ନୂଆଦିଲ୍ଲୀ:ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଏବେ ଆସାମରେ ଜାରି ରହିଛି । ତେବେ ନ୍ୟାୟ ଯାତ୍ରା ଆସାମରେ ପ୍ରବେଶ ପରଠୁ ଗୋଟିଏ ପରେ ଗୋଟିଏ ଉତ୍ତେଜନାମୂଳକ ଘଟଣା ସାମ୍ନାକୁ ଆସୁଛି । ଗତକାଲି ଗୌହାଟୀରେ ଯାତ୍ରାକୁ ଅନୁମତି ନମିଳିବାରୁ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତା ଯାଏଁ କଥା ପହଞ୍ଚିଥିଲା । ଏହାକୁ ନେଇ ଏବେ ରାହୁଲ ଗାନ୍ଧୀ ପୁଣିଥରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି କହି ସମାଲୋଚନା କରିଛନ୍ତି ରାହୁଲ ।
କଂଗ୍ରେସ ନେତା ଓ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ଆସାମର ବାରପେଟା ଠାରେ ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ଆଜି ରାହୁଲ କହିଛନ୍ତି, ''ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସବୁବେଳେ ଘୃଣା ବିସ୍ତାର କରୁଛନ୍ତି । ନିରୀହ ଲୋକଙ୍କ ଜମି ଛଡାଉ ନେଉଛନ୍ତି । ସେ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ । ତାଙ୍କର କଣ୍ଟ୍ରୋଲ ଗୃହମନ୍ତ୍ରୀ ଅମିତ ଶାହଙ୍କ ହାତରେ ଅଛି । ସେ ଶାହଙ୍କ ଇସାରରେ ଚାଲୁଛନ୍ତି । ଯଦି ବିଶ୍ବଶର୍ମା ଶାହଙ୍କ ବିରୋଧରେ କିଛି ବି ମନ୍ତବ୍ୟ ଦିଅନ୍ତି, ତାହେଲେ ତାଙ୍କୁ ଦଳରୁ କାଢି ଫିଙ୍ଗି ଦିଆଯିବ ।''
ଆହୁରି କଂଗ୍ରେସ ଅଭିଯୋଗ କରିଛି ଯେ, ଆସାମରେ ନ୍ୟାୟ ଯାତ୍ରା ପ୍ରବେଶ କରିବା ପରଠୁ ବିଜେପି ନେତୃତ୍ବାଧୀନ ରାଜ୍ୟ ସରକାର ତାଙ୍କର ଯାତ୍ରା ରୋକିବାକୁ ଚେଷ୍ଟା କରିଆସୁଛନ୍ତି ।