ପୁରୀ: ଆଗାମୀ ନିର୍ବାଚନ ପୂର୍ବରୁ ପୁରୀ ବିଧାନସଭା ଭୋଟରଙ୍କୁ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ନିଜର ରିପୋର୍ଟ୍ କାର୍ଡ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ୍ କାର୍ଡ ପ୍ରକାଶ ଅବସରରେ ସେ ପୁଣି ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତିଙ୍କୁ ଟାର୍ଗେଟ କରିଛନ୍ତି । କାହାର ବାପ ଅଜା ନେତା ଥିଲେ ବୋଲି ସେମାନଙ୍କ ପିଲାମାନେ ବି ନେତା ହୋଇଯିବେ, ଏହାର କିଛି ମାନେ ନାହିଁ ବୋଲି କହି ବିଜେଡି ପ୍ରାର୍ଥୀଙ୍କୁ ଟାର୍ଗେଟ କରିଛନ୍ତି ଜୟନ୍ତ । ସେପଟେ ଏନେଇ ନିଜେ ସୁନୀଲ ପ୍ରତିକ୍ରିୟା ରଖିବାକୁ ମନା କରିଥିଲେ ମଧ୍ୟ ଜୟନ୍ତଙ୍କ ଉପରେ ବର୍ଷିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ।
'କେବେ ବି ଲୋକଙ୍କ ସହିତ ନାହାନ୍ତି ବିଜେଡି ପ୍ରାର୍ଥୀ': ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, "ବିଜେଡି ପ୍ରାର୍ଥୀ ୱାର୍ଡ ମେମ୍ବରଟିଏ ହୋଇନାହାନ୍ତି । ସେ କଣ ଲୋକଙ୍କ ନେତୃତ୍ବ ନେବେ ? ଲୋକଙ୍କ ନେତୃତ୍ବ ନେବାକୁ ହେଲେ ଘରୁ ବାହାରି ଲୋକଙ୍କ ସେବା କରିବାକୁ ପଡେ । ଘରେ ବସି ଲୋକଙ୍କ ସେବା ହୁଏନି । ଖାଲି ନିଜ ବାପ ଅଜା ନେତା ହୋଇଗଲେ ଯେ ସବୁ ନେତା ହୋଇଯିବେ, ତାହା ଠିକ୍ ନୁହେଁ । ଏଥିପାଇଁ ଲୋକଙ୍କ ସୁଖଦୁଃଖରେ ରହିବାକୁ ପଡିବ । ବିଜେଡିର ପ୍ରାର୍ଥୀ କେବେ ବି ଲୋକଙ୍କ ସେବାରେ ନାହାନ୍ତି । ତାଙ୍କ ବାପାଙ୍କ ବିୟୋଗ ପରେ କ୍ଷମତା ପାଇଁ ରାଜନୀତିକୁ ଆସିଛନ୍ତି । ସେ କେବେ ବି ଲୋକଙ୍କ ସମସ୍ୟା ସମାଧାନ ପାଇଁ ଘରୁ ପାଦ କାଢି ନାହାନ୍ତି । ସେ ଜଣେ ପକ୍କା ବ୍ୟବସାୟୀ । ବ୍ୟବସାୟରେ ହିଁ ସେ ରୁହନ୍ତି । ଯଦିଓ ବିଜେଡିର ପାର୍ଟି ଆଧାରରେ ଭୋଟ ରହିଛି, ହେଲେ ପ୍ରାର୍ଥୀ ଆଧାରରେ କୌଣସି ଭୋଟ ତାଙ୍କର ନାହିଁ । ସେ କେବେ କାହାକୁ ଅସୁବିଧାରେ ସହଯୋଗ କରିନାହାନ୍ତି । କୋଭିଡ ମହାମାରୀ ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବାବେଳେ ସବୁ ଲୋକ କଷ୍ଟରେ ଥିଲେ । ସାମାନ୍ୟ ବିସ୍କୁଟ ହେଉ କି ଚାଉଳ ସେମାନେ ଲୋକଙ୍କୁ ଦେଇନାହାନ୍ତି ।"
'ନିର୍ବାଚନ ପରେ ଆପାର୍ଟମେଣ୍ଟ ବ୍ୟବସାୟରେ ଥିବେ ବିଜେଡି ପ୍ରାର୍ଥୀ': ତେବେ ନେତୃତ୍ବ ନେବା ଏକ ଇଶ୍ଵରଙ୍କ ଦାନ । ଘରେ ଖାଲି ନିଜ ବାପା, ଦାଦା ନେତା ହୋଇଗଲେ ଯେ ଆମେ ନେତା ହୋଇଯିବା, ତାହାର କିଛି ମାନେ ନାହିଁ ବୋଲି ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତିଙ୍କୁ କଟାକ୍ଷ କରି ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି । ଲୋକଙ୍କ ସହ ଯିଏ ରହିବ, ତାକୁ ହିଁ ଲୋକେ ନିର୍ବାଚିତ କରିବେ ବୋଲି ତାଙ୍କର ବିଶ୍ବାସ ଥିବା ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି । ସେ ଆହୁରି କହିଛନ୍ତି, "ନିର୍ବାଚନ ସରିଲେ ପୁରୀରେ ହୋଇଥିବା ବିଜେଡି ପ୍ରାର୍ଥୀଙ୍କ ଆଉ ଦେଖା ଦର୍ଶନ ନଥିବ । ସେ ତାଙ୍କ ଆପାର୍ଟମେଣ୍ଟ ବ୍ୟବସାୟରେ ଥିବେ ।" ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ୪୦୦ରୁ ଅଧିକ ଆସନରେ ବିଜୟୀ ହୋଇ ସରକାର ଗଠନ କରିବା ସହ ଓଡ଼ିଶାରେ ବିଜେପି ଡବଲ ଇଞ୍ଜିନ ସରକାର ଗଠନ କରିବ ବୋଲି ପୁରୀ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଦୃଢ଼ୋକ୍ତି ବାଢ଼ିଛନ୍ତି ।