ବୌଦ୍ଧ:ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ଶିବିର ଚଳଚଞ୍ଚଳ ହୋଇ ଉଠିଛି। ସେପଟେ ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ସରଗରମ ହେବାରେ ଲାଗିଛି ରାଜନୀତି । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ଦଳ ସହିତ ବିଜେପି ଦଳ ଓ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଘୋଷଣା ସରିଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଲଗାତାର ତିନିଥର ବିଜେଡି ନିଜର ଆଧିପତ୍ୟ ବଜାୟ ରଖିଥିବା ବେଳେ ଏବେ ଆଗାମୀ ନିର୍ବାଚନରେ କଣ ହେବ ସେକଥା ତ ସମୟ କହିବ।
କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପ୍ରଥମେ ଭଗବାନ କହଁର ବିଧାୟକ ଓ ପରେ ଲଗାତାର ଦୁଇ ଥର ମହୀଧର ରଣା ବିଧାୟକ ରୂପେ କଣ୍ଟାମାଳରୁ ନିର୍ବାଚିତ ହୋଇଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ମହୀଧରଙ୍କ ଉପରେ ବିଜେଡି ଦଳ ଆସ୍ଥା ପ୍ରକଟ କରିଥିବା ବେଳେ ଏଥର କିନ୍ତୁ ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ଅଲଗା ରହିଛି । ମହୀଧରଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦି ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗଙ୍କ ଶିବିରରେ ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ଶେଷଦେବ ମେହେର ଓ ଆହୁରି ଅନେକ ତୁଙ୍ଗ ନେତାମାନଙ୍କୁ ଦେଖିବାକୁ ମିଳୁଛି ।ଏହାଛଡା କଣ୍ଟାମାଳ ବିଜେଡିର ଅନ୍ୟ ଏକ ଗୋଷ୍ଠୀ ମହୀଧରଙ୍କୁ ଖୋଲାଖୋଲି ବିରୋଧ କରୁଥିବା ଦେଖାଯାଉଛି । ସେପଟେ ଗତ ସୋମବାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କେତେକ ଯୁବ ନେତା ଭୁବନେଶ୍ୱରରେ ବିଜେଡି ଦଳରେ ସାମିଲ ହୋଇ ମହୀଧରଙ୍କୁ ଶକ୍ତିଶାଳୀ କରିବାକୁ ଚେଷ୍ଟା କରିଛନ୍ତି ।