ଓଡିଶା

odisha

ETV Bharat / politics

ଚମ୍ପୁଆରୁ ପୁଣି ମୈଦାନକୁ ଓହ୍ଲାଇବେ ସନାତନ; ଦଳରେ ନଥାଇ ବି ଟିକେଟ ଦେଲା ବିଜେଡି - Assembly Election 2024 - ASSEMBLY ELECTION 2024

Sanatan Mahakud: କେନ୍ଦୁଝର ଚମ୍ପୁଆରୁ ବିଜେଡି ପ୍ରାର୍ଥୀ ହେବାପରେ ପ୍ରତିକ୍ରିୟା ରଖିଲେ ସନାତନ ମହାକୁଡ । କହିଲେ 2019ରୁ 24 ଯାଏଁ କିଙ୍ଗ୍‌ ମେକର ଥିଲି, 2024ରେ କିଙ୍ଗ୍‌ ହେବି । ସ୍ବାଧୀନ ଥିଲି, ଏବେ ଦଳରେ ବାନ୍ଧି ହେଲି । ତେଣୁ ଦଳ ଯାହା କହିବ କରିବି । ଅଧିକ ପଢ଼ନ୍ତୁ

Sanatan Mahakud
Sanatan Mahakud

By ETV Bharat Odisha Team

Published : Apr 20, 2024, 8:38 PM IST

Sanatan Mahakud

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନ ପାଇଁ ବିଜେଡି ଏଥର ସନାତନ ମହାକୁଡଙ୍କୁ ପ୍ରାର୍ଥୀ କରିଛି । ବିଜେଡିରେ ସେ ବିଧିବଦ୍ଧ ସାମିଲ ହୋଇନଥିଲେ ବି ଦଳ ତାଙ୍କୁ ଟିକେଟ ଦେଇଛି । କୌଣସି ଦଳରେ ସାମିଲ ହୋଇନଥିବାରୁ ସନାତନ ବିଜେଡି ନା ବିଜେପିର ପ୍ରାର୍ଥୀ ହେବେ ସେନେଇ ଚର୍ଚ୍ଚା ଲାଗି ରହିଥିଲା । ସନାତନ ଉଭୟ ବିଜେପି ଓ ବିଜେଡି ସହ ଯୋଗସୂତ୍ରରେ ଥିବା ଚର୍ଚ୍ଚା ହେଉଥିଲା । ରାଜନୈତିକ ବାଦ ଖଣି ଲବି ଓ ବିରୋଧ ଯୋଗୁଁ ସନାତନଙ୍କ ଟିକେଟ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିପାରୁନଥିଲା । କିନ୍ତୁ ଶେଷରେ ବିଜେଡି ସନାତନଙ୍କୁ ପ୍ରାର୍ଥୀ କରିଛି ।

2019 ନିର୍ବାଚନରେ ସନାତନ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବାର ଥିଲା । ତେଣୁ ନିର୍ବାଚନ ପୂର୍ବରୁ ସେ ନିଜେ ଗଠନ କରିଥିବା ଦଳକୁ ଭାଙ୍ଗି ଦେଇଥିଲେ । କିନ୍ତୁ ଗୋଟେ ଗୋଷ୍ଠୀର ପ୍ରବଳ ବିରୋଧ ଯୋଗୁଁ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । କିନ୍ତୁ ତାଙ୍କ ସମର୍ଥିତଙ୍କୁ ବିଜେଡି ଟିକେଟ ଦେବାରେ ସେ ସମର୍ଥ ହୋଇଥିଲେ । 2019ରେ ଚମ୍ପୁଆ ଆସନରେ ବିଜେଡି ଟିକେଟରେ ସନାତନ ସମର୍ଥିତ ମିନାକ୍ଷୀ ମହନ୍ତ 26 ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । କିନ୍ତୁ ଦଳ ଏଥର ପ୍ରାର୍ଥୀ ପରିବର୍ତ୍ତନ କରି ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କୁ ଭରସା କରିଛି । ଚଳିତ ନିର୍ବାଚନରେ ଚମ୍ପୁଆରୁ ସନାତନ ମହାକୁଡ ଓ କୁଶ ଆପାଟ ଟିକେଟ ପାଇଁ ଦାବିଦାର ରହିଥିଲେ । କୁଶ ଆପାଟଙ୍କୁ ଆଜି କେନ୍ଦୁଝର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ଦିଆଯାଇଛି ।

କୁଶ ଆପାଟ ମଧ୍ୟ 2009 ଓ 2014ରେ ସ୍ବାଧୀନ ଭାବେ ଲଢିଥିଲେ । ଉଭୟ ନିର୍ବାଚନରେ ସେ ହାରିଥିଲେ । ଏଥର ସେ ବିଜେଡିରେ ସାମିଲ ହୋଇ ଟିକେଟ ପାଇଁ ଆଶାୟୀ ରହିଥିଲେ । ଏହି ଆସନରୁ ସନାତନ ମହାକୁଡ 2009 ମସିହାରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । ସେ ମାତ୍ର 145 ଖଣ୍ଡ ଭୋଟରେ ସ୍ବାଧୀନ ପ୍ରାର୍ଥୀ ଜିତୁ ପଟ୍ଟନାୟକଙ୍କଠାରୁ ପରାସ୍ତ ହୋଇଥିଲେ । ଏହାପରେ 2014 ମସିହାରେ ସ୍ବାଧୀନ ଭାବେ ନିର୍ବାଚନ ଲଢି ବିଜୟୀ ହୋଇ ବିଧାୟକ ହୋଇଥିଲେ । ତେବେ 2019ରେ ନିର୍ବଚନ ଲଢିନଥିବାବେଳେ 2024ରେ ସେ ବିଜେଡିରୁ ପୁଣି ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ।

ଟିକେଟ ମିଳିବା ପରେ ସନାତନ ମହାକୁଡ଼ କହିଛନ୍ତି, "ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ । 2009ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ଜିତିଥିଲି । କିନ୍ତୁ ତାପରେ କଣ ହେଲା ସମସ୍ତେ ଜାଣିଛନ୍ତି । ତେଣୁ 2014ରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲି । ସ୍ବାଧୀନ ବିଧାୟକ ଭାବେ 15 ହଜାରରୁ ଅଧିକ ଭୋଟରେ ଜିତିଥିଲି । 2019ରେ ନିର୍ବାଚନ ଲଢ଼ିବାକୁ ଇଚ୍ଛା ଥିଲା, କିନ୍ତୁ ବହୁ ପ୍ରତିବନ୍ଧକ ଆସିଲା । ହୋଇଥିବା ଷଡ଼ଯନ୍ତ୍ର ଯୋଗୁଁ ମନୋବଳ ଭାଙ୍ଗି ଯାଇଥିଲା । ନିଜେ ଛିଡ଼ା ନହୋଇ ପ୍ରାର୍ଥୀ ଦେବାକୁ ବିଜେଡି ପକ୍ଷରୁ କୁହାଯାଇଥିଲା । କେନ୍ଦୁଝର ସାଂସଦ ଓ ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁଁ ଦେଇଥିଲି । ଜିଲ୍ଲାର ଅନ୍ୟ ବିଧାୟକଙ୍କୁ ଜିତାଇବାକୁ ବିଜେଡି ମୋତେ ଦାୟିତ୍ବ ଦେଇଥିଲା ।"

ସେ ଆହୁରି କହିଛନ୍ତି, "2024ରେ ନିର୍ବାଚନ ଲଢ଼ିବାକୁ ମନରୁ ଇଚ୍ଛା ଉଙ୍କି ମାରିଲା । ତେଣୁ ମୋ ଇଚ୍ଛା ଜାହିର କରିଥିଲି । ଦଳରେ ସାମିଲ ହେବାକୁ ମୋ କର୍ମୀମାନେ ଅନୁରୋଧ କଲେ । ତେଣୁ ବିଜେଡିରେ ସାମିଲ ହୋଇ ଟିକେଟ ନେବାକୁ ଆବେଦନ କରିଥିଲି । ବିଧାୟକ ନଥାଇ ବି ଗତ 5 ବର୍ଷରେ ଟ୍ରଷ୍ଟ ଓ ସରକାରଙ୍କ ସହଯୋଗରେ ଅନେକ କାର୍ଯ୍ୟ କରିଛି । ହସ୍ପିଟାଲ, ରାସ୍ତା ଓ ବ୍ରିଜ ହୋଇଛି । ପାନୀୟ ଜଳ ବ୍ୟବସ୍ଥା ନିଜସ୍ଵ ଟ୍ରଷ୍ଟ ତରଫରୁ କରିଛି । 2019ରୁ 2024 ଯାଏଁ କିଙ୍ଗ୍‌ ମେକର ଥିଲି । 2024ରେ କିଙ୍ଗ ହେବି । ସ୍ବାଧୀନ ଥିଲି ଯାହା ମନକୁ ଆସୁଥିଲା କହୁଥିଲି ଓ କରୁଥିଲି । ଏବେ ଦଳରେ ବାନ୍ଧି ହେଲି । ତେଣୁ ଏବେ ଦଳ ଯାହା କହିବ କରିବି । ଦଳ ଯାହା ଦାୟିତ୍ବ ଦେବ ସେହି ଅନୁସାରେ କାମ କରିବି ।"

ଏହା ମଧ୍ୟ ପଢ଼ନ୍ତୁ...ଷଷ୍ଠ ପର୍ଯ୍ୟାୟରେ 9ପ୍ରାର୍ଥୀ ଦେଲା BJD: ବଡଚଣାରୁ ବର୍ଷା, ଚମ୍ପୁଆରୁ ସନାତନ, କେନ୍ଦ୍ରାପଡ଼ାରୁ ଗଣେଶ୍ବର - BJD CANDIDATE LIST

ଚମ୍ପୁଆରେ ଏପର୍ଯ୍ୟନ୍ତ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି । ଏପର୍ଯ୍ୟନ୍ତ ବିଜେପି ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ତେବେ ଚମ୍ପୁଆରେ କାହା ସହ ମୋର ଲଢେଇ ହେବନାହିଁ, କାରଣ ସମସ୍ତେ ମୋ ଭାଇ ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ ସନାତନ । କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଥିବା 7 ବିଧାନସଭାରେ ଦଳର ପ୍ରାର୍ଥୀଙ୍କୁ ଜିତେଇବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି । ଚମ୍ପୁଆରେ ପ୍ରଚାର କାରିବାକୁ ପଡିବ ନାହିଁ, ବରଂ ଅନ୍ୟ ସ୍ଥାନରେ ପ୍ରଚାର କରିବି ବୋଲି କହିଛନ୍ତି ସନାତନ । ଖଣି ବ୍ୟବସାୟୀ, ଟ୍ରକ ସଂଘ, ମଜଦୂର ସଂଘ ସହ ସନାତନ ସିଧାସଳଖ ସମ୍ପର୍କ । ତେଣୁ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଓ ଆଖପାଖ ଜିଲ୍ଲାରେ ସନାତନଙ୍କ ପ୍ରଭାବ ରହିଛି । ଏହାର ଫାଇଦା ବିଜେଡି ନିର୍ବାଚନରେ ଉଠାଇବାକୁ ଚେଷ୍ଟା କରିବ ବୋଲି କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details