ଭୁବନେଶ୍ବର: ଯୁବ କଂଗ୍ରେସର ଯୁବ ଅସନ୍ତୋଷ ସମାବେଶ । ୮ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କଲା ଯୁବ କଂଗ୍ରେସ । ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରିଛି ଦଳ । ଜାତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଉଦୟ ଭାନୁ ଚିଭଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ଘେରାଉ କରିଛି ଯୁବ କଂଗ୍ରେସ ।
- କଂଗ୍ରେସର ପ୍ରତିବାଦ:
ଜାତୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିଭ କହିଛନ୍ତି,"ରାଜ୍ୟର ବିଜେପି ସରକାର ଶାସନରେ ପ୍ରତାରିତ ହେଉଛନ୍ତି ଯୁବକ । ଦେଶରେ ୨ କୋଟି ଯୁବକଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମୋଦି ସରକାର । କିନ୍ତୁ ତାହା ମିଳିଲା ନାହିଁ । ଚାକିରିରୁ ଯୁବକଙ୍କୁ ଚଟେଇ କରାଯାଇଛି । ବେରୋଜଗର ବଢୁଛି । ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନ ଶୃଙ୍ଖଳା । ଦିନରେ ରାଜଧାନୀରେ ମୁଣ୍ଡ ଗଡୁଛି । ରାଜ୍ୟରେ ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ଶାସନକୁ ଆସିବା ପରେ ଚିଟଫଣ୍ଡ ଅର୍ଥ ଫେରସ୍ତ ହେବ ବୋଲି ବିଜେପି କହିଥିଲା, ତାହା ମଧ୍ୟ ପୂରଣ ହୋଇନାହିଁ । ଏହାକୁ ବିରୋଧ କରି ଯୁବ କଂଗ୍ରେସ ଏହି ଘେରାଉ କାଜ୍ୟକ୍ରମ ଆୟୋଜନ କରିଛି ।"
- ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ :
ପ୍ରଥମେ କଂଗ୍ରେସ ଭବନରେ ସଭା ତା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି । କଂଗ୍ରେସ ଭାବନରୁ ବାହାରି ଲୋୱାର ପିଏମଜି ଆଡକୁ ଅଗ୍ରସର ହୋଇଥିଲେ ଯୁବ କଂଗ୍ରେସ ନେତା ଓ କର୍ମୀ। ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟ ଭାନୁ ଚିଭ ଏକ କଣ୍ଢେଇ ପିତୁଳା ଧରି ମୁଖ୍ୟମନ୍ତ୍ରୀଙ୍କୁ ଇଶାରା କରିଥିଲେ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଡକୁ ଯିବାକୁ ବାରଣ କରିଥିଲା ପୋଲିସ । ଶହ ଶହ ସଂଖ୍ୟାରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲେ। କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ରାଉତ, ଲିପିକା ମାଝୀ, ୟାଶୀର ନୱାଜ, ରଞ୍ଜିତ ପାତ୍ର , ପୃଥୀବଲ୍ଲଭ ପଟ୍ଟନାୟକ ଯୋଗ ଦେଇଥିଲେ ।
- ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍:
ଜାତୀୟ ଯୁବ କଂଗ୍ରେସ ସଭାପତି ଆହୁରି କହିଛନ୍ତି, "ମନ୍ଦିରମାଳିନୀ ସହରକୁ ଆସି ମୁଁ ବହୁତ ଖୁସି । ରାଜ୍ୟ ସରକାର ଯୁବକଙ୍କୁ ଧୋକା ଦେଇଛନ୍ତି । ଓଡ଼ିଶାରେ ଯୁବ କଂଗ୍ରେସ ଜୁ ଏକଜୁଟ ହେବାର ଆବଶ୍ୟକତା ରହିଛି । ରାଜ୍ୟରେ ରିମୋଟ କଣ୍ଟ୍ରୋଲ ସରକାର ଚାଲିଛି। ଦିଲ୍ଲୀ ନେତାଙ୍କ ନିର୍ଦ୍ଦେଶରେ ଚାଲିଛି ସରକାର । ଆଦାନୀର ଗୁଜୁରାଟ ପୋଟରେ ଡ୍ରଗ୍ସ ଧରା ପଡୁଛି । କିନ୍ତୁ ମୋଦି ସରକାର ତାଙ୍କୁ ସହଯୋଗ କରୁଛନ୍ତି । ବିଭିନ୍ନ ଦେଶରେ ଆଦାନୀଙ୍କୁ ବ୍ଲକ ଲିଷ୍ଟ କରିସାରିଲେଣି, ହେଲେ ମୋଦି ଭୟ କରୁଛନ୍ତି ।" ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ରାଜ୍ୟବାସୀ ଜାଣିସାରିଲେଣି । ବିଜେପି ସରକାର ଆସିବା ପରେ ସେମାନେ ପଶ୍ଚାତାପ କରୁଛନ୍ତି ।"
ଏହା ବି ପଢନ୍ତୁ... |
- ବିଜେପିର ଜବାବ:
ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, "ପରିଚୟ ସଙ୍କଟରୁ ମୁକ୍ତି ପାଇବାକୁ ଏବଂ ଦଳରେ ଥିବା ଅସନ୍ତୋଷକୁ ଜାହିର କରିବାକୁ ଯୁବ ଅସନ୍ତୋଷ ସମାବେଶ କରୁଛି କଂଗ୍ରେସ । କାର୍ଯ୍ୟକ୍ରମ ଜରିଆରେ ପରିଚୟ ସଙ୍କଟ ଦୂର କରିବାକୁ ପ୍ରୟାସ । ସମାବେଶ ନୁହେଁ, ପାଳି ତୁଲେଇବା ନାଁରେ କାର୍ଯ୍ୟକ୍ରମ। ଓଡ଼ିଶାରେ କଂଗ୍ରେସ ବ୍ରାଞ୍ଚକୁ ବନ୍ଦ କରିଦେଇଛି AICC । ଏଠାରେ ସଭାପତି ନାହାନ୍ତି କି କାର୍ଯ୍ୟକାରୀ କମିଟି ନାହିଁ । ଯୁବ ଅସନ୍ତୋଷ ସମାବେଶ ପୂର୍ବରୁ ଯୁବର ସଂଜ୍ଞା ସ୍ଥିର କରୁ କଂଗ୍ରେସ । 52 ବର୍ଷରେ ରାହୁଲ ଗାନ୍ଧୀ ଯୁବ ନେତା କହୁଛନ୍ତି ତାଙ୍କ ପାଇଁ ଅନେକ ଯୁବ ନେତୃତ୍ୱକୁ ହତ୍ୟା କରିଛି କଂଗ୍ରେସ । ତାଙ୍କ ଦଳରେ ନୂଆପିଢ଼ି ନାହାନ୍ତି । କଂଗ୍ରେସ ଆଗ ସ୍ପଷ୍ଟ କରୁ ସେମାନେ ଓଡ଼ିଶାରେ ବନ୍ଦ ନା କାର୍ଯ୍ୟକାରୀ ଅଛନ୍ତି । କଂଗ୍ରେସ 55 ବର୍ଷରେ ଯାହା କରିନି, ମୋହନ ସରକାର 5 ବର୍ଷରେ ଅଧିକ କାମ କରିବ ।
ଇଟିଭି ଭାରତ, ଭୁବନେଶ୍ବର