ହାଇଦ୍ରାବାଦ: ହସ୍ପିଟାଲରେ ଭର୍ତ୍ତି ଶାହରୁଖ ଖାନଙ୍କ ଶେଷ ମୁକ୍ତିଲାଭ କରିଥିବା ଫିଲ୍ମ 'ଡଙ୍କି' (୨୦୨୩)ରେ କାମ କରିଥିବା ସହ-ଅଭିନେତା ବରୁଣ କୁଲକର୍ଣ୍ଣି । ସେ ହସ୍ପିଟାଲରେ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଲଢ଼ୁଛନ୍ତି । ଅଭିନେତା ଜଣକ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଥିବା ବେଳେ ବର୍ତ୍ତମାନ ମୁମ୍ୱାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏପରି ପରିସ୍ଥିତିରେ, ତାଙ୍କ ବନ୍ଧୁ ରୋଶନ ଶେଟ୍ଟି ତାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପାଇଁ ସୋସିଆଲ ମିଡିଆରେ ଲୋକଙ୍କୁ ନିବେଦନ କରିଛନ୍ତି ।
କିଡନୀ ରୋଗରେ ପୀଡିତ ବରୁଣ କୁଲକର୍ଣ୍ଣି
ରୋଶନ ଶେଟ୍ଟି ଇନଷ୍ଟାଗ୍ରାମରେ ହସ୍ପିଟାଲରୁ ବରୁଣଙ୍କ କିଛି ଫଟୋ ସେୟାର କରିଛନ୍ତି । ଏଥିରେ ବରୁଣଙ୍କୁ ବିଛଣାରେ ଶୋଇଥିବାର ଦେଖିବାକୁ ମିଳିଛି । ଏହା ସହିତ ରୋଶନ କ୍ୟାପସନରେ ଲେଖିଛନ୍ତି 'ମୋର ପ୍ରିୟ ବନ୍ଧୁ ଏବଂ ଥିଏଟର ସହ-ଅଭିନେତା ବରୁଣ କୁଲକର୍ଣ୍ଣି ବର୍ତ୍ତମାନ ଏକ ଗମ୍ଭୀର କିଡନୀ ସମସ୍ୟାରେ ପୀଡିତ । ଆମର ପୂର୍ବ ପ୍ରୟାସ ସତ୍ତ୍ୱେ, ତାଙ୍କ ଚିକିତ୍ସାର ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି । ତାଙ୍କୁ ନିୟମିତ ଚିକିତ୍ସା ଏବଂ ଜରୁରୀକାଳୀନ ହସ୍ପିଟାଲ ଗସ୍ତ ଆବଶ୍ୟକ ଏବଂ ସପ୍ତାହରେ 2-3 ଥର ଡାଏଲିସିସ୍ ମଧ୍ୟ ଆବଶ୍ୟକ । ଦୁଇ ଦିନ ପୂର୍ବରୁ, ବରୁଣଙ୍କୁ ଏମରଜେନ୍ସି ଡାଏଲିସିସ୍ ସେସନ୍ ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ବରୁଣ କେବଳ ଜଣେ ଚମତ୍କାର ଅଭିନେତା ନୁହଁନ୍ତି ବରଂ ଜଣେ ଦୟାଳୁ ଏବଂ ନିଃସ୍ୱାର୍ଥପର ବ୍ୟକ୍ତି ମଧ୍ୟ । ସେ ବହୁତ କମ୍ ବୟସରେ ତାଙ୍କ ବାପାମାଆଙ୍କୁ ହରାଇଥିଲେ ଏବଂ ସେବେଠାରୁ ସେ ଜଣେ ଆତ୍ମନିର୍ମୀ ବ୍ୟକ୍ତି ହୋଇଯାଇଛନ୍ତି, ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଥିଏଟର ପ୍ରତି ତାଙ୍କର ଆଗ୍ରହକୁ ଅତୁଟ ରଖିଛନ୍ତି ।'
ଚିକିତ୍ସା ପାଇଁ ସାହାଯ୍ୟ ମାଗିଲେ ବନ୍ଧୁ
ସେ ଆହୁରି ଲେଖିଛନ୍ତି, 'ଜଣେ କଳାକାରଙ୍କ ଜୀବନ ପ୍ରାୟତଃ ଆର୍ଥିକ ଚ୍ୟାଲେଞ୍ଜ ସହିତ ଆସିଥାଏ ଏବଂ ଏହି କଷ୍ଟକର ସମୟରେ, ସେମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ଆମର ସମର୍ଥନର ଆବଶ୍ୟକତା ଅଛି । ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ବରୁଣଙ୍କୁ ସମର୍ଥନ କରିବା ପାଇଁ ଆମେ, ତାଙ୍କ ବନ୍ଧୁ ଏବଂ ଶୁଭେଚ୍ଛୁମାନେ ଏକାଠି ହେଉଛୁ । ତଳେ କଣ୍ଟାକ୍ଟ ନମ୍ୱର ଦିଆଯାଇଛି । ଯଦି ଆପଣ ବରୁଣଙ୍କୁ ବ୍ୟକ୍ତିଗତ ଭାବରେ ଜାଣନ୍ତି, ତେବେ ଆପଣ ସିଧାସଳଖ ସେମାନଙ୍କୁ ଆପଣଙ୍କର ଅବଦାନ ପଠାଇ ପାରିବେ । ଆପଣଙ୍କର ସମର୍ଥନ, ପରିମାଣ ଯାହା ହେଉନା କାହିଁକି, ଏକ ବଡ଼ ପରିବର୍ତ୍ତନ ଆଣିପାରେ ।''
ଏହା ମଧ୍ୟ ପଢନ୍ତୁ: ସଡ଼କ ଦୁର୍ଘଟଣାରେ ଚାଲିଗଲା ଟିଭି ଅଭିନେତା ଅମନ ଜୟସୱାଲଙ୍କ ଜୀବନ
ବରୁଣଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ବରୁଣ ଅନେକ ଚଳଚ୍ଚିତ୍ର ଏବଂ ଧାରାବାହିକରେ ସହ ତାରକା ଭୂମିକାରେ ଅଭିନୟ କରିଛନ୍ତି । ସେ 'ଫ୍ୟାମିଲି ମ୍ୟାନ୍ ସିଜନ୍ 1' ଏବଂ 'ସ୍କାମ୍ 1992'ରେ କାମ କରିଛନ୍ତି, ଏହା ବ୍ୟତୀତ ସେ 2023 ରେ ଶାହରୁଖ ଖାନଙ୍କ ଫିଲ୍ମ 'ଡଙ୍କି'ରେ ନଜର ଆସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ