ଭୁବନେଶ୍ବର:କର୍ପୋରେଟରଙ୍କ ପାଇଁ ନିୟମ କଡ଼ାକଡ଼ି । ଦଳର ପୂର୍ବ ନିର୍ଦ୍ଦେଶ ବିନା ଗଣମାଧ୍ୟମରେ କୌଣସି ମତ ରଖିପାରିବେନି ବିଏମସି କର୍ପୋରେଟର । ଭୁବନେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ବିଜୁ ଜନତା ଦଳର ସାଂଗଠନିକ ଜିଲ୍ଲା ଭୁବନେଶ୍ୱର ପକ୍ଷରୁ ସମସ୍ତ କର୍ପୋରେଟରଙ୍କୁ ଦଳର ବିନା ନିର୍ଦ୍ଦେଶରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମର ବିଜୁ ଜନତା ଦଳର ସମସ୍ତ କର୍ପୋରେଟର ଓ ସାଂଗଠନିକ ଅଧିକାରୀମାନେ କୌଣସି ବାଇଟ ଦେବେ ନାହିଁ । ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ହେଲା ଦଳର ଅନୁମତି ନେବାକୁ ହେବ । ଏନେଇ ଜିଲ୍ଲା ସଭାପତି ସୁଶାନ୍ତ ରାଉତ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର ବିଜେଡି ଦୁଇ ଫାଳ ଓ ଦଳ ମଧ୍ୟରେ ଫାଟ ସୃଷ୍ଟି ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗତ କିଛିଦିନ ହେବ କେତେକ କର୍ପୋରେଟେରଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଥିଲା । ଏଭଳି ସ୍ଥିତିରେ କର୍ପୋରେଟରଙ୍କ ମତ ଉପରେ ବିରାମ ଲଗାଇବା ପାଇଁ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଭୁବନେଶ୍ୱର ଜିଲ୍ଲା ସଭାପତି । ଏଠାରେ ସୂଚନା ଥାଉ କି, ଭୁବନେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ତେଜିବାରେ ଲାଗିଛି । ଏହି ଗୋଷ୍ଠୀ କନ୍ଦଳକୁ ନେଇ ଭୁବନେଶ୍ୱର ବିଜେଡି ଦୁଇଫାଳ ହୋଇଛି । ୨୦୨୪ ନିର୍ବାଚନରେ ବିଜେପି ସରକାର ଆସିବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ବିଶେଷ କରି ଏହି ଗୋଷ୍ଠୀ କନ୍ଦଳ ବିଏମସି କର୍ପୋରେଟରମାନଙ୍କ ଭିତରେ ଦେଖିବାକୁ ମିଳିଥିଲା ।
ବିଜେଡିର ସଂଖ୍ୟା ଗରିଷ୍ଠତା ବିଏମସିରେ ରହିଥିଲେ ମଧ୍ୟ ବିଜେଡି କର୍ପୋରେଟରମାନେ ଏକାଠି ସ୍ୱରକୁ ଶାଣିତ ନକରି ନିଜ ଭିତରେ ତୁ ତୁ ମେ ମେ ହେବା ଆରମ୍ଭ କରିଦେଲେଣି । ଦୁଇ ଗୋଷ୍ଠୀ ହୋଇ ଜଣେ ଆର ଜଣଙ୍କ ଉପରେ ଆରୋପ ପ୍ରତ୍ୟାରୋପେ କରୁଥିବା ଦେଖିବାକୁ ମିଳିଛି । ଯାହା ବିଜେଡି ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି । ବିଶେଷ କରି ଦଳ ନିର୍ବାଚନ ହାରିବା ପରେ ମେୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବାବେଳେ ତାଙ୍କ ସହ ମାତ୍ର ୨୨ ଜଣ କର୍ପୋରେଟର ଥିବା ଦେଖିବାକୁ ମିଳିଥିଲା । ବିଏମସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦରେ ବିଜେଡି ବିପକ୍ଷରେ ବିଜେଡି ମନୋନୟନ ନିର୍ବାଚନରେ ଛିଡା ହେବା କଥା ବାହାରକୁ ଆସିବା ପରେ ଭୁବନେଶ୍ୱର ବିଜେଡିରେ ଫାଟ ଦେଖିବାକୁ ମିଳିଛି । ଆଉ ଭୁବନେଶ୍ୱର ବିଜେଡି ଦୁଇଫାଳ ହେବା ଚର୍ଚ୍ଚାକୁ ବେଶ ଖୋରାକ ଯୋଗାଇଛି ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ପ୍ରତିକ୍ରିୟା । ବିଜେଡିକୁ ଦୁଇଜଣ ବିଭୀଷଣ ଦୁଇଫାଳ କରୁଥିବା ମନ୍ତବ୍ୟ ପରେ ଏହି ଚର୍ଚ୍ଚା ଜୋର ଧରିଛି ।