ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପକୁ ନେଇ ତେଜୁଛି ରାଜନୀତି । 2026 ଅକ୍ଟୋବର ସୁଦ୍ଧା ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୃଢୋକ୍ତି ପ୍ରକାଶ କରିବା ପରେ ଓଡ଼ିଶା ରାଜନୀତି ପାଣିପାଗ ସରଗରମ ହୋଇଉଠିଛି । ପ୍ରକଳ୍ପ ବିରୋଧରେ ମୋଟୁରୁ ଦିଲ୍ଲୀ ଲଢେଇ ହେବ ବୋଲି ବିଜେଡି ଚେତାବନୀ ଦେଇଥିବା ବେଳେ ଆମ ନ୍ୟାୟିକ ଟିମ ପ୍ରସ୍ତୁତ ଅଛନ୍ତି କହିଛି ବିଜେପି ।
'2026 ଅକ୍ଟୋବର ସୁଦ୍ଧା ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ'
2026 ଅକ୍ଟୋବର ସୁଦ୍ଧା ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଚାଷୀ, କୃଷକ ସୁଫଳ ପାଇବେ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦୃଢୋକ୍ତି ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ପ୍ରଦୀପ କହିଛନ୍ତି, "ଏହାର ଅର୍ଥ ହେଉଛି ଏହି ପ୍ରକଳ୍ପକୁ ତୁରନ୍ତ ଶେଷ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ମାଲକାନଗିରି ଜିଲ୍ଲାର କେତେ ଗାଁ ଓ ଲୋକ ପ୍ରଭାବିତ ହେବେ ସେନେଇ କେନ୍ଦ୍ର ଓ ଓଡ଼ିଶା ସରକାର ସ୍ପଷ୍ଟ କରୁନାହାନ୍ତି ।"
'ତଥ୍ୟ ଦେଉନାହାନ୍ତି ସରକାର'
ପ୍ରଦୀପ ଆହୁରି ମଧ୍ୟ କହିଛନ୍ତି, " କେତେ ଲୋକ ବାସଚ୍ୟୁତ, କେତେ ଚାଷ ଓ ଜଙ୍ଗଲ ଜମି ଜଳମଗ୍ନ ହେବ, ସେନେଇ କୌଣସି ତଥ୍ୟ ଦିଆଯାଉନାହିଁ । ପ୍ରକଳ୍ପ ଦ୍ବାରା ଛତିଶଗଡ଼ ଓ ଓଡ଼ିଶାର କୌଣସି କ୍ଷତି ହେବାକୁ ଦିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନଦୀର ଉଭୟ ପାର୍ଶ୍ଵରେ ମାଟିର ଆଡି ବନ୍ଧ ତିଆରି ହେବ । ଉଭୟ ରାଜ୍ୟକୁ ସୁରକ୍ଷା ଦିଆଯିବ । ଆଡ଼ି ବନ୍ଧ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହେଲାନାହିଁ । ଏଥିପାଇଁ ଅନୁଦାନ କେତେ ମିଳିଛି ଜଣାପଡିନାହିଁ । ଓଡ଼ିଶା ସରକାର ତଥ୍ୟ ଦେଉନାହାନ୍ତି ଓ କେନ୍ଦ୍ର ସରକାର ତଥ୍ୟ ଲୁଚାଉଛନ୍ତି । ବିଜେଡି ପ୍ରତିନିଧି ଦଳର ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ର ସରକାରଙ୍କ କୌଣସି ବିଭାଗ ସଠିକ ତଥ୍ୟ ପ୍ରଦାନ କରିନାହାନ୍ତି । ଆଦିବାସୀ ମନ୍ତ୍ରଣାଳୟ, ପରିବେଶ ମନ୍ତ୍ରଣାଳୟ, ଜଳଶକ୍ତି ମନ୍ତ୍ରଣାଳୟ ଓ CWCଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଚିତ୍ର ମିଳିନାହିଁ । କାରଣ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବରେ ଆନ୍ଧ୍ର ସରକାର ଦ୍ବାରା ପ୍ରଭବିତ ହୋଇ ଅଛନ୍ତି ।"
'ମୋଟୁରୁ ଦିଲ୍ଲୀ ଲଢେଇ ହେବ'
ସେ ଆଉ ମଧ୍ୟ କହିଛନ୍ତି, "ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପ ଶେଷ କରିବା ପାଇଁ ୧୨ ହାଜର କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଏହାଦ୍ବାରା ଓଡିଶାବାସୀ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହେବାକୁ ଯାଉଛନ୍ତି । ମାଲକାନଗିରି ଜିଲ୍ଲାବାସୀ ଭୟଭୀତ ହୋଇ ଅଛନ୍ତି । ବିଜୁ ଜନତା ଦଳ ଏହା ଉପରେ ପଦକ୍ଷେପ ନେବାକୁ ଯାଉଛି । ଜାନୁଆରୀ ମାସରୁ ଏନେଇ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ଆମେ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ କରିଛୁ । ଯେଉଁ ପର୍ଯ୍ୟନ୍ତ ଓଡ଼ିଶାକୁ ନ୍ୟାୟ ମିଳିନାହିଁ, ଆମେ ଚୁପ ହୋଇ ବସିବୁ ନାହିଁ । ମୋଟୁରୁ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ଲଢେଇ କରିବୁ । ବିଜେଡି ସରକାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଆମ ଅନୁରୋଧକୁ ରକ୍ଷା କରି ସୁପ୍ରିମକୋର୍ଟ ମାଟିର ଆଡି ବନ୍ଧ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।"
'ଟାସ୍କଫୋର୍ସ ନିର୍ମାଣ ଦାବି'
କେନ୍ଦ୍ରର ପରିବେଶ ମନ୍ତ୍ରଣାଳୟ ଓ ଗ୍ରୀନ ଟ୍ରିବ୍ୟୁନାଲ ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପ୍ରକଳ୍ପକୁ ଖୁବଶୀଘ୍ର ସାରି ଓଡିଶାକୁ କ୍ଷତିଗ୍ରସ୍ତ କରିବାକୁ ଯାଉଛନ୍ତି । ଓଡ଼ିଶାର କ୍ଷତିକୁ ବରଦାସ୍ତ କରାଯିବ ନାହିଁ । ନିର୍ଣ୍ଣାୟକ ଲଢେଇ ଲଢାଯିବ । ରାଜ୍ୟ ସରକାର ସକରାତ୍ମକ ପଦକ୍ଷେପ ନେବା ଦରକାର । ଓଡିଶାର କ୍ଷୟକ୍ଷତି ବାବଦରେ ରାଜ୍ୟ ସରକାର ଅବଗତ କରିବା ଦରକାର । ଆଡିବନ୍ଧ ନିର୍ମାଣ, କ୍ଷତିପୂରଣ ବାବଦରେ ଲଢେଇ ପାଇଁ ଟାସ୍କଫୋର୍ସ ନିର୍ମାଣ କରନ୍ତୁ ବୋଲି କହିଛନ୍ତି ପ୍ରଦୀପ ମାଝୀ ।
'ଆମ ନ୍ୟାୟିକ ଟିମ ପ୍ରସ୍ତୁତ ଅଛନ୍ତି'
ଜବାବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ଅତୀତରେ ବିଜେଡି ସରକାରଙ୍କ ଅବହେଳା ଯୋଗୁଁ ଓଡିଶା ବଂଶଧାରା କେସ ହାରିଥିଲା । କୋଟିଆରେ ମଧ୍ୟ ବିଭିନ୍ନ ଆଇନ ଗତ ମାମଲା ହାରିଛନ୍ତି । ବିଜେପି ସରକାରରେ ସେକଥା କରିବାକୁ ଦିଆଯିବ ନାହିଁ । ରାଜ୍ୟର ସ୍ୱାର୍ଥ ସୁରକ୍ଷା ପାଇଁ ମହାନଦୀ ଓ ପୋଲାଭରମ ନ୍ୟାୟିକ ଲଢେଇ ଜିତିବା ଲାଗି ବ୍ୟବସ୍ଥା ହେବ । କେନ୍ଦ୍ର ସରକାରଙ୍କ ସହାୟତା ଯେଉଁଠି ଯେମିତି ନେବା କଥା ନେବୁ । ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସରକାର ନଜର ରଖିଛନ୍ତି । ଆମ ନ୍ୟାୟିକ ଟିମ ପ୍ରସ୍ତୁତ ଅଛନ୍ତି । ଓଡିଶାର ସ୍ଵାର୍ଥ ସୁରକ୍ଷା ଲଢେଇରେ କୌଣସି ତ୍ରୁଟି କରାଯିବ ନାହିଁ ।"
ଇଟିଭି ଭାରତ, ଭୁବନେଶ୍ୱର