ଭୁବନେଶ୍ବର:‘FAQ’ ମାନର ଧାନ ସଂଗ୍ରହ ନାଁ ରେ କଟନୀ-ଛଟନୀ ହେଉଛି । ମଣ୍ଡିରେ ପ୍ରାୟ 4ରୁ 5 କେଜି ଧାନ କଟନୀ ଛଟନୀ ହେଉଥିବା ବେଳେ ଗୋଟେ ଅଧେ କାର୍ଯ୍ୟାନୁଷ୍ଠାନ ହେଉଥିବା ଅଭିଯୋଗ ହେଉଛି । ଫଳରେ ଚାଷୀଙ୍କ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ସରକାର କଟନୀ ଛଟନୀକୁ ନା କହିଥିବା ବେଳେ FAQ ମାନର ଧାନ ଲୋଡ଼ା ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
- FAQ ନାମରେ 10 କେଜି କାଟୁଛନ୍ତି: ବିଜେଡି
ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି,"ବିଜେପି ସରକାର କଟନୀ ଛଟନୀର ସରକାର । ଗତବର୍ଷ ତୁଳନାରେ କମ ଧାନ ଉଠିଛି । ଉତ୍ପାଦନରୁ କମ ଧାନ ଦେବା ପାଇଁ ଚାଷୀଙ୍କ ପାଖକୁ ଟୋକେନ୍ ଯାଇଛି । 3100 ଟଙ୍କା ଦେବା କଥା କହୁଥିବା ବେଳେ ଉତ୍ପାଦନ ଧାନର ପରିମାଣ କମ ସଂଗ୍ରହ କରୁଛନ୍ତି ସରକାର । FAQ ନାମରେ 10 କେ.ଜି ପର୍ଯ୍ୟନ୍ତ କଟନୀ ଛଟନୀ ହେଉଛି । ଡବଲ ଇଞ୍ଜିନ ସରକାର FAQ ଆଳ କାହିଁକି ଦେଖାଉଛନ୍ତି ? FAQ ନାଁ' ଲୋକଙ୍କୁ ହଇରାଣ ଓ କଟନୀ ଛଟନୀ କରିବା ଅବାସ୍ତବ । ଏହା ଚାଷୀଙ୍କୁ ଭଣ୍ଡେଇବାର କାର୍ଯ୍ୟକ୍ରମ । ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ମଧ୍ୟ ଧାନ ଉଠି ପାରିବନାହିଁ । ମନ୍ତ୍ରୀଙ୍କର ଦୂରଦୃଷ୍ଟି ନଥିବାରୁ ଏହା ହେଉଛି ।"
- ମନ୍ତ୍ରୀ କେତେବେଳେ କଣ କହୁଛନ୍ତି, ସେ ନିଜେ ଜାଣନ୍ତି ନାହିଁ: କଂଗ୍ରେସ
କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି,"ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେତେବେଳେ କଣ କହୁଛନ୍ତି, ସେ ନିଜେ ବୁଝିପାରୁ ନାହାନ୍ତି । କେତେବେଳେ ଠନ ଠନ ଧାନ ଦିଅ, ଠନ ଠନ ଟଙ୍କା ନିଅ କହୁଛନ୍ତି । ଆଉ କେଉଁଠି କହୁଛନ୍ତି, କଟନୀ ଛଟନୀ ହେବନାହିଁ । ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କଟନୀ ଛଟନୀ ହେଉଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି । ବଲାଙ୍ଗିରର ଅନେକ ସ୍ଥାନରେ କଟନୀ ଛଟନୀ ହେଉଛି । 4ରୁ 5 କେଜି କଟନୀ ଛଟନୀ ହେଉଛି । ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି, କିନ୍ତୁ ପଦକ୍ଷେପ ନାହିଁ । ଅଖା ନାଁ'ରେ ବଦମାସୀ ହେଉଛି । ଜରି ଓ ପ୍ଲାଷ୍ଟିକ ଅଖାରେ ଧାନ ଆଣିଲେ, ମିଲର ନେଉନାହାନ୍ତି ।’’
- କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ: ଯୋଗାଣ ମନ୍ତ୍ରୀ
ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "କଟନୀ ଛଟନୀ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟନୀ ଛଟନୀ ଆଦୌ ନକରିବା ସରକାରଙ୍କ ଉଦେଶ୍ୟ । କିନ୍ତୁ FAQ ମାନର ଧାନ ଲୋଡ଼ା । FAQ ମାନର ଧାନ ଆଣିଲେ, କଟନୀ ଛଟନୀ ହେବନାହିଁ । FAQ ମାନର ଧାନ ନଆଣିବାରୁ ସମସ୍ୟା ହେଉଛି । ସେ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଉଛନ୍ତି । କିନ୍ତୁ କଟନୀ ଛଟନୀକୁ ଆମେ ସମ୍ପୂର୍ଣ୍ଣ ଭାବେ NO କହିଛୁ । ଯେଉଁଠି କଟନୀ ଛଟନୀଅଭିଯୋଗ ଆସୁଛି ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ । ଧାନ କାହାକୁ ବିକିବା ଲାଗି ସରକାର ମନା କରିପାରିବେ ନାହିଁ । ଯେଉଁ ମାନେ FAQ ମାନର ଧାନ ନେଇ ମଣ୍ଡି ଆସିବେ, ଆମେ 3100 ଟଙ୍କା ଦେବୁ ବୋଲି କହିଛୁ ।
ଏହା ମଧ୍ୟ ପଢନ୍ତୁ:- 'ମିଲରଙ୍କ ମନମାନିକୁ ପ୍ରଶୟ ଦିଆଯିବ ନାହିଁ, FAQ ମାନର ଧାନ ଆଣନ୍ତୁ ଚାଷୀ' ଟୋକନ ମିଳିଥିଲେ ସୁଦ୍ଧା ଉଠିପାରୁନି ଧାନ, ମଣ୍ଡି ସମ୍ମୁଖରେ ଚାଷୀଙ୍କ ରାସ୍ତାରୋକ |
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଯଦି କେହି ଧାନ ମଣ୍ଡି ବାହାରେ ଆଉ କାହାକୁ ବିକିବ ସେ କଥା ସରକାର ମନା କରିପାରିବେ ନାହିଁ । ଲୋକ ନିଜ ଇଚ୍ଛାରେ ବାହାରେ ଅଧିକ କିମ୍ବା କମ ଦାମରେ ଧାନ ବିକୁଛନ୍ତି । ସେଇଟା ତାଙ୍କ ସମ୍ପତ୍ତି, ସେ ବିକିଲା ଆମେ ମନା କରିପାରିବୁ ନାହିଁ । କଟନୀ ଛଟନୀ ପାଇଁ ବାଧ୍ୟ କରୁଥିବା ମିଲର କିମ୍ବା ଏହାକୁ ପ୍ରସୟ ଦେଉଥିବା ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଢେଙ୍କାନାଳରେ ଧାନ ଉଠେଇବା ନେଇ ସମସ୍ୟା ଦେଖା ଦେଇଛି । ତେଣୁ ବୈଠକ ପାଇଁ ମିଲର ମାନଙ୍କୁ ଡ଼ାକିଛି । ସମସ୍ୟା ଶୁଣିବା ପରେ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେବି ।"
- ଇଟିଭି ଭାରତ, ଭୁବନେଶ୍ବର