ଓଡିଶା

odisha

ETV Bharat / politics

ବାଜିଲା ନିର୍ବାଚନ ବିଗୁଲ, ଲାଗୁ ହେଲା ଆଚରଣ ସଂହିତା; ଜାଣନ୍ତୁ କଣ ଏହି କଟକଣା - Model Code of Conduct implemented

Model Code of Conduct implemented: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ସହ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଜାଣନ୍ତୁ କଣ ଏହି ଆଚରଣ ସଂହିତା..

Model Code of Conduct implemented
Model Code of Conduct implemented

By ETV Bharat Odisha Team

Published : Mar 16, 2024, 10:15 PM IST

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ସାଧାରଣ ନିର୍ବାଚନ 2024 ପାଇଁ ବିଗୁଲ ବଜାଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଏହି ବିଗୁଲ ସହ ସମଗ୍ର ଦେଶ ସମେତ ଓଡ଼ିଶାରେ ମଧ୍ୟ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜୁନ ୪ରେ ଭୋଟ ଗଣତି ହୋଇ ଫଳାଫଳ ଆସିବ । ନିର୍ବାଚନ ଘୋଷଣା ସହିତ ସାରା ଦେଶରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ତେବେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ ।

ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି (Code of Conduct) ଲାଗୁ ହୋଇଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏହି ନିୟମ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳ, ଏବଂ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପାଇଁ ଲାଗୁ ହେବ । ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି । ତେବେ ଜାଣନ୍ତୁ କଣ ଏହି ଆଦର୍ଶ ଆଚରଣ ସଂହିତା..

ଥରେ ଆଦର୍ଶ ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପରେ,

  • ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଲାଭ କରୁଥିବା କୌଣସି କାର୍ଯ୍ୟରେ ସାଧାରଣ ବା ସରକାରୀ ଟଙ୍କା ଖର୍ଚ୍ଚ କରାଯାଇପାରିବ ନାହିଁ ।
  • ନିର୍ବାଚନ ପ୍ରଚାର ପାଇଁ ସରକାରୀ ଯାନ, ସରକାରୀ ବିମାନ କିମ୍ବା କୌଣସି ଯନ୍ତ୍ରାଂଶର ବ୍ୟବହାର କରାଯାଇପାରିବ ନାହିଁ ।
  • କୌଣସି ଦଳ କିମ୍ବା ପ୍ରାର୍ଥୀଙ୍କ ସ୍ବାର୍ଥ ପାଇଁ ସରକାରୀ ଯାନ ବ୍ୟବହାର କରାଯିବ ନାହିଁ ।
  • କୌଣସି ପ୍ରକାର ସରକାରୀ ଘୋଷଣା, ଉଦ୍‌ଘାଟନ, ଭିତ୍ତିପ୍ରସ୍ତର ସ୍ଥାପନ ଆଦି କାର୍ଯ୍ୟ କରାଯାଇ ପାରିବ ନାହିଁ ।
  • ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଜଡ଼ିତ ସମସ୍ତ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ଉପରେ ଏକ ନିଷେଧାଦେଶ ରହିବ ।
  • ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆରେ କୌଣସି ଦଳର ସଫଳତା ସମ୍ବନ୍ଧରେ ବିଜ୍ଞାପନ ପାଇଁ ସରକାରୀ କୋଷରୁ ଟଙ୍କା ଖର୍ଚ୍ଚ କରାଯାଇପାରିବ ନାହିଁ ।
  • ସରକାରୀ ଖର୍ଚ୍ଚରେ ଶାସକ ଦଳ ଦ୍ବାରା ଲଗାଯାଇଥିବା ସମସ୍ତ ହୋର୍ଡିଂ/ବିଜ୍ଞାପନ ତୁରନ୍ତ ହଟାଯିବ ।
  • କୌଣସି ଦଳ, ପ୍ରାର୍ଥୀ କିମ୍ବା ସମର୍ଥକଙ୍କ ପାଇଁ ରାଲି କିମ୍ବା ଶୋଭାଯାତ୍ରା କିମ୍ବା ନିର୍ବାଚନୀ ସଭା ଆୟୋଜନ ପାଇଁ ପୋଲିସ ପ୍ରଶାସନର ପୂର୍ବ ଅନୁମତି ନେବା ବାଧ୍ୟତାମୂଳକ ହେବ ।
  • କୌଣସି ରାଜନୈତିକ ଦଳ ଜାତି କିମ୍ବା ଧର୍ମ ଆଧାରରେ ଭୋଟରଙ୍କ ଠାରୁ ଭୋଟ ମାଗି ପାରିବେ ନାହିଁ ।
  • କୌଣସି ସରକାରୀ ଅଧିକାରୀ କୌଣସି ରାଜନୈତିକ ଦଳୀୟ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ନାହିଁ ।

ଭାରତୀୟ ସମ୍ବିଧାନର ଧାରା 324 ଅନୁଯାୟୀ ରାଜ୍ୟ ବିଧାନ ମଣ୍ଡଳ ତଥା ସଂସଦରେ ନିରପେକ୍ଷ ଭାବେ ସ୍ବତନ୍ତ୍ରତା ବଜାୟ ରଖିବା ସହ ଶାନ୍ତିପୂର୍ଣ୍ଣ ଉପାୟରେ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ନିର୍ବାଚନ ଆୟୋଗଙ୍କୁ କ୍ଷମତା ଦିଆଯାଇଛି । ଏହି ସମୟରେ ଆଚରଣ ବିଧିର ଉଲ୍ଲଙ୍ଘନ କରୁଥିବା ତଥା ଲାଞ୍ଚ ନେଉଥିବା ଅଧିକାରୀ ଆଦିଙ୍କ ଉପରେ ରୋକ ଲଗାଇବା ତଥା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ମଧ୍ୟ ଏହା ଦ୍ବାରା ସୁନିଶ୍ଚିତ କରାଯାଇଥାଏ । ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ଆରମ୍ଭ କରି ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଆଚରଣ ସଂହିତା ସମ୍ପୂର୍ଣ୍ଣ ଦେଶରେ ଲାଗୁ ହୋଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ବାଜିଲା ନିର୍ବାଚନ ବିଗୁଲ; ଓଡ଼ିଶାରେ 4 ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details