ରାଇରଙ୍ଗପୁର(ମୟୂରଭଞ୍ଜ): ମହାରାଷ୍ଟ୍ରରୁ ଆସିବା ପରେ ଓଡ଼ିଶାରେ ମନ ଲାଗୁନି ବାଘୁଣୀ ଜୀନତର । ଶିମିଳିପାଳ ଅଭୟାରଣ୍ୟ ଛାଡିବା ପରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡିଆଁ ମାରୁଛି । ଜଙ୍ଗଲ ପରେ ଜଙ୍ଗଲ ପରିବର୍ତ୍ତନ କରୁଛି ଜୀନତ । ଝାଡଖଣ୍ଡରୁ ଏବେ ସେ ପଶ୍ଚିମବଙ୍ଗ ଘଞ୍ଚ ଜଙ୍ଗଲକୁ ପଳାଇଯାଇଥିବା ପ୍ରଥମିକ ଭାବେ ସୂଚନା ମିଳିଛି ।
ଗତକାଲି (ଶୁକ୍ରବାର) ସକାଳ ସମୟରେ ଜୀନତକୁ ପଶ୍ଚିମବଙ୍ଗ ରାଜ୍ୟର ଝାଡଗ୍ରାମ ଅନ୍ତର୍ଗତ ବେଲପାହାଡି ରେଞ୍ଜରେ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ସମୟରେ ଶିମୁଲପାଲ୍ ଜଙ୍ଗଲକୁ ଚାଲି ଯାଇଥିବାର ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି । ଅନ୍ୟ ପଟେ ଏ ସମ୍ପର୍କରେ ଆମ ପାଖରେ କୌଣସି ସୂଚନା ହସ୍ତଗତ ହୋଇନଥିବା କହିଛନ୍ତି ପିସିସିଏଫ ପ୍ରେମ କୁମାର ଝା । ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ମଧ୍ୟ ମିଳି ପାରିନାହିଁ ।
ଜୀନତ ପରେ ଯମୁନା ମାରିଲା ଡିଆଁ:
ବାଘୁଣୀ ଜୀନତକୁ ଝାଡ଼ଖଣ୍ଡ ରାଜ୍ୟରୁ ଶିମିଳିପାଳ ଅଭୟାରଣ୍ୟ ଫେରିବାକୁ ଉଦ୍ୟମ ଚାଲିଥିବା ବେଳେ ସେ ସବୁ ଭେଦ କରି ଏବେ ପଶ୍ଚିମବଙ୍ଗ ସୀମାରେ ପ୍ରବେଶ କରିଛି । ଯାହା ଶିମିଳିପାଳ କର୍ତ୍ତୃପକ୍ଷଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଜୀନତକୁ ଝାଡ଼ଖଣ୍ଡରୁ ଶିମିଳିପାଳ ଫେରାଇ ଆଣିବା ପାଇଁ ବନ ବିଭାଗର ସମସ୍ତ ପ୍ରୟାସ ଫେଲ୍ ମାରିଛି । ସେପଟେ ଯମୁନା ମଧ୍ୟ ଶିମିଳିପାଳ ଅଭୟାରଣ୍ୟକୁ ଛାଡି ପଳାଇଥିବା ଚର୍ଚ୍ଚା ହେଉଛି । ହେଲେ ଏନେଇ ବନବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ଜୀନତକୁ ଟ୍ରାଙ୍କୁଲାଇଜ କରିବାରେ ବିଫଳ ବନ ବିଭାଗ:
ଏଠାରେ ସୂଚନାଯୋଗ୍ୟ ଯେ, ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ମହାରାଷ୍ଟ୍ରର ତଡବା-ଅନ୍ଧେରୀ ଜଙ୍ଗଲରୁ ଗତ ନଭେମ୍ବର 14ରେ ଶିମିଳିପାଳକୁ ଜୀନତକୁ ଅଣା ଯାଇଥିଲା । ଗତ 24 ତାରିଖ ରାତିରେ ଏନ୍ କ୍ଲୋଜରରୁ ବାଘୁଣୀକୁ ଜଙ୍ଗଲକୁ ଛାଡ଼ି ଦିଆ ଯାଇଥିଲା । ଏହାପରେ ଡିସେମ୍ବର 10 ତାରିଖ ଦିନ ଶିମିଳିପାଳ ଛାଡି ରାଇରଙ୍ଗପୁର ଓ ବିଶୋଇ ରେଞ୍ଜ ଦେଇ ଝାଡ଼ଖଣ୍ଡ ପଳେଇ ଯାଇଥିଲା ବାଘୁଣୀ ଜୀନତ । ସେଠାରେ ବାଘୁଣୀ ଜୀନତ୍ ଉପରେ ବନବିଭାଗ ନଜର ରଖିଥିବା ବେଳେ ଟ୍ରାଙ୍କୁଲାଇଜ କରିବାର ପ୍ରୟାସ କରା ଯାଇଥିଲା । ହେଲେ ସେଥିରେ ମଧ୍ୟ ବିଫଳ ହୋଇଥିଲା ବନବିଭାଗ।
ମୁହଁ ଖୋଲି ନାହାନ୍ତି ଶିମିଳିପାଳ କର୍ତ୍ତୃପକ୍ଷ:
ଶେଷ ଥର ପାଇଁ ଅର୍ଥାତ ଡିସେମ୍ବର ମାସ 17 ତାରିଖ ଝାଡ଼ଖଣ୍ଡ ରାଜ୍ୟର ଚାକୁଳିଆ ନିକଟ ରାଜାବସା ଜଙ୍ଗଲ ରେ ଏକ ମଇଁଷି ଶିକାର କରି ଖାଇଥିଲା ଜୀନତ । ସେଠାରେ ହାତୀପଲକୁ ଭୟ କରି ପୁରୁଣାପାଣି-ମହୁଲବେଟ ଜଙ୍ଗଲକୁ ପଳେଇ ଥିଲା । ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ର ଜଙ୍ଗଲ ଲାଗି ରହିଥିବାରୁ ସେଠାରୁ ପଶ୍ଚିମବଙ୍ଗର ବେଲପାହାଡ଼ି ଜଙ୍ଗଲରେ ପ୍ରବେଶ କରି ଏବେ ଶିମୁଲପାଲର ଆଖପାଖ ଜଙ୍ଗଲରେ ଜୀନତ ରହିଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ଶିମିଳିପାଳ କର୍ତ୍ତୃପକ୍ଷ ବର୍ତ୍ତମାନ ସୁଦ୍ଧା ମୁଁହ ଖୋଲି ନାହାନ୍ତି ।
ଇଟିଭି ଭାରତ, ରାଇରଙ୍ଗପୁର