ଭୁବନେଶ୍ବର: ଆଜି ଥିଲା ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନର ଦ୍ବିତୀୟ ତଥା ଉଦଯାପନୀ ଦିବସ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଏହି ତୃତୀୟ କାର୍ଯ୍ୟକାଳ କ୍ଷମତା ଉପଭୋଗର ନୁହେଁ, ବରଂ ସ୍ବପ୍ନ ଓ ସଂକଳ୍ପର ହେବାକୁ ଯାଉଛି ବୋଲି ମୋଦି କହିଛନ୍ତି । ସେହିଭଳି ଆଗମୀ 5 ବର୍ଷରେ ଦେଶ ‘ବିକଶିତ ଭାରତ’ରେ ପରିଣତ ହେବାକୁ ଯାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସ୍ବପ୍ନ ସାକାର କରିବାକୁ ହେଲେ ଆଗାମୀ 100 ଦିନ ଅତି ଗୁରୁତ୍ବପୂର୍ଣ୍ଣ । ଏହି ଅବଧି ମଧ୍ୟରେ ପ୍ରତ୍ୟେକ ନୂଆ ଭୋଟର, ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀ, ପ୍ରତ୍ୟେକ ସମୂଦାୟ ନିକଟରେ ପହଞ୍ଚିବାକୁ ପଡିବ ବୋଲି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି ।
ତେବେ ରାଷ୍ଟ୍ରୀୟ ପରିଷଦ ବୈଠକରେ ସାମିଲ ହୋଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, "ଓଡିଶାରେ ବିଜେପି ସରକାର ହେବ ଏବଂ ଡବଲ ଇଞ୍ଜିନ୍ ସରକାର ହେବ । ଏହି ସଂକଳ୍ପ ନେଇ ଆମେ ଲୋକଙ୍କ ପାଖକୁ ଯିବୁ । କାରଣ ଦେଶର ୨୫ କୋଟି ଗରିବଙ୍କ ସଂଖ୍ୟା ପ୍ରଧାନମନ୍ତ୍ରୀ ମୋଦି କମାଇଛନ୍ତି । ଏହା ସାରା ବିଶ୍ବରେ ଚର୍ଚ୍ଚିତ ଉପଲବ୍ଧି । 'ଏଥର 400 ପାର', ଏହି ସ୍ଲୋଗାନରେ କାମ କରିବୁ । ଏହି ବାର୍ତ୍ତା ନେଇ ବିଜେପି ଭୋଟରଙ୍କ ପାଖରେ ପହଞ୍ଚିବ ।"