କୋରାପୁଟ:ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ହୋମ ଭୋଟିଂ । ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନଆସି ନିଜ ଘରୁ ମନ ପସନ୍ଦର ନେତା ବାଛିଛନ୍ତି । ଚାରୋଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ 'ଘରୁ ମତଦାନ' ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦେଶରେ ସାଧାରଣ ନିର୍ବାଚନରେ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବରିଷ୍ଠ ମତଦାତା ଓ ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ହୋମ ଭୋଟିଂ ବ୍ୟବସ୍ଥା କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ଶନିବାରଠାରୁ ଏହା ଆରମ୍ଭ ହୋଇଛି ।
ଏହି କ୍ରମରେ କୋରାପୁଟ ଜିଲ୍ଲାର ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ରହିଥିବା ବରିଷ୍ଠ ନାଗରିକ ଓ ୪୭ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ନାଗରିକଙ୍କ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ । ସେମାନଙ୍କୁ ଭୋଟ ଦେବାକୁ ଆଉ ମତଦାନ କେନ୍ଦ୍ରକୁ ଯିବାକୁ ପଡିବ ନାହିଁ । ପୋଲିସ ଅଫିସରଙ୍କ ସହ ପୁଲିଂ ପାର୍ଟି, ମାଇକ୍ରୋ ଅବଜର୍ବଭର, ଏଜେଣ୍ଟ ଓ ଇଭିଏମ କମିଶନିଂ ଅଫିସର ଘର ଘର ବୁଲି ଭୋଟ ସଂଗ୍ରହ କରିଛନ୍ତି । ଶନିବାର ଦିନ ଏହି ପ୍ରକ୍ରିୟାରେ ବି. ଅନ୍ନପୂର୍ଣ୍ଣାଙ୍କ ଭଳି 103 ବର୍ଷୀୟା ବୃଦ୍ଧା ସାମିଲ ହୋଇଛନ୍ତି । ଜଣେ ଭୋଟର ଯଦି ପ୍ରଥମ ଥରରେ ମତଦାନ ସାବ୍ୟସ୍ତ କରି ନପାରେ ତେବେ ତାଙ୍କୁ ଦ୍ବିତୀୟ ଥର ମତଦାନ କରିବାକୁ ସୁଯୋଗ ଦିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି. ଭାସନ କହିଛନ୍ତି ।