ସମ୍ବଲପୁର: ମା' ସମଲେଶ୍ବରୀଙ୍କ ପ୍ରସାଦରୁ ଭକ୍ତ ଆଉ ବଞ୍ଚିତ ହେବେନାହିଁ । ଏଣିକି ମନ୍ଦିରରେ ମିଳିବ ପ୍ରସାଦ । ଏଥିପାଇଁ ମନ୍ଦିରର ନୂତନ ଭୋଗ ମଣ୍ଡପ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ ସମୟରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏହି ଭୋଗ ମଣ୍ଡପ ବନ୍ଦ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ସମଲେଇ ପ୍ରକଳ୍ପ ପାଇଁ ଏହା କାର୍ଯ୍ୟକ୍ଷମ ହୋଇ ପାରିନଥିଲା । ତେବେ ଆଜି ଏହି ଭୋଗ ମଣ୍ଡପକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି ।
- ଖୋଲିଲା ମା' ସମଲେଶ୍ଵରୀ ମନ୍ଦିର ଭୋଗ ମଣ୍ଡପ:
ମା' ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ସୂଚନା ଅନୁସାରେ, ଗତ କୋଭିଡ ସମୟରୁ ସମଲେଶ୍ଵରୀ ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ଅନ୍ନ ଭୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିଲା । କୋଭିଡ ପରେ ସମଲେଇ ପ୍ରକଳ୍ପରେ ମା' ସମଲେଶ୍ଵରୀ ମନ୍ଦିର ବିକାଶ ପାଇଁ ଭୋଗମଣ୍ଡପକୁ ଭଙ୍ଗା ଯାଇଥିଲା । ସେହି ସମୟରୁ ଭୋଗମଣ୍ଡପ ନଥିବାରୁ ମା' ସମଲେଶ୍ଵରୀଙ୍କ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଅନ୍ନଭୋଗ ପାଇ ପାରୁନଥିଲେ । ଅନ୍ୟପକ୍ଷରେ ମନ୍ଦିରରେ ଭୋଗମଣ୍ଡପ ନିର୍ମାଣ ହୋଇ ଭକ୍ତଙ୍କ ପାଇଁ ଅନ୍ନଭୋଗ ଦେବାକୁ ବହୁଦିନରୁ ଦାବି ହୋଇଆସୁଥିଲା । ପରେ ମନ୍ଦିରଠାରେ ଭୋଗ ମଣ୍ଡପ ନିର୍ମାଣ ହେବା ସହ ଏହି କାର୍ଯ୍ୟ ଶେଷ ହୋଇ ଆଜି ଏହାକୁ ଉଦଘାଟନ କରାଯାଇଛି । ଏହାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି । ଏହା ଫଳରେ ମା' ସମଲେଶ୍ଵରୀଙ୍କ ଦର୍ଶନ କରିବାକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରରୁ ହଜାର ହଜାର ଭକ୍ତ ଏଣିକି ମା'ଙ୍କ ମନ୍ଦିରରେ ଅନ୍ନ ଭୋଗ ପାଇପାରିବେ ।
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ପୁନଃ ପ୍ରଚଳନ ହେବା ଅବସରରେ ପ୍ରସାଦ ସେବନରେ ସାମିଲ ହେବା ମୋର ବଡ଼ ସୌଭାଗ୍ୟ । ଏଥିପାଇଁ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ । pic.twitter.com/lRebd4OTGQ
— Dharmendra Pradhan (@dpradhanbjp) January 18, 2025
- ମହାନଦୀ ରିଭରଫ୍ରଣ୍ଡ ଓ ହୀରାକୁଦ ପର୍ଯ୍ୟଟନ ସ୍ଥଳର ହେବ ବିକାଶ:
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା' ସମଲେଶ୍ଵରୀଙ୍କ ଦର୍ଶନ ମଧ୍ୟ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, "ମା' ସମଲେଶ୍ବରୀଙ୍କ ପ୍ରସାଦ ପାଇ ଆଜି ଆମେ ସୌଭାଗ୍ୟବାନ ହେଲୁ । କୋଭିଡ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ମା'ଙ୍କ ମନ୍ଦିରରେ ପ୍ରସାଦ ବ୍ୟବସ୍ଥା ବନ୍ଦ ଥିଲା । ଆଜି ଆଉଥରେ ମନ୍ଦିର ପରିଚାଳନା ବ୍ୟବସ୍ଥା ତରଫରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସମର୍ପିତ କରାଗଲା । ଭକ୍ତ ଏଣିକି ମା' ସମଲେଶ୍ଵରୀଙ୍କ ଦର୍ଶନ ସହ ପ୍ରସାଦ ମଧ୍ୟ ପାଇପାରିବେ । ଏଥିସହ ଖୁବଶୀଘ୍ର ସମଲେଇ ପ୍ରକଳ୍ପରେ ସମଲେଶ୍ଵରୀ ମନ୍ଦିର ଦ୍ୱିତୀୟ ପର୍ଯ୍ୟାୟ ବିକାଶ କାର୍ଯ୍ୟ ଆରମ୍ଭ ହେବ । ମା' ସମଲେଇ ପ୍ରକଳ୍ପକୁ ଆଖି ଆଗରେ ରଖି ମହାନଦୀ ରିଭରଫ୍ରଣ୍ଟ ଓ ହୀରାକୁଦ ପର୍ଯ୍ୟଟନସ୍ଥଳୀର ଅଧିକ ବିକାଶ ନେଇ କାର୍ଯ୍ୟ କରାଯିବ ।"
ତେବେ ମା' ସମଲେଶ୍ଵରୀ ମନ୍ଦିରର ନୂତନ ଭୋଗ ମଣ୍ଡପ ଉଦଘାଟନ କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସପି ମୁକେଶ ଭାମୁ ମଧ୍ୟ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ସମ୍ବଲପୁର