ଭୁବନେଶ୍ବର: ବହୁଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଦୁଇ ବର୍ଷ ପୂରିବାକୁ ଯାଉଛି । ନବଙ୍କ ହତ୍ୟା ଘଟଣାରେ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି ପରେ ଏହାକୁ ନେଇି ରାଜନୀତି ଜୋର ଧରିବାରେ ଲାଗିଛି । ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ରାଜନୈତିକ ବୟାନବାଜି ମଧ୍ୟ ବଢିବାରେ ଲାଗିଛି । ଆଳୁ ଖୋଳିଲେ ନିଶ୍ଚିତ ମହାଦେବ ବାହାରିବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିବା ପରେ ସରକାରଙ୍କୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ ।
- ସେତେବେଳେ ଚୁପ ବସିଥିଲେ, ଏବେ ଆଳୁ ଖୋଳୁଛନ୍ତି:-
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝିଅ ଦୀପାଳି ଦାସ ‘ସିବିଆଇ’ ତଦନ୍ତ ଦାବି ପରେ ରାଜନୀତି ଜୋର ଧରିଛି । ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମନ୍ତ୍ରୀ କହିଛନ୍ତି, "ନବ ଦାସଙ୍କର ହତ୍ୟା ବେଳେ ତାଙ୍କ ଝିଅ ଦୀପାଳି ଦାସ ଚୁପ ରହିଲେ । କିଛି କହିଲେ ନାହିଁ । ବିଧାୟକ ଟିକେଟ ପାଇଁ ଆଶାୟୀ ରହିଲେ । ବିଧାୟିକା ମଧ୍ୟ ହେଲେ । ବିଧାୟିକା ହେଲା ପରେ ମଧ୍ୟ କିଛି କହିଲେ ନାହିଁ । ତଥାପି ଚୁପ ରହିଲେ । ଯେତେବେଳେ ଆମ ସରକାର ଆସଲା, ସେ ବର୍ତ୍ତମାନ ଆଳୁ ଖୋଳୁଛନ୍ତି । ଆଳୁ ଖୋଳିଲେ ନିଶ୍ଚିତ ଭାବେ ମହାଦେବ ବାହାରିବେ । ଆଉ କିଛି ଭାବିବାର ନାହିଁ । କିଏ ଖୋଳୁଛନ୍ତି ଆଉ କିଏ ସହଯୋଗ କରୁଛନ୍ତି ତାହା ଆମେ ଦେଖିବା । ନବ ହତ୍ୟା ମାମଲାର ମହାଦେବ ବାହାରିବା ଦରକାର ।
- ଛୋଟିଆ କଥା ନୁହେଁ, ହତ୍ୟାକାରୀ ଧରାପଡିବା ଜରୁରୀ
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ନବ ଦାସଙ୍କ ମୃତ୍ୟୁ ପଛରେ ଯିଏ ଅଛି, ସେ ଧରା ପଡିବା ଉଚିତ । କାରଣ ଦିନ ଦ୍ଵିପହରରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ଏହା ଛୋଟିଆ କଥା ନୁହେଁ । ପ୍ରକୃତ ଦୋଷୀ କିଏ ସାଧାରଣ ନାଗରିକମାନେ ଜାଣିବା ଉଚିତ । ଗୋପାଳ ଦାସଙ୍କ ଜରିଆରେ କିଏ ଏହା କରାଇଛି, ଜଣାପଡିବା ଉଚିତ । ସେତେବେଳର ସରକାର ଦୋଷୀ କିଏ ଚାପି ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏବେ ଆମ ସରକାର ଆସିଯାଇଛି । ମୁଖ୍ୟମନ୍ତ୍ରୀ ଓ ସରକାର ବଦଳିଛନ୍ତି । ସରକାର ନିଶ୍ଚୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏ ବିଶ୍ୱାସ ମୋର ଅଛି ।"
- ନବଙ୍କ ହତ୍ୟାକାଣ୍ଡ ଏକ ଷଡ଼ଯନ୍ତ୍ର: ସାଲୁଜା
କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ନବ ଦାସଙ୍କ ହତ୍ୟାକାଣ୍ଡ ଏକ ଷଡ଼ଯନ୍ତ୍ର । ଘଟଣାକୁ ଦୁଇ ବର୍ଷ ହେବାକୁ ଯାଉଛି । ସିବିଆଇ ତଦନ୍ତ ଦାବି ଆମେ କରି ଆସିଛୁ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସେବେ ବିରୋଧୀ ଦଳର ସଦସ୍ୟ ଭାବେ ସିବିଆଇ ତଦନ୍ତ ଦାବି କରିଥିଲେ । ଏବେର ସରକାର ସିବିଆଇ ତଦନ୍ତ କରିବାକୁ ପଛଘୁଞ୍ଚା ଦେଉଛି । ଏହାର ଫାଇଲ ଖୋଲା ହେବ ବୋଲି ବର୍ତ୍ତମାନର ଆଇନ ମନ୍ତ୍ରୀ କହିଥିଲେ । କିନ୍ତୁ କାହିଁକି ଫାଇଲ ଖୋଲା ହେଉନାହିଁ, ଜଣାପଡୁନାହିଁ ।"
ଏହା ମଧ୍ୟ ପଢନ୍ତୁ:- ନବ ଦାସ ହତ୍ୟା ମାମଲାରେ CBI ତଦନ୍ତ ଦାବି, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ନବ ଦାସ ହତ୍ୟା ମାମଲା:‘ ପରିବାର ଲିଖିତରେ ଦେଲେ CBI ତଦନ୍ତ କଥା ସରକାର ବିଚାର କରିବେ ’ |
- ଯୋଗାଣ ମନ୍ତ୍ରୀ ଆଳୁ ଖୋଜୁଛନ୍ତି: ବିଜେଡି
ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, "ଦୀପାଳି ଆଳୁ ଖୋଳୁ ନାହାନ୍ତି । ଖାଦ୍ୟ ଯୋଗାଣ ମନ୍ତ୍ରୀ ଆଳୁ ଦରାଣ୍ଡୁଛନ୍ତି । କାରଣ ତାଙ୍କ ନାଁ ଯୋଗାଣ ମନ୍ତ୍ରୀରୁ ଆଳୁ ମନ୍ତ୍ରୀ ହୋଇସାରିଛି । ଆଳୁ କାର୍ଯ୍ୟକ୍ରମ, ଯୋଗାଣ ବ୍ୟବସ୍ଥାରେ ସେ ଫେଲ ହୋଇଛନ୍ତି । ମନ୍ତ୍ରୀ କେତେବେଳେ କଣ କହୁଛନ୍ତି, ତାହାର ତାଳମେଳ ରହୁନାହିଁ । ଆମେ ସିବିଆଇ ତଦନ୍ତ ଦାବି କରିଛୁ । ବିଜେପି ସରକାରରେ ଅଛି । କେନ୍ଦ୍ରରେ ବିଜେପି ସରକାର ଅଛି । ବିଜେପି ପାଖରେ ପୋଲିସ, ତଦନ୍ତକାରୀ ସଂସ୍ଥା ରହିଛି । ମିଛ କଥା କହି ଘଟଣାର ନୂଆ ରୂପ ଦେବା ଲାଗି ବିଜେପି ମାହୀର । ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବାରୁ ନିବୃତ୍ତ ରୁହନ୍ତୁ । ପ୍ରକୃତ ସତ୍ୟ ବାହାର କରନ୍ତୁ ।"
ଇଟିଭି ଭାରତ, ଭୁବନେଶ୍ବର