏଯାବତ ଛିଣ୍ଡୁନି ଓଡ଼ିଶା କଂଗ୍ରେସ ମୁଖିଆ ଅଙ୍କ । କାହିଁକି ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି ଦିଲ୍ଲୀ ମୁଖିଆ । ଏଥର ପିସିସି ସଭାପତିଙ୍କ ସହ କାର୍ଯ୍ୟକାରୀ ସଭାପତିଙ୍କ ନାଁ ମଧ୍ୟ ଘୋଷଣା ହେବ । ଏମାନେ ରେସରେ ଥିବା ନେଇ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

OPCC Working President
OPCC Working President (ETV Bharat Odisha)

ଭୁବନେଶ୍ବର:AICCର ଫୋକସରେ ଓଡ଼ିଶା । ହେଲେ ପରବର୍ତ୍ତୀ ପିସିସି ସଭାପତି ନାଁ ଘୋଷଣାରେ ବିଳମ୍ବ ହେଉଥିବାରୁ ତାକୁ ନେଇ ଉଠୁଛି ଅନେକ ପ୍ରଶ୍ନ । କାହିଁକି ଚୂଡାନ୍ତ ନିଷ୍ପତ୍ତି ନେବାରେ ବିଳମ୍ବ କରୁଛି AICC । ଆଞ୍ଚଳିକ ସ୍ତରରେ ସଂଗଠନକୁ ଅଧିକ ସଶକ୍ତ କରିବାକୁ ପୂର୍ବ ଓଡ଼ିଶା, ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ପାଇଁ କାର୍ଯ୍ୟକାରୀ ସଭାପତି ଘୋଷଣା କରିବେ କି ରାହୁଲ ? ଶୁଣିବାକୁ ମିଳୁଛି ପିସିସି ସଭାପତିଙ୍କ ସହ ଆଉ 2ରୁ 3ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ମିଳିବ ଦାୟିତ୍ବ । ତେବେ କାର୍ଯ୍ୟକାରୀ ସଭାପତି ଦୌଡ଼ରେ ଅନେକ ନାଁ ଅଛି ।

ଓଡ଼ିଶା କଂଗ୍ରେସ ମୁଖିଆ ଚୟନରେ ବିଳମ୍ବ (ETV Bharat Odisha)

କାର୍ଯ୍ୟକାରୀ ସଭାପତି ଦୌଡ଼ରେ ଏମାନେ:-

ଓଡ଼ିଶା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଦୌଡ଼ରେ ଅନେକଙ୍କ ନାଁ ଚର୍ଚ୍ଚାରେ ରହିଛି । ତେବେ ଚର୍ଚ୍ଚାରେ ଥିବା ନେତାମାନଙ୍କ ମଧ୍ୟରେ କଟକ ବାରବାଟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ବ ରଞ୍ଜନ ମହାନ୍ତି, ଦକ୍ଷିଣ ଓଡ଼ିଶାର ବରିଷ୍ଠ ତଥା ପୂର୍ବତନ ବରିଷ୍ଠ ଉପସଭାପତି ତାରା ପ୍ରସାଦ ବାହିନୀପତି, ପଶ୍ଚିମ ଓଡ଼ିଶାର ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା, ପୂର୍ବ ଓଡ଼ିଶାର ଯୁବନେତା ନବଜ୍ୟୋତି ପଟନାୟକ ପ୍ରମୁଖ ଦୃଢ଼ ଦାବିଦାର ରହିଛନ୍ତି । 2027ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଦଳକୁ ଅଧିକ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି AICC । ସେହି ଆଧାରରେ ହୁଏତ ନେତା ବାଛିପାରନ୍ତି ଦିଲ୍ଲୀ ମୁଖିଆ ।

ପୂର୍ବରୁ ଏମାନଙ୍କୁ ମିଳିଥିଲା OPCC କାର୍ଯ୍ୟକାରୀ ସଭାପତି ଦାୟିତ୍ବ:-

୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଜୟଦେବ ଜେନା ପିସିସି ସଭାପତି ଥିଲେ ସେହି ସମୟରେ ସାଧାରଣ ନିର୍ବାଚନର ଶେଷ ତିନି ମାସ ପୂର୍ବରୁ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ପିସିସି ସଭାପତି କରାଯାଇଥିଲା । ସେହି ସମୟରେ ତିନୋଟି କାର୍ଯ୍ୟକାରୀ ସଭାପତି ପଦ ଘୋଷଣା କରିଥିଲା AICC । ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ଭକ୍ତ ଚରଣ ଦାଶଙ୍କୁ ନିଯୁକ୍ତି ମିଳିଥିବା ବେଳେ ଉପକୂଳ ଓଡ଼ିଶାର ଫାୟାର ବ୍ରାଣ୍ଡ ଲିଡର ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଦକ୍ଷିଣ ଓଡ଼ିଶାର ଭେଟେରାନ ନେତା ଚନ୍ଦ୍ରଶେଖର ସାହୁଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଥିଲା ।

ଏହା ବି ପଢନ୍ତୁ- ଫେଲ ମାରିଲା 9ରୁ 90 ମିଶନ, ପଡିଲା AICC ଛାଟ ! ଭାଙ୍ଗିଲା ଓଡ଼ିଶା କଂଗ୍ରେସ କମିଟି

ସେହିପରି ୨୦୧୮ ଏପ୍ରିଲରେ ନିରଞ୍ଜନ ପଟ୍ଟନାୟକଙ୍କୁ ପୁନଶ୍ଚ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଦାୟିତ୍ବ ଦେଇଥିଲେ ତତ୍କାଳୀନ AICC ସଭାପତି ରାହୁଲ ଗାନ୍ଧୀ । ଏହାସହ ଦୁଇ ଜଣ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦଙ୍କୁ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଦାୟିତ୍ବ ମିଳିଥିଲା । ତତ୍କାଳୀନ ଝାରସୁଗୁଡ଼ା ବିଧାୟକ ନବ ଦାସ, ତତ୍କାଳୀନ ଜଗତସିଂହପୁର ବିଧାୟକ ଚିରଞ୍ଜିବୀ ବିଶ୍ବାଳ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ଦାୟିତ୍ବ ପ୍ରଦାନ କରାଯାଇଥିଲା ।

'ଖୁବଶୀଘ୍ର ହାଇକମାଣ୍ଡ ନାଁ ଘୋଷଣା କରିବେ'

ପିସିସି ସଭାପତି ଚୟନ ପ୍ରକ୍ରିୟା ପ୍ରସଙ୍ଗରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରତିକ୍ରିୟା ରଖି କହିଛନ୍ତି, "ପିସିସି କମିଟି ଭାଙ୍ଗିବାର ଅର୍ଥ ଏଇଟା ନୁହେଁ ଯେ କଂଗ୍ରେସ ନୀରବ ହୋଇଯାଇଛି । କଂଗ୍ରେସ ତାର କାର୍ଯ୍ୟ ଜାରି ରଖିଛି । କଂଗ୍ରେସର ହାଇକମଣ୍ଡ ଓଡ଼ିଶା କଂଗ୍ରେସକୁ ଗୁରୁତ୍ବର ସହ ନେଉଛନ୍ତି । ତେଣୁ ତର୍ଜମା ଚାଲିଛି । ଖୁବଶୀଘ୍ର ହାଇକମାଣ୍ଡ ଏଭଳି ଜଣେ ନେତୃତ୍ବକୁ ଚୟନ କରିବେ ଯିଏ ସମସ୍ତଙ୍କୁ ନେଇ ଆଗକୁ ବଢ଼ିପାରିବ ।"

ଏହା ବି ପଢନ୍ତୁ- କାହା ମୁଣ୍ଡରେ ପିସିସି ସଭାପତି ମୁକୁଟ ? ରେସରେ ଏକାଧିକ ହେଭିୱେଟ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details