ସମ୍ବଲପୁର:ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ପରି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିବା ପରେ ଏଠାରେ ରାଜନୈତିକ ଲଢେଇ ରୋଚକ ହେବାରେ ଲାଗିଛି l ଏଠାରେ ପ୍ରସନ୍ନ ଆଚାର୍ଯ୍ୟ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ, କଂଗ୍ରେସର ପ୍ରାର୍ଥୀ ଆସଫ ଅଲ୍ଲୀ ଖାଁ ହୋଇଛନ୍ତି l ଅନ୍ୟପଟେ ବହୁ ଅପେକ୍ଷା ପରେ ବିଜେପି 2019ର ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି l ତେବେ ଦେବେନ୍ଦ୍ରଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସଂସଦୀୟ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ।
2019 ନିର୍ବାଚନରେ ବିଜେଡିର ରୋହିତ ପୂଜାରୀ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନରେ କଂଗ୍ରେସର ଆସଫ ଅଲ୍ଲୀ ଖାଁ ଓ ତୃତୀୟ ସ୍ଥାନରେ ବିଜେପିର ଦେବେନ୍ଦ୍ର ମହାପାତ୍ର ରହିଥିଲେ l ଏଭଳି ପରିସ୍ଥିତିରେ ଚଳିତ ନିର୍ବାଚନ ପୂର୍ବରୁ ଦେବେନ୍ଦ୍ରଙ୍କ ପ୍ରାର୍ଥୀତ୍ବକୁ ନେଇ ରେଢ଼ାଖୋଲର ବିଜେପି ନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା l ଏପରିକି ଜୁଯୁମୁରା ବ୍ଲକର କୃଷକ ମୋର୍ଚ୍ଚାର କେତେକ ସଦସ୍ୟ ନିଜ ପଦପଦବୀରୁ ଇସ୍ତଫା ମଧ୍ୟ ଦେଇଥିଲେ । ଏଭଳି ପରିସ୍ଥିତିରେ ଚଳିତ ନିର୍ବାଚନ ରେ ଦେବେନ୍ଦ୍ରଙ୍କ ନିର୍ବାଚନୀ ରାସ୍ତା କାଠିକର ହୋଇଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ପ୍ରାର୍ଥୀ ହୋଇଥିବାରୁ ଏହା ତାଙ୍କ ପାଇଁ ସହାୟକ ହୋଇପାରେ ବୋଲି ରାଜନୀତି ବିଶ୍ଳେଷକ କହୁଛନ୍ତି l ତେବେ ଏଥର କେବଳ ଧର୍ମେନ୍ଦ୍ରଙ୍କ ଯୋଗୁଁ ହିଁ ରେଢ଼ାଖୋଲ ଲଢେଇ ଦ୍ବିମୁଖୀ ବଦଳରେ ତ୍ରିମୁଖୀ ହେବ ବୋଲି ଚର୍ଚ୍ଚା ହେଉଛି l
ଗତ ନିର୍ବାଚନରେ ’ମୋଦିହାୱା’ ସତ୍ତ୍ବେ ଦେବେନ୍ଦ୍ର ରେଢ଼ାଖୋଲ ଆସନରେ ତୃତୀୟ ସ୍ଥାନରେ ରହିଥିଲେ l 2019 ରେ ବିଜେଡିର ଇଂ.ରୋହିତ ପୂଜାରୀ ବିଜୟୀ ହୋଇଥିବା ବେଳେ ରେଢ଼ାଖୋଲରେ ଭଲ ସଂଗଠନ ରଖିଥିବା କଂଗ୍ରେସର ଆସଫ ଅଲ୍ଲୀ ଖାଁ ଦ୍ଵିତୀୟ ସ୍ଥାନରେ ରହିଥିଲେ l ତେଣୁ ଏଥର ଦେବେନ୍ଦ୍ରଙ୍କୁ ପ୍ରାର୍ଥୀ କରାଯିବା ପରେ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା l ଅନ୍ୟପଟେ ରେଢ଼ାଖୋଲ ଅଞ୍ଚଳରେ ଭଲ ସଂଗଠନ ରଖିଥିବା ଅନ୍ୟତମ ଆଶାୟୀ ଗୋବିନ୍ଦ ଅଗ୍ରୱାଲ ମଧ୍ୟ ଦେବେନ୍ଦ୍ରଙ୍କ ପ୍ରାର୍ଥିତ୍ବକୁ ନେଇ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି l ରାଜନୀତି ବିଶ୍ଳେଷକଙ୍କ ମତରେ ରେଢ଼ାଖୋଲରେ ଗୋବିନ୍ଦ ଅଗ୍ରୱାଲ ଓ ପ୍ରମୋଦ ରଥଙ୍କ ପରି ଭଲ ସଂଗଠନ ରହିଥିବା ସତ୍ୱେ ଦେବେନ୍ଦ୍ରଙ୍କୁ ଟିକେଟ ମିଳିଛି l ଏଭଳି ସ୍ଥିତିରେ ଯଦି ଧର୍ମେନ୍ଦ୍ର ରେଢ଼ାଖୋଲ ବିଜେପିକୁ ସଂଗଠିତ ନକରୁଛନ୍ତି ଦେବେନ୍ଦ୍ରଙ୍କ ପାଇଁ ଏହି ନିର୍ବାଚନ ସହଜ ହୋଇ ନପାରେ ବୋଲି ରାଜନୈତିକ ବିଶ୍ଳେଷକ କହୁଛନ୍ତି l