ଭୁବନେଶ୍ବର: ପଞ୍ଚାୟତ ଏବଂ ପୌରନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ଶାସକ ବିଜେପି ଦଳ । ଏବେବି ରାଜ୍ୟ କାର୍ଯ୍ୟାଳୟରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି । ସରକାରକୁ 6 ମାସ ବିତିଯାଇଥିଲେ ମଧ୍ୟ ଏବେବି ମିଶ୍ରଣ ପର୍ବ ଜାରି ରହିଛି । ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ବିଜେପିରେ ସାମିଲ ହୋଇଛନ୍ତି ।
ବିଜେପିରେ ମିଶିଲେ ଶତାଧିକ ସରପଞ୍ଚ:
ବିଜେପି ମୁହାଁ ପଞ୍ଚାୟତ ପ୍ରତିନିଧି । ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ନାଏବ ସରପଞ୍ଚ। ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ମଧ୍ୟ ବିଜେପିରେ ମିଶିଛନ୍ତି । ବିଜେଡି ଛାଡ଼ି ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ 14 ଜଣ ସରପଞ୍ଚ ଏବଂ ସମିତି ସଭ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ସାମିଲ ହୋଇଛନ୍ତି ।
ବିଜେପିରେ ସାମିଲ ହେଲେ ଅନ୍ୟ ଦଳର କର୍ମୀ:
ସେହିପରି ଯାଜପୁରର ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଅଞ୍ଚଳର ମଧ୍ୟ ଏକାଧିକ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚମାନେ ବିଜେପିରେ ସାମିଲ ହୋଇଛନ୍ତି । ମୋଟ 148 ଜଣ ସରପଞ୍ଚ, ପୂର୍ବତନ ସରପଞ୍ଚଙ୍କ ସମେତ ବିଜେଡି ଓ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି । ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏମାନେ ବିଜେପିରେ ମିଶିଛନ୍ତି। ସେହିପରି କଟକ ବିଜେଡି ଉପସଭାପତି ଆଦିତ୍ୟ ପାଣିଙ୍କ ନେତୃତ୍ୱରେ ମଧ୍ୟ ଅନେକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।
ଜୟପୁର ବ୍ଲକ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି, "ବିଜେଡି ଆଦିବାସୀ ବିରୋଧୀ । ବ୍ଲକରେ କୌଣସି ବିକାଶମୂଳକ କାମରେ ବିଜେଡି ନେତୃତ୍ୱ ସହଯୋଗ କରୁନଥିଲେ।" ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ବିଜେପିକୁ ଭରସା କରିଥିବା କହିଛନ୍ତି।
ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ସବୁ ଦଳର ନେତା ଆଗ୍ରହ କରି ବିଜେପିକୁ ଆସୁଛନ୍ତି । ବିଜେପି ମଜବୁତ ହେଉଛି ।" ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ସେମାନେ ପୂର୍ବରୁ ଯୋଗାଯୋଗରେ ଥିଲେ । ବିଜେପି ସରକାରକୁ ଆସିବା ପୂର୍ବରୁ ମଧ୍ୟ ସହଯୋଗ କରିଛନ୍ତି ।"
ଏହା ବି ପଢନ୍ତୁ...ମୋହନ ମାଝୀଙ୍କ ବିଜେପି ସରକାରକୁ ୬ ମାସ, ମୋଦିଙ୍କ ଫୋକସରେ ରହିଛି କି ଓଡ଼ିଶା ?
ଏହା ବି ପଢନ୍ତୁ...ବିଜେପି କ୍ୟାମ୍ପରେ ସୁନନ୍ଦା, ମନମୋହନଙ୍କ ବୟାନ ‘ଯାଜପୁରରୁ ଆରମ୍ଭ, ଖାଲି ହୋଇଯିବ ବିଜେଡି’
ତୃଣମୂଳ ସ୍ତରରେ ସଂଗଠନ ମଜବୁତ ଲକ୍ଷ୍ୟ:
ସେପଟେ ଆରମ୍ଭ ହୋଇଯାଇଛି ବିଜେପିର ପଞ୍ଚାୟତ ରଣନୀତି । କାରଣ ଆଗକୁ ଅଛି ପଞ୍ଚାୟତ ନିର୍ବାଚନ । ରାଜ୍ୟ ବିଜେପିର ସୂଚନା ଅନୁସାରେ, ଜିଲ୍ଲା ବୁଲିବେ ରାଜ୍ୟ ସଭାପତି ମନମୋହନ ସାମଲ । ତୃଣମୂଳ ସ୍ତରରେ ସଂଗଠନ ମଜବୁତ ଦଳକୁ ମଜବୁତ କରିବା ନେଇ ଜିଲ୍ଲା ଗସ୍ତ କରିବେ ତୁଙ୍ଗ ନେତାମାନେ। ସରକାରୀ ଯୋଜନାର ସଫଳ ରୂପାୟନ ନେଇ ମଧ୍ୟ କରିବେ ଆଲୋଚନା । ସଭାପତିଙ୍କ ସମେତ ରାଜ୍ୟର ବଡ଼ ନେତା ବି ବୁଲିବେ ଜିଲ୍ଲା । ସଂଗଠନ କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ଜିଲ୍ଲା ଗସ୍ତ କରିବେ ବିଜେପିର ତୁଙ୍ଗ ନେତା। ସରକାରୀ କାର୍ଯ୍ୟ ତୃଣମୂଳ ସ୍ତରରେ କିପରି ପହଞ୍ଚୁଛି ସେନେଇ ମଧ୍ୟ ତଦାରଖ କରିବେ । ସରକାର ଯାହା ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରୁଛି । ଲୋକମାନେ ଏହାର ଲାଭ ପାଉଛନ୍ତି କି ନାହିଁ ତାକୁ ତଦାରଖ କରିବେ ସଭାପତି ମନମୋହନ ସାମଲ ।
ଇଟିଭି ଭାରତ, ଭୁବନେଶ୍ବର