ବଲାଙ୍ଗୀର:ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଲାଙ୍ଗୀରରେ ବିଜେପି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ମୋଦି । ପୁଣି ଆସନ୍ତା ୧୦ ତାରିଖରେ ଭୁବନେଶ୍ୱର ଆସିବାକୁ ସ୍ଥାନୀୟ ଲୋକଙ୍କୁ ନିମନ୍ତ୍ରଣ ଦେବା ସହ କହିଛନ୍ତି,"ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ । ବିଜେପି ମୁଖ୍ୟମନ୍ତ୍ରୀ ନେବେ ଶପଥ ।" ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର କଣ୍ଟାମାଳରୁ ଆସି ବଲାଙ୍ଗୀରର ପଥରଚେପା ଗ୍ରାମର ପଡ଼ିଆରେ ଅବତରଣ କରିଥିଲା । ସେଠାରେ ଆୟୋଜିତ ହୋଇଥିବା ବିଜେପିର ବିଜୟ ସଂକଳ୍ପ ସମାବେଶରେ ଲକ୍ଷାଧିକ ଲୋକଙ୍କୁ ଉଦବୋଧନ ଦେଇଥିଲେ । ମୋଦି ତାଙ୍କ ଉଦବୋଧନରେ ଓଡ଼ିଶାର ମହାନ ବ୍ୟକ୍ତିଙ୍କୁ ସ୍ମରଣ କରିବା ସହ ବିଜୁ ପଟ୍ଟନାୟକ ଓ ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କୁ ମନେ ପକାଇଥିଲେ । ଯାହା ପରେ ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି, "ରାଜ୍ୟ ସରକାରଙ୍କ 25 ବର୍ଷର ଶାସନରେ ଗରିବୀ ବଢିଛି, ଲୋକ ଦାଦନ ଯିବା, ବେରୋଜଗାରୀ ବଢିଛି। ସେହିପରି ପ୍ରାକୃତିକ ସମ୍ପଦରେ ଭର୍ତ୍ତି ଥିବା ଓଡ଼ିଶା ଆଜି ଗରିବ ହୋଇଛି । ଏବଂ ଏହି ପୀଡା, ନିର୍ଯାତନା ଦେଉଥିବା ସରକାରକୁ ଏଥର ଉପାଡି ଫିଙ୍ଗିବାର ସମୟ ଆସିଛି । ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି । ଆସନ୍ତା 4 ତାରିଖରେ ବିଜେଡି ଏକ୍ସପାୟର ହେବ ।" ଏହାସହ ଜନତାଙ୍କୁ ଆସନ୍ତା 10 ତାରିଖ ଭୁବନେଶ୍ୱର ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ମୋଦି । ଆଉ କହିଛନ୍ତି, "ବିଜେପିର ସରକାର ହେବ ଓ ଜଣେ ଓଡ଼ିଆ ନେତା ମୁଖ୍ୟମନ୍ତ୍ରୀ ହେବ।"