କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ । ସାରା ଦେଶ ଏହି ମହାନ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତେବେ ନେତାଜୀଙ୍କୁ ‘ରାଷ୍ଟ୍ର ପୁତ୍ର’ ଏବଂ ଆଜାଦ୍ ହିନ୍ଦ୍ ଗଠନ ଦିବସକୁ ‘ଜାତୀୟ ଦିବସ’ ଭାବେ ଘୋଷଣା ପାଇଁ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଛି । କଟକର ଜଣେ ସମାଜସେବୀ ପି ନାକପାଣି ମହାନ୍ତିଙ୍କ ପକ୍ଷରୁ ଦାୟର ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଫେବୃଆରୀ ୧୨ରେ ପରବର୍ତ୍ତୀ ଶୁଣାଣି:
ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃଆରୀ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ନେତାଜୀଙ୍କୁ ମିଳୁ ରାଷ୍ଟ୍ରପୁତ୍ର ଆଖ୍ୟା:
ଆବେଦନକାରୀ ଆବେଦନରେ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି, ‘ଭାରତ ପ୍ରତି ନେତାଜୀଙ୍କର ଯେଉଁଭଳି ଅବଦାନ ରହିଛି, ଦେଶ ପାଇଁ ସେ ଯେଉଁଭଳି ତ୍ୟାଗ ଓ ବଳିଦାନ ଦେଇଛନ୍ତି ତାକୁ ସମ୍ମାନ ଜଣାଇ ସରକାର ନେତାଜୀଙ୍କୁ ଭାରତର ‘ରାଷ୍ଟ୍ର ପୁତ୍ର ଭାବେ ଘୋଷଣା କରିବା ଆବଶ୍ୟକ । ସେହିପରି ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠା ଦିବସ ୧୯୪୩ ମସିହା ଅକ୍ଟୋବର ୨୧ ତାରିଖକୁ ‘ଜାତୀୟ ଦିବସ’ ଭାବେ ମଧ୍ୟ ଘୋଷଣା କରିବାକୁ ଆବେଦନକାରୀ ପିଟିସନରେ ପ୍ରାର୍ଥନା କରିଛନ୍ତି । ସେହିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଖୋଜ ହେବାର ୭୮ବର୍ଷ ପରେ ବି ତାଙ୍କୁ ଏ ଦେଶ ଉଚିତ ସମ୍ମାନ ଦେଇପାରିନାହିଁ । ଦେଶକୁ ସ୍ବାଧୀନତା କରିବାରେ ନେତାଜୀ ଏବଂ ତାଙ୍କ ଦ୍ବାରା ଗଠିତ ଆଜାଦ୍ ହିନ୍ଦ୍ ଫୌଜର ବହୁତ ବଡ଼ ଭୂମିକା ରହିଛି ।’
ଜଷ୍ଟିସ ମୁଖାର୍ଜୀ କମିସନଙ୍କ ତଦନ୍ତ ରିପୋର୍ଟ ହେଉ ସାର୍ବଜନୀନ:
ନେତାଜୀ ନିଖୋଜ ରହସ୍ୟ ଉନ୍ମୋଚନ ପାଇଁ ଗଠିତ ଜଷ୍ଟିସ ମୁଖାର୍ଜୀ କମିସନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବା ଆବଶ୍ୟକ ବୋଲି ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଛନ୍ତି । ନେତାଜୀଙ୍କ ଦେହାନ୍ତ ସଂପର୍କରେ ବିଷ୍ଣୁ ସହାଇ କମିସନ ଯେଉଁ ରିପୋର୍ଟ ଦେଇଛନ୍ତି ତାହାକୁ ରଦ୍ଦ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ । ଏହି ପିଟିସନ୍ରେ ଆବେଦନକାରୀ ନେତାଜୀଙ୍କ ସମ୍ପର୍କରେ ଅନେକ ତଥ୍ୟ ମଧ୍ୟ ଅଦାଲତରେ ଉପସ୍ଥାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି ସ୍ମାରକ ପତ୍ର:
ଆବେଦନକାରୀ ଏହି ସବୁ ଦାବିକୁ ଆଧାର ଧାର କରି ପ୍ରଧାନମନ୍ତ୍ରୀଙ୍କ ନିକଟଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମଧ୍ୟ ସ୍ମାରକପତ୍ର ଦେଇଥିଲେ । କିନ୍ତୁ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନଥିବା କାରଣରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା ପିଟିସନରେ ଦର୍ଶାଇଛନ୍ତି ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ:
ତେବେ ଗତକାଲି (ବୁଧବାର) ମାମଲାର ପ୍ରାଥମିକ ଶୁଣାଣି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃଆରୀ 12ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଆଜି ନେତାଜୀଙ୍କ 128ତମ ଜୟନ୍ତୀ:
ଆଜି ଭାରତ ମାତାରୁ ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128 ତମ ଜନ୍ମ ଜୟନ୍ତୀ । ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’ ... ନେତାଜୀଙ୍କ ଏହି ଆହ୍ବାନ ଆଜି ବି ଗୁଞ୍ଜରିତ ହୁଏ । ନେତାଜୀଙ୍କ ଜୟନ୍ତୀକୁ ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି । ଚଳିତ ବର୍ଷ ନେତାଜୀଙ୍କ ଜନ୍ମସ୍ଥାନ କଟକ ଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାକ୍ରମ ଦିବସ ପାଳନ କରାଯାଉଛି ।
ନେତାଜୀଙ୍କ ଜନ୍ମସ୍ଥାନ କଟକରେ ପରାକ୍ରମ ଦିବସ :
2021 ମସିହାରୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନେତାଜୀଙ୍କ ଜୟନ୍ତୀଙ୍କୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ କଟକରେ 3 ଦିନ ଧରି ଏହି ଦିବସ ପାଳନ କରାଯିବ । ଏଥିପାଇଁ କଟକରେ ଥିବା ସତ୍ୟବ୍ରତ ଷ୍ଟାଡିୟମ ପରିସରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି (ଜାନୁଆରୀ 23) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାକ୍ରମ ଦିବସର ଉଦଘାଟନ କରିବେ ।
ଇଟିଭି ଭାରତ, କଟକ