ଓଡିଶା

odisha

ETV Bharat / politics

5ଟିକୁ ନେଇ ବିଜେଡିରେ ବିଦ୍ରୋହର ପ୍ରତିଧ୍ବନି; ଅରୁଣଙ୍କ ମନ୍ତବ୍ୟକୁ ମିଳୁଛି ଦଳରେ ସମର୍ଥନ - BJD 5T ISSUE

ବିଧାୟକ ଅରୁଣ ସାହୁଙ୍କ ସ୍ବୀକାରୋକ୍ତି "5ଟି ପାଇଁ ଆମେ ମଲୁ"କୁ ନେଇ ରାଜ୍ୟ ରାଜନୀତି ସରଗରମ ।

politics over 5t issue
politics over 5t issue (ETV Bharat Odisha)

By ETV Bharat Odisha Team

Published : Feb 24, 2025, 7:24 PM IST

Updated : Feb 24, 2025, 9:48 PM IST

ଭୁବନେଶ୍ୱର:"5ଟି ଯୋଗୁଁ ମଲୁ" ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଏହି ମନ୍ତବ୍ୟ ବିଜେଡି ରାଜନୀତିକୁ ସରଗରମ କରିଛି । ପ୍ରତ୍ୟକ୍ଷରେ ନହେଲେ ପରୋକ୍ଷରେ ଅରୁଣଙ୍କ ମନ୍ତବ୍ୟକୁ ମିଳୁଛି ଦଳୀୟ ନେତାଙ୍କ ସମର୍ଥନ । ବହୁ ଚର୍ଚ୍ଚିତ 5ଟିକୁ ଅରୁଣଙ୍କ ମନ୍ତବ୍ୟ ବିଜେଡିରେ ବିଦ୍ରୋହର ପ୍ରତିଧ୍ବନି ସଦୃଶ ହୋଇଛି । ଅବଦମିତ ଭାବେ ଥିବା ବିଜେଡି ନେତାଙ୍କ ସ୍ୱର ଆଗାମୀ ଦିନରେ ଆହୁରି ଅଧିକ ପ୍ରଖର ହେବ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ ।

ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଅରୁଣ ସାହୁଙ୍କ ସ୍ବୀକାରୋକ୍ତି "5ଟି ପାଇଁ ଆମେ ମଲୁ"କୁ ନେଇ ରାଜ୍ୟ ରାଜନୀତି ସରଗରମ । ଏହି ମନ୍ତବ୍ୟ ବିଜେଡିର ଅନ୍ଦର ମହଲରେ ହଇଚଇ ସୃଷ୍ଟି କରିଛି । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟର ବଡ଼ କାରଣ 5ଟି ବୋଲି ଅରୁଣ ସ୍ୱୀକାର କରିଛନ୍ତି । ପରାଜୟର କାରଣ କାହାକୁ ଅଛପା ନଥିଲେ ମଧ୍ୟ ନିର୍ବାଚନର 8 ମାସ ପରେ ଅରୁଣ ସର୍ବସାଧାରଣରେ ଏହା ପ୍ରଥମ ଥର ଖୋଲିକି କହିଛନ୍ତି । ବିଜେଡିର କୌଣସି ଆଗଧାଡ଼ିର ନେତା ଏହି କଥା କହିବାକୁ ବା ସ୍ୱୀକାର କରିବାକୁ ଡରୁଥିବା ବେଳେ ଅରୁଣ ଏକଥା ଖୋଲାଖୋଲି କହି ଦେଇଛନ୍ତି । ଏହା ପରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଜୋର ଧରିଛି ।

କେବଳ ଏ କଥା ନୁହେଁ, ନେତାଙ୍କ ମଧ୍ୟରେ ତାଳମେଳ ଅଭାବ ଓ ଗର୍ବ ପାଇଁ ଦଳର ପରାଜୟର କାରଣ ବୋଲି ପୂର୍ବରୁ ଦଳୀୟ ନେତାଙ୍କ ଗହଣରେ ଅରୁଣ କହିଛନ୍ତି । ପରାଜୟ ନେଇ ବାରମ୍ବାର ଅରୁଣଙ୍କ ଏଭଳି ମନ୍ତବ୍ୟର ପ୍ରତିବାଦ ଦଳର କୌଣସି ନେତା ଏଯାଏଁ କରିନାହାନ୍ତି । ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ଅରୁଣଙ୍କ ମନ୍ତବ୍ୟ ଠିକ ବୋଲି ବିଜେଡ଼ି ନେତା ବାର୍ତ୍ତା ଦେଇଛନ୍ତି ।



2019 ସାଧାରଣ ନିର୍ବାଚନ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମକୁ ବୟକଟ କରିଥିଲା ବିଜୁ ଜନତା ଦଳ । ସାମ୍ବାଦିକ ସମ୍ମିଳନୀ କରି ଉକ୍ତ ଗଣମାଧ୍ୟମର କୌଣସି କାର୍ଯ୍ୟକ୍ରମରେ ସାମିଲ ନହେବା ଲାଗି ବିଜେଡି ଘୋଷଣା କରିଥିଲା । ସେବେଠାରୁ ବିଜେଡିର କୌଣସି ନେତା ଉକ୍ତ ଗଣମାଧ୍ୟମର କୌଣସି କାର୍ଯ୍ୟକ୍ରମରେ ସାମିଲ ହେଉନଥିଲେ । ଉକ୍ତ ଗଣମାଧ୍ୟମରେ ସାମିଲ ହେବା ନେଇ ଦଳ ପକ୍ଷରୁ ଲାଗିଥିବା ପ୍ରତିବନ୍ଧକ ଉଠି ନାହିଁ । କିନ୍ତୁ ଦୀର୍ଘ 6 ବର୍ଷ ପରେ ଉକ୍ତ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଅରୁଣ । ଦଳରୁ ନେଇ କିମ୍ବା ନିଜ ଇଚ୍ଛାରେ ଅରୁଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ, ତାହା ଜଣାପଡିନାହିଁ । କିନ୍ତୁ ଜଣେ ବରିଷ୍ଠ ସାମ୍ବାଦିକଙ୍କ ପ୍ରଶ୍ନରେ ଅରୁଣ କହିଥିଲେ, "5ଟି ଖରାପ ଚିନ୍ତାଧାରା ନୁହେଁ । କିନ୍ତୁ ତାହାର କାର୍ଯ୍ୟକାରିତାରେ ଭୁଲ ରହିଗଲା । ଯିଏ କାର୍ଯ୍ୟକାରୀ କଲା, ତାହା ଠିକ ଭାବେ କଲାନାହିଁ । ଆମେ ସରକାରରୁ ଚାଲିଗଲୁ । ବିଜେପି ଉଦ୍ଦେଶ୍ୟରେ ଅରୁଣ କହିଥିଲେ, "ଆମେ ‌ଯେମିତି 5ଟି ପାଇଁ ମଲୁ, ବିଜେପି ସେମିତି ଓଡ଼ିଆ ଅସ୍ମିତା ପାଇଁ ମରିବ ।"



ସାଧାରଣ ନିର୍ବାଚନରେ ପରାଜୟର କାରଣ ଏ ଯାଏ ଦଳ ଖୋଜି ନାହିଁ । ପରାଜୟ କାରଣ ଖୋଜିବା ପାଇଁ କମିଟି ଗଠନ ହେବ ବୋଲି ଦଳର ସମସ୍ତ ବରିଷ୍ଠ ନେତା କହୁଥିଲେ । କିନ୍ତୁ କମିଟି ଗଠନ ହୋଇନାହିଁ କିମ୍ବା ପରାଜୟର ବିଧିବଦ୍ଧ ସମୀକ୍ଷା ହୋଇନାହିଁ । ସଭାପତି ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ମୁଖ୍ୟ ଚେହେରା ହୋଇଥିଲେ ଭି କେ ପାଣ୍ଡିଆନ । ପାଣ୍ଡିଆନଙ୍କୁ ଟାର୍ଗେଟ କରି ବିଜେପି ‘ଓଡ଼ିଆ ଅସ୍ମିତା’ କାର୍ଡ ଖେଳିଥିଲା । ବିଜେପି ଜାତୀୟ ଓ ରାଜ୍ୟ ନେତାଙ୍କ ଶାଣିତ ଆକ୍ରମଣରେ ବିଜେଡି କ୍ଷମତାରୁ ଅପସରି ଗଲା । ଏ କଥାକୁ ବିଜେଡିର କୌଣସି ନେତା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ବୀକାର କରିନାହାନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଛାଡି ଦେଲେ ବିଜେଡିର କୌଣସି ନେତା ପାଣ୍ଡିଆନଙ୍କ ସମର୍ଥନ କିମ୍ବା ବିରୋଧ କରିବାକୁ ସାହସ ଜୁଟାଇପାରୁ ନାହାନ୍ତି । କିନ୍ତୁ ବିଜେଡ଼ି ପରାଜୟର ଅନେକ କାରଣ ମଧ୍ୟରୁ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ବଡ଼ କାରଣ ବୋଲି ଅନେକ ନେତା ସ୍ବୀକାର କରୁଛନ୍ତି ।

ଏହା ବି ପଢନ୍ତୁ- ପଞ୍ଚାୟତ ଓ ପୌର ଦଖଲକୁ ଗୁରୁତ୍ୱ: ଗତି ଧରିଲା ବିଜେଡିର ସଂଗଠନ ନିର୍ବାଚନ ପ୍ରକ୍ରିୟା - BJD


5ଟି ବିଭାଗ କଣ -


ବିଜେଡି ସରକାରରେ 5ଟି ସମସ୍ତ ବିଭାଗ ସହ ବ୍ୟବସ୍ଥା ହୋଇଥିଲା । 5ଟି - Technology, Transparency, Teamwork, Time, and Transformation । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କୁ ଲକ୍ଷ୍ୟରେ ରଖି ଏହି ବ୍ୟବସ୍ଥା ହୋଇଥିଲା । ଅସ୍ତିତ୍ବ ନଥିବା 5ଟି ବିଭାଗର ସଚିବ ଭାବେ ପାଣ୍ଡିଆନଙ୍କୁ ଦାଇତ୍ୱ ଦିଆଯାଇଥିଲା । ସବୁ ବିଭାଗକୁ 5ଟି ଅଧୀନକୁ ଆଣି ପାଣ୍ଡିଆନ ସର୍ବେସର୍ବା ହୋଇଥିଲେ । ମୁଖ୍ୟ ଶାସନ ସଚିବଙ୍କ କ୍ଷମତା ମଧ୍ୟ ସଙ୍କୁଚିତ ହୋଇଥିଲା । ରାଜ୍ୟର ଶାସନ ଓ ପ୍ରଶାସନ ପାଣ୍ଡିଆନଙ୍କ ଇଙ୍ଗିତରେ ଚାଲିଥିଲା ।ଅଭିଯୋଗ ସଂଗ୍ରହ ନାଁରେ ବିଭିନ୍ନ ସ୍ଥାନରେ ବ୍ୟୟବହୁଳ ସଭାସମିତିରେ ପାଣ୍ଡିଆନ ଭାଷଣ ଦେଲେ । 2023 ନଭେମ୍ବର ମାସରେ ଚାକିରି ଛାଡ଼ି ବିଜେଡିରେ ପାଣ୍ଡିଆନ ଯୋଗ ଦେଇଥିଲେ । ରାଜନୀତିକୁ ଆସିବା ପରେ ପ୍ରଶାସନରେ 5ଟି ସଚିବ ପଦବି ନରଖି 5ଟି ଅଧ୍ୟକ୍ଷ ନାଁ'ରେ ଆଉ ଏକ ପଦବି ସୃଷ୍ଟି କରି ଦେଲେ ।



ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ନିର୍ବାଚନର 8 ମାସ ପରେ ଅରୁଣ ସାହୁଙ୍କ ମତ ପ୍ରକାଶ ପାଉଛି । ଏ କଥା ଦାଣ୍ଡରେ ପଡି ହାଟରେ ଗଡ଼ିଛି । ନିର୍ବାଚନର ପରାଜୟର ଅନ୍ୟତମ ପ୍ରମୁଖ କାରଣ 5ଟି ବୋଲି ସମସ୍ତେ ଜାଣିଛନ୍ତି । ଏହାକୁ କେହି ଅସ୍ବୀକାର କରିପାରିବ ନାହିଁ । ବିଜେଡି ଭିତରେ କହିବାର ସ୍ୱାଧୀନତା ନଥିଲା । କଥା ଲୁଚି ରହିବ ନାହିଁ । ଆସ୍ତେ ଆସ୍ତେ ସବୁ କଥା ସାମ୍ନାକୁ ଆସିବ । ଯାହା ପାଇଁ ଦଳ ପରାଜୟ ବରଣ କରିଛି, ତାଙ୍କ ହାତରେ କ୍ଷମତା କେନ୍ଦ୍ର ରହୁ ବୋଲି ଅନେକ ନେତା ଚାହୁଁନାହାନ୍ତି । ନବୀନ ପଟ୍ଟନାୟକ ବର୍ତ୍ତମାନ ମଧ୍ୟ ଭିକେ ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ଅଛନ୍ତି । କୌଣସି କାରଣରୁ ପାଣ୍ଡିଆନଙ୍କୁ ବିଜେଡି ସଭାପତି ଦୂରେଇ ଦେଇପାରୁ ନାହାନ୍ତି । ବିଜେଡିରେ ଏହି ଧାରା ଜାରି ରହିଲେ, ଦଳ ପାଇଁ ସମସ୍ୟା ସୃଷ୍ଟି ହେବ । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ ।"

ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, "5ଟି ଏକ ସୂତ୍ର । 5ଟି ସୂତ୍ର ଦ୍ଵାରା ଓଡ଼ିଶାର ବିକାଶ କାର୍ଯ୍ୟକ୍ରମ ଆଗେଇଛି । ଯେଉଁ କାର୍ଯ୍ୟକ୍ରମ ମଂଥର ଗତିରେ ଚାଲିଥିଲା, ତାହା କ୍ଷିପ୍ର ଗତିରେ ଆଗେଇଛି । 5ଟିକୁ ବିରୋଧୀ ନିନ୍ଦିତ କଲେ । ବିରୋଧୀ ଦଳର ଅପପ୍ରଚାର କଲେ । ଆମେ ସମାଲୋଚିତ ହେଲୁ ।"

Last Updated : Feb 24, 2025, 9:48 PM IST

ABOUT THE AUTHOR

...view details