ଭୁବନେଶ୍ବର/ବାଲେଶ୍ବର:ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ସେ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହା ପରେ ସେ ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି । ଦଳରେ କାର୍ଯ୍ୟ କରିବାର ଅବସର ଦେଇଥିବାରୁ ସେ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ମାତ୍ର ସେ କ’ଣ ପାଇଁ ବିଜେଡି ଛାଡୁଛନ୍ତି ସେ ସମ୍ପର୍କରେ କିଛି କାରଣ ସାମ୍ନାକୁ ନଆଣିବା ସହ ଆଗାମୀ ରାଜନୈତିକ ନିଷ୍ପତ୍ତି ନେଇ ମଧ୍ୟ କିଛି ସ୍ପଷ୍ଟ କରିନାହାନ୍ତି । ତେବେ ସେ ଭାରତୀୟ ଜନତା ପାର୍ଟି ସହ ଯୋଗାଯୋଗରେ ଥିବା ଓ ଆଜି ବିଜେପିରେ ସାମିଲ ହେବା ନେଇ ବିଭିନ୍ନ ସୂତ୍ରରୁ ଚର୍ଚ୍ଚା ହେଉଛି ।
ଭିଡିଓରେ ଜ୍ୟୋତି କହିଛନ୍ତି,‘‘ଦୀର୍ଘ ଦିନର ବିଜେଡ଼ି ସହ ମୋର ଓ ମୋ ପରିବାରର ସମ୍ପର୍କ । ମୋ ବାପା ପର୍ଶୁରାମ ପାଣିଗ୍ରାହୀ ବିଜୁ ପଟ୍ଟନାୟକଙ୍କ ସହ 40 ବର୍ଷ ଓ ମୁଁ ବିଜୁ ଜନତା ଦଳରେ 10ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କାର୍ଯ୍ୟ କରିଛି । ଲୋକଙ୍କ ସେବା କରିବା ଲାଗି ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି । ସିମୁଳିଆ-ଖାଇରାର ଜନସାଧାରଣଙ୍କ ଲାଗି ଏହି ପରିବାର ଉତ୍ସର୍ଗୀକୃତ । ପୂର୍ବରୁ ଲୋକଙ୍କ ଲାଗି କାର୍ଯ୍ୟ କରିଥିଲି । ଆଗକୁ ମଧ୍ୟ କରିବି ।’’
ଏଥର ସୁଭାସିନୀ ସାହୁଙ୍କୁ ଟିକଟ ଦେଇଛି:-
ଚଳିତ ନିର୍ବାଚନ ସିମୁଳିଆରେ ବିଜେଡି ପରିବାରବାଦ ପ୍ରଶୟ ଦେଇନି । ପାଣିଗ୍ରାହୀ ପରିବାର ପରିବର୍ତ୍ତେ ନୂଆ ପ୍ରାର୍ଥୀ ଦେଇଛି ଦଳ । ଏହି ନିଷ୍ପତ୍ତି ଆଧାରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଟିକଟ କାଟି ଦେଇଥିଲା ବିଜେଡି । ଏଠାରେ ଦଳ ସୁଭାସିନୀ ସାହୁଙ୍କୁ ଟିକଟ ଦେଇଛି । ଏହା ପରେ ଜ୍ୟୋତି ଏକପ୍ରକାର ରାଜନୈତିକ କାର୍ଯ୍ୟକ୍ରମରୁ ଦୁରେଇ ରହିଥିଲେ । ସେ ବିଜେଡି ଛାଡିବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ଯାହା ଆଜି ସତ୍ୟ ପ୍ରମାଣିତ ହୋଇଛି ।