ଓଡିଶା

odisha

ETV Bharat / politics

ପୋଲାଭରମ ବୁଡ଼ାଇବ 12 ପଞ୍ଚାୟତ ! ପ୍ରକଳ୍ପ ବିରୋଧରେ ଗଣ ସମ୍ମିଳନୀ ଡାକରା, ବିଜେଡିର ସମର୍ଥନ - PROTEST AGAINST POLAVARAM

ପୋଲାଭରମ ଯୋଗୁଁ ବୁଡିଯାଇପାରେ ମୋଟୁ ଓ ପଡିଆର 12 ପଞ୍ଚାୟତ । ପୋଲାଭରମ ବିରୋଧରେ ବିଶାଳ ସମ୍ମିଳନୀ । ବିଜେଡିର ସମର୍ଥନ, ଭିସିରେ ଯୋଗଦେଇପାରନ୍ତି ନବୀନ ।

Polavaram
Polavaram (ETV Bharat)

By ETV Bharat Odisha Team

Published : Feb 26, 2025, 6:04 PM IST

ଭୁବନେଶ୍ବର: ଥମୁନି ପୋଲାଭରମ ତାତି । ପୋଲାଭରମ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣ ସମ୍ମିଳନୀର ଡାକରା ଦିଆଯାଇଛି । ଆସନ୍ତା 28 ତାରିଖରେ ମାଲକାନଗିରି ଜିଲ୍ଲା ତଥା ପ୍ରଭାବିତ ହେବାକୁ ଥିବା ମୋଟୁରେ ଏହି ବିଶାଳ ଗଣ ସମ୍ମିଳନୀ ଅନୁଷ୍ଠିତ ହେବ । ପୋଲାଭରମ ଗଣ ସମ୍ମିଳନୀକୁ ସମର୍ଥନ ଜଣାଇଛି ବିଜେଡି । ସରକାର ଥିବାବେଳେ ବିଜେଡି ତ୍ୱରିତ ପଦକ୍ଷେପ ନନେବାରୁ ଏଭଳି ପରିସ୍ଥିତି ଉପୁଜିଥିବା କଂଗ୍ରେସ ଓ ଶାସକ ବିଜେପି ଅଭିଯୋଗ କରିଛନ୍ତି ।

Protest Against Polavaram (ETV Bharat Odisha)

ପୋଲାଭରମ ବିରୋଧରେ ଗଣ ସମ୍ମିଳନୀ:

ପୋଲାଭରମ ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ମାଲକାନଗିରି ଜିଲ୍ଲାର ମୋଟୁରେ ଏକ ବିଶାଳ ଗଣ ସମ୍ମିଳନୀ ଅନୁଷ୍ଠିତ ହେବ । ଆସନ୍ତା ଫେବୃଆରୀ 28 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଗଣ ସମ୍ମିଳନୀରେ ଅନେକ ସଂଗଠନ ସାମିଲ ହେବେ । ଗଣ ସମ୍ମିଳନୀକୁ ବିଜୁ ଜନତା ଦଳ ସମର୍ଥନ ଘୋଷଣା କରିଛି । ବିଜେଡି ମୁଖପାତ୍ର ଭୃଗୁ ବକ୍ସିପାତ୍ର କହିଛନ୍ତି, "ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମାଲକାନଗିରି ଜିଲ୍ଲାର ମୋଟୁ ଓ ପଡିଆ ବ୍ଲକର 12ଟି ପଞ୍ଚାୟତର ପ୍ରାୟ ଅନେକ ଗ୍ରାମ ଜଳମଗ୍ନ ହେବ । ଏହି ପ୍ରକଳ୍ପ ଆରମ୍ଭ ହେବା ଦିନଠାରୁ ବିଜୁ ଜନତା ଦଳ ବିରୋଧ କରିଆସୁଛି । ଦଳର ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାରମ୍ୱାର ପତ୍ର ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ।"



'କେନ୍ଦ୍ର କି ଆନ୍ଧ୍ର ଏକପାଖିଆ ନିଷ୍ପତ୍ତି ନେଇପାରିବେ ନାହିଁ'

ସେ ଆହୁରି ମଧ୍ୟ କହିଛନ୍ତି, "ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ପୋଲାଭରମ ସମ୍ପର୍କରେ କେନ୍ଦ୍ର କି ଆନ୍ଧ୍ର କୌଣସି ଏକପାଖିଆ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ତ୍ୱେ କେନ୍ଦ୍ର ସରକାର ଗତ ଦୁଇଟି ବଜେଟରେ ପୋଲାଭରମ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରାୟ 17 ହଜାର କୋଟି ଅନୁଦାନ ଦେଇଛନ୍ତି । ବିଜେଡି ସବୁ ସମୟରେ ପୋଲାଭରମ ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ଏକ ପ୍ରତିନିଧି ମଣ୍ଡଳି ପୋଲାଭରମ ପ୍ରକଳ୍ପ ସ୍ଥଳ ଓ ପ୍ରଭାବିତ ହେବାକୁ ଥିବା ମାଲକାନଗିରିର ମୋଟୁ ଓ ପଡିଆ ଅଞ୍ଚଳ ବୁଲିଛନ୍ତି । ସ୍ଥିତିର ସମୀକ୍ଷା କରିବା ସହିତ ଏକ ରିପୋର୍ଟ ଦଳର ସଭାପତିଙ୍କୁ ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳି ଓ ବିଜେଡିର 7 ରାଜ୍ୟସଭା ସାଂସଦଙ୍କ ସହ ଦିଲ୍ଲୀରେ କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ର ପରିବେଶ ମନ୍ତ୍ରାଳୟ, କେନ୍ଦ୍ର ଜଳ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ଭେଟି ଓଡ଼ିଶାର ପକ୍ଷ ରଖିଛନ୍ତି ।"

ପୋଲାଭରମ ପ୍ରକଳ୍ପ ବିଷୟରେ ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତର:

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ 2022 ଜୁଲାଇ ମାସରେ ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ଦେଇଥିବା ଉତ୍ତର ଅନୁସାରେ ପୋଲାଭରମ ପ୍ରକଳ୍ପର ଉଚ୍ଚତା 48.32 ମିଟର ଅଛି । 2006 ମସିହାରେ କେନ୍ଦ୍ରୀୟ ଜଳ ଆୟୋଗ, ଓଡ଼ିଶାର ବିନା ସମ୍ମତିରେ ପୋଲାଭରମ ପ୍ରକଳ୍ପର ଡିଜାଇନ ବନ୍ୟାର ପରିମାଣ 36 ଲକ୍ଷ କ୍ୟୁସେକରୁ 50 ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ସଂଶୋଧନ କରିଛନ୍ତି । ଏମିତି ହେଲେ ମାଲକାନଗିରି ଜିଲ୍ଲାର ମୋଟୁ ଓ ପଡିଆ ବ୍ଲକର 250 ଗାଁ ଓ 6923 ଲୋକ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେହିପରି ଜିଲ୍ଲାର 10ହଜାର 240 ହେକ୍ଟର ଜମି ପ୍ରଭାବିତ ହେବାର ଆଶଙ୍କା ରହିଛି । ପୋଲାଭରମ ପ୍ରକଳ୍ପକୁ Godavari Water Dispute Tribunal (GWDT)ର ନିର୍ଦ୍ଦେଶନୁସାରେ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟଳୟରେ ମାମଲା ଦାୟର କରିଛନ୍ତି । ଓଡିଶା ସରକାର ପୋଲାଭରମ ପ୍ରକଳ୍ପ ନିର୍ମାଣ ବିରୁଦ୍ଧରେ ସୁପ୍ରିମକୋର୍ଟରେ ମକଦ୍ଦମା ଦାୟର କରିଛନ୍ତି । ମାର୍ଚ୍ଚ 2020 ପରଠାରୁ କୌଣସି ଶୁଣାଣି ହୋଇନଥିବାବେଳେ ଏହାର କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ଏବେ ଆନ୍ଧ୍ର ସରକାର ଅଣ୍ଟା ଭିଡିଛନ୍ତି ।

ଆନ୍ଦୋଳନରେ ଭିସିରେ ଯୋଗ ଦେବେ ନବୀନ:

2026 ଅକ୍ଟୋବର ସୁଦ୍ଧା ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଚାଷୀ, କୃଷକ ସୁଫଳ ପାଇବେ ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପ ଶେଷ କରିବା ପାଇଁ କେନ୍ଦ୍ରୀୟ ଅନୁଦାନ ପ୍ରାୟ 17 ହଜାର କୋଟି ଟଙ୍କା ମିଳିଛି । ଏହି ଜାତୀୟ ପ୍ରକଳ୍ପ ଲାଗି 12 ହଜାର କୋଟି ଓ 5 ହଜାର କୋଟି ଲେଖାଏଁ କେନ୍ଦ୍ର ସରକାର ଗତ ଦୁଇ ବଜେଟରେ ପ୍ରାବଧାନ କରିଛନ୍ତି ।

ବିଜେଡି ବିଧାୟକ ମନୋହର ରନ୍ଧାରୀ କହିଛନ୍ତି, "12ଟି ସଂଗଠନ ତରଫରୁ ପୋଲାଭରମ ବିରୋଧରେ ଆନ୍ଦୋଳନ ଡାକରା ଦିଆଯାଇଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭିସି ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଜେଡି ସରକାର ଥିବା ସମୟରେ ବିଭିନ୍ନ ଫୋରମରେ ପୋଲାଭରମକୁ ବିଜେଡି ବିରୋଧ କରିଆସିଛି । ପୋଲାଭରମ ଷ୍ଟ୍ରକଚର ଉଚ୍ଚତା ପ୍ରଥମେ କମ ଥିଲା । ପରବର୍ତ୍ତୀ ସମୟରେ ଏହାର ଉଚ୍ଚତା ବୃଦ୍ଧି ହେବାରୁ ଆମେ ବିରୋଧ ଆରମ୍ଭ କଲୁ । ଡବଲ ଇଞ୍ଜିନ ସରକାର ଆସିବା ପରେ ଡବଲ ଓଡିଶା ବିରୋଧୀ କାର୍ଯ୍ୟ ହେଉଛି ।"

ଏହା ବି ପଢନ୍ତୁ...ପୋଲାଭରମ ତାତି: ବିଜେଡି କହିଲା ମୋଟୁରୁ ଦିଲ୍ଲୀ ଲଢେଇ ହେବ, ଆଇନମନ୍ତ୍ରୀଙ୍କ ଜବାବ
ଏହା ବି ପଢନ୍ତୁ...ରାଜ୍ୟସଭାରେ ପୋଲାଭରମ ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କ ସୂଚନା '୧୦୦୦ରୁ ଉର୍ଦ୍ଧ୍ବ ପରିବାର ହେବେ ପ୍ରଭାବିତ'


ପୂର୍ବ ସରକାରକୁ ବିଜେପିର ପ୍ରଶ୍ନ:

କଂଗ୍ରେସ ବିଧାୟକ ଅଶୋକ ଦାସକହିଛନ୍ତି, "ରାଜ୍ୟ ବିରୋଧରେ କେନ୍ଦ୍ର ସରକାର ଅଭିଶନ୍ଧି କରିଛନ୍ତି । ଦିଲ୍ଲୀର ଚେୟାର ବଞ୍ଚାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନ୍ଧ୍ରପ୍ରଦେଶ ଓ ବିହାରକୁ ତୁଷ୍ଟିକରଣ କରାଯାଇଛି । ଓଡିଶାକୁ ଡବଲ ଇଞ୍ଜିନ ସରକାର ପାତର ଅନ୍ତର କରୁଛନ୍ତି । ଓଡ଼ିଶାରୁ 21ଟି ଲୋକସଭାରୁ 20ଟି ଆସନରେ ବିଜେପିକୁ ଆଶୀର୍ବାଦ କରିଥିବା ସେମାନେ ଭୁଲି ଯାଉଛନ୍ତି । ପୋଲାଭରମ କରି ସେମାନଙ୍କୁ ଭସେଇ ଦେବାକୁ ବିଜେପି ଚାହେଁ । ସମୟ ଆସିଲେ ଲୋକେ ଉତ୍ତର ଦେବେ ।"

ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି, "ବିଜେଡି 24ବର୍ଷ ଶାସନରେ ଥିଲା । ପୋଲାଭରମ ବନ୍ଦ ପାଇଁ କ'ଣ କ'ଣ କାର୍ଯ୍ୟ କରିଛନ୍ତି ପ୍ରଥମେ କୁହନ୍ତୁ । ଓଡିଶା କିପରି ନିଜର ଅଧିକାର ପାଇବ ସେନେଇ ଏ ସରକାର ବ୍ୟବସ୍ଥା କରିବ । ସରକାର ବଞ୍ଚାଇବା ଲାଗି କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ ଗୁରୁତ୍ୱ ଅଭିଯୋଗ ଭୁଲ କଥା ।"


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details