ବ୍ରହ୍ମପୁର: ଛୁଟିରେ ଘରକୁ ଆସି ଫେରୁଥିବା ବେଳେ ଅଧାରାସ୍ତାରୁ ଓଡିଆ ନୌସେନା ଅଧିକାରୀ ନିଖୋଜ । ନିଖୋଜ ନୌଅଧିକାରୀ ହେଉଛନ୍ତି ବ୍ରହ୍ମପୁର ସହରର ଟାଉନଥାନା ଅନ୍ତର୍ଗତ ଗେଟବଜାର ଅଞ୍ଚଳର ୨୫ ବର୍ଷୀୟ ସୌରଭ କୁମାର ପାତ୍ର । ଏନେଇ ତାଙ୍କ ପରିବାର ପକ୍ଷରୁ ବ୍ରହ୍ମପୁର ଟାଉନ ଥାନାରେ ଏତଲା ଦିଆଯାଇଛି । ପୋଲିସ ନୌସେନା ସହ ଯୋଗାଯୋଗ କରୁଛି ।
- ଛୁଟି କାଟି କୋଚି ଫେରୁଥିଲେ
ସୌରଭ କୁମାର ପାତ୍ର ୨୦୧୯ ରୁ କେରଳ କୋଚି ସ୍ଥିତ ଦକ୍ଷିଣ ନୌସେନା କମାଣ୍ଡରେ କାର୍ଯ୍ୟରତ ଅଛନ୍ତି । ସେ ଗତ ଡିସେମ୍ବର ୨୫ ତାରିଖରେ ଛୁଟିରେ ଘରକୁ ଆସିଥିଲେ । ପରିବାର ସହ ଏକ ଭୋଜିରେ ଯୋଗ ଦେବା ପାଇଁ ସୌରଭ ବ୍ରହ୍ମପୁର ଆସିଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଛୁଟି ଶେଷ ହେବା ପରେ ଚଳିତମାସ (ଜାନୁଆରୀ) ୧୯ ତାରିଖ ବ୍ରହ୍ମପୁର ରେଳ ଷ୍ଟେସନରୁ ବିଶାଖାପାଟନମ ଅଭିମୁଖେ ବାହାରିଥିଲେ । ବିଶାଖାପାଟନମରେ ପହଞ୍ଚିବା ପରେ ସେଠାରୁ ବିମାନ ଯୋଗେ କେରଳର କୋଚିରେ ପହଞ୍ଚିବା ପାଇଁ ଟିକେଟ୍ କରିଥିଲେ । ହେଲେ ଇଚ୍ଛାପୁର ପରେ ତାଙ୍କ ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା । ପରିବାର ସଦସ୍ୟ ବାରମ୍ବାର ପ୍ରୟାସ କରିବା ସତ୍ତ୍ବେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା । ପରେ ସୌରଭ କୋଚିରେ ମଧ୍ୟ ପହଞ୍ଚିନଥିବା ପରିବାର ସଦସ୍ୟ ଜାଣିବା ପରେ ପୋଲିସରେ ଦ୍ବାରସ୍ଥ ହୋଇଥିଲେ । ଘଟଣାକୁ ଗୁରୁତର ସହ ସହିତ ନେଇ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ କରୁଥିବା ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ କହିଛନ୍ତି ।
- ଇଚ୍ଛାପୁର ସିସିଟିଭି ଫୁଟେଜ ଆଧାରରେ ଖୋଳତାଡ:
ବ୍ରହ୍ମପୁରରୁ ବିଶାଖାପାଟନମ ଯିବା ବେଳେ କେଉଁ ପରିସ୍ଥିତିରେ ସୌରଭ ଇଚ୍ଛାପୁର ରେଳ ଷ୍ଟେସନରେ ଓହ୍ଲାଇଲେ ତାହାକୁ ନେଇ ଖୋଳତାଡ କରାଯାଉଛି । ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରବଣା ବିବେକ.ଏମ କହିଛନ୍ତି," ମୋବାଇଲ ସୁଇଚ୍ ଅଫ୍ ହେବା ନେଇ ପରିବାରବର୍ଗଙ୍କଠୁ ଅଭିଯୋଗ ଆସିବା ପରେ ଇଚ୍ଛାପୁର ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାରୁ ମିଳିଥିବା ଭିଡିଓ ଆଧାରରେ ଆମେ ତଦନ୍ତ କରୁଛୁ । ଏନେଇ ପୋଲିସକୁ ଅନେକ ତଥ୍ୟ ମିଳିଛି । ରେଳ ଷ୍ଟେସନରୁ ବାହାରକୁ ବାହାରିବା ପାଇଁ ରହିଥିବା ସ୍ଥାନରୁ ମିଳିଥିବା ଭିଡିଓ ଫୁଟେଜରୁ ସୌରଭ ଏକ ଅଟୋ ଯୋଗେ ଯାଇଥିବା ସୁରାକ ମିଳିଛି ।"
- ବ୍ରହ୍ମପୁର ରେଳ ଷ୍ଟେସନର ନିକଟରୁ ମିଳିଲା ଭୋଟର ପରିଚୟପତ୍ର:
ବ୍ରହ୍ମପୁର ରେଳ ଷ୍ଟେସନର କିଛି ଦୂରରୁ ମିଳିଛି ନିଖୋଜ ହୋଇଥିବା ସୌରଭ କୁମାର ପାତ୍ରଙ୍କ ଭୋଟର ପରିଚୟପତ୍ର । ଏହି ଘଟଣାର ଅଧିକ ଖୋଳତାଡ କରିବାକୁ ବ୍ରହ୍ମପୁର ପୋଲିର ଟିମ ଇଚ୍ଛାପୁର ଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ । ଏପରିକି ଏହି ଘଟଣାରେ ଟେକ୍ନିକାଲ ଆନାଲେସିସ କରାଯାଉଥିବା ବେଳେ ଖୁବଶ୍ରୀଘ୍ର ପୋଲିସକୁ ତଦନ୍ତରେ ସଫଳତା ମିଳିବ ବୋଲି ଆଶା କରାଯାଉଛି ।
ଏହା ବି ପଢନ୍ତୁ... ନିଖୋଜ ଥିଲେ, ଅଖା ବସ୍ତାରୁ ମିଳିଲା ମୃତଦେହ କଥା କଟାକଟିରୁ ରକ୍ତାକ୍ତ କଲା ପ୍ରେମିକ, କୁର୍ଲା ଜଙ୍ଗଲରେ କ୍ରାଇମ ସିନ ରିକ୍ରିଏସନ |
- କୋଚି ନୌସେନା ବେସକୁ ଯୋଗାଯୋଗ କରୁଛି ପୋଲିସ
INS କୋଚିର ନୌସେନା ଅଧିକାରୀମାନଙ୍କ ସହିତ ଏନେଇ ଆଲୋଚନା କରିଛି ପୋଲିସ। ଗତ କିଛି ବର୍ଷ ଧରି ସେଠାରେ କାର୍ଯ୍ୟ କରିଆସୁଥିବା ସୌରଭଙ୍କ ବିଷୟରେ ପଚାରି ବୁଝିଛି ବ୍ରହ୍ମପୁର ପୋଲିସ । ସେପଟେ ସୌରଭରଙ୍କ ଭାଇ ସମୀର ପାତ୍ର କହିଛନ୍ତି, "ମୋ ଭାଇର ସେପରି କୌଣସି ଶତ୍ରୁ ନାହାନ୍ତି । ଆମେ ଅଭିଯୋଗ ଆଣିବା ପରେ ପୋଲିସ ପକ୍ଷରୁ ତଦନ୍ତ ମଧ୍ୟ ଚାଲିଛି ।"
ଇଟିଭି ଭାରତ, ବ୍ରହ୍ମପୁର