ଭୁବନେଶ୍ବର: ବିଜେଡି ଛାଡ଼ୁଛନ୍ତି ଜଣଙ୍କ ପରେ ଜଣେ ରାଜ୍ୟସଭା ସାଂସଦ । ଉଚ୍ଚସଦନରେ ଦୁର୍ବଳ ହେବାରେ ଲାଗିଛି ବିଜୁ ଜନତା ଦଳ । ଆଗାମୀ ଦିନରେ ଆହୁରି ସଦସ୍ୟ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି । ଫଳରେ ଜାତୀୟ ସ୍ତରରେ ବିଜେଡିର ପତିଆରା କମିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ସଂଖ୍ୟା କମିଲେ ବି ଓଡିଶାର ସ୍ୱାର୍ଥ ହାସଲ ଲାଗି ବିଜେଡି କାର୍ଯ୍ୟ କରିବ ବୋଲି କହିଛନ୍ତି ଦଳର ସାଂସଦ ।
ଫେଡ଼ି ହେଉଛି ବିଜେଡି:
ଲୋକସଭା ପରେ ରାଜ୍ୟସଭାରେ ଦୁର୍ବଳ ହେବାରେ ଲାଗିଛି ବିଜେଡି । ସାଧାରଣ ନିର୍ବାଚନରେ ଲୋକସଭାରେ ଖାତା ଖୋଲିନଥିବା ବିଜେଡି ରାଜ୍ୟସଭାରେ ଦିନକୁ ଦିନ ଫେଡ଼ି ହୋଇଯାଉଛି । ଜଣଙ୍କ ପରେ ଜଣେ ରାଜ୍ୟସଭା ସାଂସଦ ବିଜେଡି ସହ ପଦ ଛାଡ଼ୁଛନ୍ତି । ମମତା ମହନ୍ତ ପରେ ରାଜ୍ୟସଭା ପଦ ଛାଡ଼ିଛନ୍ତି ସୁଜିତ କୁମାର । ନିର୍ବାଚନ ପୂର୍ବରୁ ରାଜ୍ୟସଭାରେ ବିଜେଡି ସଂଖ୍ୟା ୯ ଥିବାବେଳେ ଏବେ ୭ରେ ପହଁଚିଛି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି କମିବାର ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି ।
ବିଜେପିକୁ ବଳ ସାଜୁଛନ୍ତି ଦଳ ଡିଆଁ ନେତା:
ରାଜ୍ୟସଭାରେ ଓଡିଶାର ସଦସ୍ୟ କୋଟା ରହିଛି ୧୦ । ସାଧାରଣ ନିର୍ବାଚନର କିଛି ଦିନ ପୂର୍ବରୁ ଓଡ଼ିଶାର ୩ ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ସେତେବେଳେର ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ ଜଣ ସଦସ୍ୟଙ୍କୁ ରାଜ୍ୟସଭାକୁ ପଠାଇ ପାରିଥାନ୍ତା । କିନ୍ତୁ ୨ ଜଣଙ୍କୁ ଉଚ୍ଚ ସଦନକୁ ପଠାଇଥିଲା । ଆଉ ଗୋଟେ ସିଟ ପୂର୍ବ ପରି ବିଜେପି ନେତା ଅଶ୍ୱିନୀ ବୈଷ୍ଣବକୁ ସମର୍ଥନ ଦେଇଥିଲା ବିଜେଡି । ତେଣୁ ରାଜ୍ୟସଭାରେ ବିଜେଡି ସଂଖ୍ୟା ୯ ଓ ବିଜେପି ୧ ହୋଇଥିଲା । ଗତ ମାସରେ ମମତା ମହନ୍ତ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ବିଜେପିରେ ସାମିଲ ହୋଇ ପୁନର୍ବାର ରାଜ୍ୟସଭା ଯାଇଛନ୍ତି । ଫଳରେ ବିଜେଡି ସଂଖ୍ୟା ଗୋଟିଏ କମିବା ସହ ବିଜେପି ସଂଖ୍ୟା ବଢ଼ିଥିଲା । ସେହିପରି ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରୁ ସେ ସେହି ସିଟରୁ ପୁନର୍ବାର ରାଜ୍ୟସଭା ଯିବାର ସମ୍ଭାବନା ରହିଛି । ତେବେ ବିଜେପି ସଂଖ୍ୟା ଆଉ ଗୋଟେ ବଢିବା ସହ ବିଜେଡି ସଂଖ୍ୟା କମିବ । ସୁଜିତଙ୍କ ବଦଳରେ ଦଳ ଆଉ କାହାକୁ ପ୍ରାର୍ଥୀ କଲେ ମଧ୍ୟ ସଂଖ୍ୟା ବିଜେପି ସପକ୍ଷରେ ଯିବ ।
ଏହା ମଧ୍ୟ ପଢ଼ନ୍ତୁ...Sujeet Kumar joins BJP: ମମତାଙ୍କ ପରେ ସୁଜିତ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବହିଷ୍କାର କଲେ ନବୀନ - BJD MP Sujeet Kumar resignation
କ୍ଷୟ ହେଉଛି ବିଜେଡି ଶକ୍ତି:
ଏନେଇ ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ରକହିଛନ୍ତି, "ଲୋକସଭା ବିଜେଡି ବିହୀନ ହୋଇଯାଇଛି । ତେଣୁ ବିଜେଡିର ଏକମାତ୍ର ଭରସା ହେଉଛି ରାଜ୍ୟସଭା । କିନ୍ତୁ ରାଜ୍ୟସଭାରେ ବିଜେଡିର ଶକ୍ତି କ୍ଷୟ ହେଉଛି । ଜଣଙ୍କ ପରେ ଜଣେ ସାଂସଦ ବିଜେଡି ଛାଡୁଛନ୍ତି । ମମତା ମହନ୍ତ ପରେ ସୁଜିତ କୁମାର ଦଳ ଛାଡିଛନ୍ତି । ବିଜେପି ଜଣଙ୍କ ପରେ ଜଣେ ବିଜେଡି ସାଂସଦଙ୍କୁ ଶିକାର କରୁଛି । ଏହା ଦ୍ୱାରା ବିଜେଡି ଦୁର୍ବଳ ହେଉଛି ବୋଲି ବିଚାର କରିବାକୁ ପଡିବ । ଜାତୀୟ ସ୍ତରରେ ବିଜେଡିର ଥିବା ପତିଆରାର ମଧ୍ୟ ଅବକ୍ଷୟ ହେବ ।"
ଏହା ମଧ୍ୟ ପଢ଼ନ୍ତୁ...ଦଳ ଛାଡୁଛନ୍ତି ତୃଣମୂଳ ନେତା; ସଂଗଠନ ସଜଡ଼ା ହୋଇନଥିବାରୁ ନିଷ୍କ୍ରିୟ ହେଉଛି ବିଜେଡି ! - BJD MLA Training Programme