ଭୁବନେଶ୍ବର: କଣାସରେ ଡାଇରିଆରେ 4 ମୃତ୍ୟୁ ଘଟଣା । ପୁନର୍ବାର ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି । ନୂଆ ସରକାର ଆସିବା ପରେ ପାନୀୟ ଜଳ ପ୍ରକଳ୍ପ କାମ ବନ୍ଦ ବୋଲି ବିଜେଡି ଅଭିଯୋଗ କରିଛି । ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସୁବିଧା ଓ ପାନୀୟ ଜଳ ତୁରନ୍ତ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା ଓ ପୂର୍ବତନ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଚିଲିକାର ଜୈବ ବିବିଧତା ବିପଦରେ ଥିବାବେଳେ 5 ଟି ନଦୀର ଜଳ ପ୍ରଦୂଷିତ ହେବା ସହିତ ଚିଲିକା ମଧ୍ୟ ପ୍ରଭାବିତ ବୋଲି କହିଛି ଦଳ ।
ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ୍:
ସଞ୍ଜୟ ଦାସବର୍ମା କହିଛନ୍ତି, "ବର୍ଜ୍ୟ ଜଳ ମିଶି ୫ଟି ନଦୀର ଜଳ ପ୍ରଦୂଷିତ ହେବା ସହିତ ଚିଲିକା ହ୍ରଦର ଜଳ ମଧ୍ୟ ପ୍ରଦୂଷିତ ହେଉଛି । ପ୍ରଦୂଷିତ ଜଳ ମିଶିବା କାରଣରୁ ଚିଲିକାର ଜୈବ ବିବିଧତା ପ୍ରଭାବିତ ହେଉଛି । ଏହା ସହିତ ଚିଲିକା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ । ଚିଲିକାର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ଡଲଫିନ ଓ ବିଦେଶାଗତ ପକ୍ଷୀମାନଙ୍କ ଉପରେ ବିପଦ ସୃଷ୍ଟି ହୋଇଛି । ଭୁବନେଶ୍ୱର ଉପକଣ୍ଠରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା ସ୍ଥଳରୁ ବର୍ଜ୍ୟ ଜଳ ଗଙ୍ଗୁଆ ନଦୀରେ ମିଶୁଛି । ଗଙ୍ଗୁଆର ପ୍ରଦୂଷିତ ଜଳ ପରେ ମକରା, ରାଜୁଆ, ଭାର୍ଗବୀ, ରତ୍ନଚିରା ଓ ଲୁଣା ନଦୀରେ ମିଶୁଛି । ଏହି ନଦୀର ଜଳ ଚିଲିକାରେ ମିଶୁଥିବାରୁ, ଚିଲିକାର ଜଳ ପ୍ରଦୂଷିତ ହେଉଛି ।
ସେ ଆହୁରି କହିଛନ୍ତି, ‘ଦୟା ନଦୀର ପ୍ରଦୂଷିତ ଜଳକୁ ପିଇବା ଦ୍ୱାରା କଣାସ ଅଞ୍ଚଳରେ ଡାଇରିଆ ବ୍ୟାପିଛି । ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣ ସଙ୍କଟାପନ୍ନ ସ୍ଥିତିରେ ଅଛନ୍ତି । ୨୫୦ ଲୋକ ଆକ୍ରାନ୍ତ ହୋଇଛନ୍ତି । ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ । ଘଟଣାକୁ ୧୦ ଦିନ ପରେ ଗତକାଲି ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏକ ବିଶେଷଜ୍ଞ ମେଡିକାଲ ଟିମ ପଠାଇବା ସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ । ଦୟା, ମକରା, ରାଜୁଆ, ଭାର୍ଗବୀ, ରତ୍ନଚିରା, ଲୁଣା ଓ ମଙ୍ଗଳା ନଦୀରେ ସୃଷ୍ଟି ହୋଇଥିବା ପ୍ରଦୂଷଣକୁ କିଭଳି ରୋକା ଯାଇପାରିବ, ସେଥିପାଇଁ ତୁରନ୍ତ ଅନୁଧ୍ୟାନ କରାଯାଉ ।"
ଜୈବ ବିବିଧତା ନଷ୍ଟ ଆଶଙ୍କା:
ଏହା ବି ପଢନ୍ତୁ...କଣାସ ଝାଡ଼ାବାନ୍ତି ବ୍ୟାପିବା ପଛରେ ଦୟା ନଦୀ ! ଖୋଲା ଚେତାବନୀ ଦେଲେ ଗାଁଲୋକେ
ଏହା ବି ପଢନ୍ତୁ...କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ସରକାରଙ୍କୁ BJDର ଟାର୍ଗେଟ୍, କାଉଣ୍ଟର କଲା BJP
'ଗଙ୍ଗୁଆ ନଦୀ ଗଙ୍ଗୁଆ ନାଳରେ ପରିଣତ'
ସେହିପରି ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ମେଗା ପାନୀୟ ଜଳ ପ୍ରକଳ୍ପ । ପ୍ରକଳ୍ପ ମାଧ୍ୟମରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପୁରୀ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ପ୍ରାୟ ୮୦ ପ୍ରତିଶତ କାମ ଶେଷ ହୋଇଯାଇଥିଲା । ନୂଆ ସରକାର ଆସିବା ପରେ ଏହି କାମ ଗୁଡିକ ବନ୍ଦ ରହିଛି । ଏହି କାମ ଗୁଡିକୁ ତୁରନ୍ତ ଆରମ୍ଭ କରି ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଉ । ପିପିଲି, ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଥିବା ୧୫ଟି ପଞ୍ଚାୟତ ଦୟା ନଦୀ ଉପରେ ନିର୍ଭର କରନ୍ତି । ଦୁଃଖର ବିଷୟ ଗଙ୍ଗୁଆ ନଦୀ ବର୍ତ୍ତମାନ ଗଙ୍ଗୁଆ ନାଳରେ ପରିଣତ ହୋଇଛି । ଗଙ୍ଗୁଆର ପ୍ରଦୂଷିତ ଜଳ ଦୟା ଓ ଅନ୍ୟ ନଦୀ ଗୁଡିକୁ ପ୍ରଦୂଷିତ କରୁଛି । ଲୋକଙ୍କ ସମସ୍ୟା ପ୍ରତି ନୂଆ ସରକାର ଉଦାସୀନ ରହିଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର