ସୁବର୍ଣ୍ଣପୁର:ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀଙ୍କ ଶକ୍ତି ପ୍ରଦର୍ଶନ । ଚଳିତ ବିଧାନସଭା ନିର୍ବାଚନ ପାଇଁ ସଦର ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ନିରଞ୍ଜନ ପୂଜାରୀ । ଆଜି ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକଙ୍କୁ ନେଇ ଦେବୀ ମା’ ସୁରେଶ୍ବରୀଙ୍କ ମନ୍ଦିରରେ ପୂଜା ଆରାଧନା କରିଛନ୍ତି । ମନ୍ଦିରରୁ ଏକ ବିରାଟ ପଟୁଆରରେ ନିରଞ୍ଜନ ସହର ପରିକ୍ରମା କରିଛନ୍ତି । ଏହି ଶୋଭାଯାତ୍ରାରେ ଜିଲ୍ଲାର ତରଭା, ଡୁଙ୍ଗୁରିପାଲି ଓ ସଦର ସୋନପୁର ବ୍ଳକର ପ୍ରତିଟି ଗାଁରୁ ବିଜେଡି କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ । ହଜାର ହଜାର ମୋଟର ସାଇକେଲ, ଚାରି ଚକିଆ ଯାନ, ମିନି ବସ ତଥା ବସ ଆଦିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଲୋକେ ଆସି ଏହି ଶକ୍ତି ପ୍ରଦର୍ଶନରେ ନିଜକୁ ସାମିଲ କରିଥିଲେ ।
ବର୍ତ୍ତମାନର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପୁଣି ଥରେ ସଦର ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପରେ ବିଜେଡି ଶିବିରରେ ବେଶ ଉତ୍ସାହ ଲାଗି ରହିଛି । ଆଜି ବିଜେଡିର ଶକ୍ତି ପ୍ରଦର୍ଶନରେ ରାଜନୈତିକ ବାତାବରଣ ବେଶ ସରଗରମ ହେବାରେ ଲାଗିଛି । ନିର୍ବାଚନ ମଣ୍ଡଳୀ ପୁନଃଗଠନ ହୋଇ ଜିଲ୍ଲାର ବିନିକା ନିର୍ବାଚନ ମଣ୍ଡଳୀ ଉଠିଯିବା ପରେ ଗତ ୧୫ ବର୍ଷ ଧରି ବିନିକାର ପୂର୍ବତନ ବିଧାୟକ ନିରଞ୍ଜନ ପୂଜାରୀ ସଦର ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ସଦର ବିଧାୟକ ନିରଞ୍ଜନ ପୂଜାରୀ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଥିବା ବେଳେ ଏବେ ସ୍ବାସ୍ଥ୍ୟମନ୍ତ୍ରୀ ଅଛନ୍ତି । ପୂର୍ବରୁ ଦୁଇ ଦୁଇ ଥର ରାଜ୍ୟ ବିଧାନସଭାର ବାଚସ୍ପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେବେ ବିଜେଡିର ପତିଆରା ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରି ରହିଛି । ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶୋକ ପୂଜାରୀଙ୍କୁ ୨୬ ହଜାର ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିଲେ । ସେହିପରି ୨୦୧୪ ନିର୍ବାଚନରେ ଏବେକାର ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କୁ ପ୍ରାୟ ୫୦ହଜାର ଭୋଟ ବ୍ୟବଧାନରେ ପରାଜିତ କରିଥିଲେ ।