ମାଲକାନଗିରି: ଜିଲ୍ଲାରେ ଗ୍ରୀଷ୍ମ ତାତି ଯେତେ ବଢୁଛି ରାଜନୈତିକ ଉଷ୍ମତା ମଧ୍ୟ ସମାନ ପରିମାଣରେ ବଢୁଛି । ଏବେ ଜିଲ୍ଲାରେ ପାରଦ ୪୩ ଡିଗ୍ରୀ ଛୁଇଁଲାଣି । ଏତେ ଗରମରେ ଲୋକେ ଘରୁ ପଦାକୁ ବାହାରିବାକୁ ପସନ୍ଦ କରୁନଥିବା ବେଳେ ଆଜି ବିଜେଡିର ବିରାଟ ରାଲି ଓ ପ୍ରଚାର ଶୋଭାଯାତ୍ରା ଲୋକଙ୍କୁ ଘରୁ ପଦାକୁ ବାହାରିବାକୁ ବାଧ୍ୟ କରିଥିଲା । ଆଜି ପ୍ରଥମ କରି ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏବଂ ମାଲକାନଗିରି ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ ହଜାର ହଜାର ସମର୍ଥକଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ।
ମାଲକାନଗିରି ସୀମା ଭିତରେ ପ୍ରବେଶ କରିବା ପରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ ଗୋବିନ୍ଦପାଲ୍ଲୀ ଠାରୁ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରାଇବା ସହ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ । ପ୍ରକାଶ ଥାଉ, ଗତଥର ରମେଶ ମାଝୀଙ୍କୁ ଦଳ ନବରଙ୍ଗପୁରରୁ ସାଂସଦ ପ୍ରାର୍ଥୀ କରି ଏକ ଚ୍ୟାଲେଞ୍ଜ କରିଥିଲା । ସେ ସଫଳ ମଧ୍ୟ ହୋଇଥିଲେ । ତେବେ ଏଥର ପ୍ରଦୀପ କଂଗ୍ରେସରୁ ଆସି ବିଜେଡିର ପ୍ରାର୍ଥୀ ହେବା ପରେ ଲୋକେ ତାଙ୍କୁ କେତେ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଗତଥର ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ବିଜେଡିର ସେତେଟା ଭଲ ପ୍ରଦର୍ଶନ ନଥିଲେ ମଧ୍ୟ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ ରହିଥିଲା । ଆଜି ପ୍ରଥମ କରି ପ୍ରଦୀପ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରି ଗୋବିନ୍ଦପାଲ୍ଲୀଠାରୁ ପଡିଆ ପର୍ଯ୍ୟନ୍ତ ଯାଇଥିଲେ । ମାଥିଲି, ପାଙ୍ଗାମ, କୋତାମେଟା, ପାଣ୍ଡ୍ରିପାଣି ପରେ ମାଲକାନଗିରିରେ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା ।