ଭୁବନେଶ୍ବର:ମଉଳିଆ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆଶା । ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ ବୋଲି ଆଜି ବିଧାନସଭାରେ ଲିଖିତ ଉତ୍ତର ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୂନ୍ୟକାଳରେ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର କୌଣସି ପ୍ରସ୍ତାବ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସୁପ୍ରିମକୋର୍ଟଙ୍କ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଗୃହରେ ଏହି ଉତ୍ତର ପରେ ତେଜିଛି ରାଜନୀତି ।
ଓଡିଶାରେ କାହିଁକି ହେବନି ବୋଲି ପ୍ରଶ୍ନ କଲେ ଜୟନାରାୟଣ:
ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ‘ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ରହିଛି । ଲୋକଙ୍କୁ କଣ ଆଇନଗତ ସାହାଯ୍ୟ ମିଳିବ ନାହିଁ । ଉତ୍ତରପ୍ରଦେଶରେ 3ଟା ହାଇକୋର୍ଟ ବେଞ୍ଚ, ମହାରାଷ୍ଟ୍ର ସମେତ ଅନ୍ୟାନ୍ୟ ରାଜ୍ୟରେ ହାଇକୋର୍ଟର ବେଞ୍ଚ ଅଛି । ତାହାଲେ ଓଡ଼ିଶାରେ କାହିଁକି ହାଇକୋର୍ଟର ବେଞ୍ଚ ହେବ ନାହିଁ । ନ୍ୟାୟ ଲୋକଙ୍କୁ ଦ୍ବାରଦେଶରେ ଦେବାକୁ କୁହାଯାଉଛି । ତାହାଲେ ବେଞ୍ଚ କାହିଁକି ପ୍ରତିଷ୍ଠା କରାଯିବନି । ବ୍ଲକ ସ୍ତରରେ ବି ଅଦାଲତ ହେବା କଥା ।’
ଏହାମଧ୍ୟ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ: କେନ୍ଦ୍ର ଆଇନ ମନ୍ତ୍ରୀ
‘ପଶ୍ଚିମ ଓଡିଶା ସହ ବିଶ୍ବାସଘାତ ହୋଇଛି’
ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ । ସେ କହିଛନ୍ତି, ‘ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ଦୀର୍ଘବର୍ଷ ହେବ ହୋଇ ଆସୁଛି। ବଲାଙ୍ଗୀରରେ ସ୍ଵତନ୍ତ୍ର ହାଇକୋର୍ଟ ବେଞ୍ଚ ଦାବି ଦୀର୍ଘ ଦିନରୁ ରହି ଆସିଛି । ସରକାରଙ୍କ ମତ ହେଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାରେ କୌଣସି ବାଧା ନାହିଁ । ୟୁପିରେ ତିନିଟି ହାଇକୋର୍ଟ ବେଞ୍ଚ ରହିଛି । ସ୍ଵତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପାଇଁ ପଦକ୍ଷେପ ନିଅନ୍ତୁ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯଦି ମନା କରୁଛନ୍ତି ବିଜେପି ନେତାଙ୍କ ଦାବି କରିବାର ମୂଲ୍ୟ କଣ ? ପଶ୍ଚିମ ଓଡ଼ିଶା ସହିତ ବିଶ୍ବାସଘାତ ହୋଇଛି ।’
ଏହାମଧ୍ୟ ପଢ଼ନ୍ତୁ: ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ; ଦାୟିତ୍ବରୁ ପଛଘୁଞ୍ଚା ଦେଉଛନ୍ତି ଓଡ଼ିଶା ସରକାର