ଓଡିଶା

odisha

ETV Bharat / politics

ମୁଣ୍ଡ ଉପରେ ନିର୍ବାଚନ; ସରକାରଙ୍କୁ ଘାରିଛି ଆନ୍ଦୋଳନ ଚିନ୍ତା - ବିଧାନସଭା ନିର୍ବାଚନ ୨୦୨୪

Odisha Election 2024: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । କିନ୍ତୁ ସରକାରଙ୍କୁ ଘାରିଛି ରାଜ୍ୟରେ ଚାଲିଥିବା ଆନ୍ଦୋଳନ ଟେନସନ । ଅକାଳରେ ପଡିଛି ଶାସକ ଦଳ ବିଜେଡି । ସେପଟେ ଫାଇଦା ଉଠାଇବାକୁ ଅଣ୍ଟା ଭିଡିଲେଣି ବିରୋଧୀ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Feb 25, 2024, 4:11 PM IST

ମୁଣ୍ଡ ଉପରେ ନିର୍ବାଚନ; ସରକାରଙ୍କୁ ଘାରିଛି ଆନ୍ଦୋଳନ ଚିନ୍ତା

ଭୁବନେଶ୍ୱର: ପାଖେଇଲାଣି ସାଧାରଣ ନିର୍ବାଚନ । କୌଣସି ମୁହୂର୍ତ୍ତରେ ବାଜିପାରେ ନିର୍ବାଚନୀ ବିଗୁଲ । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ସରକାରୀ ଓ ବେସରକାରୀ ଅନୁଷ୍ଠାନର ଆନ୍ଦୋଳନ । ମାଳ ମାଳ ସଂଗଠନ ନିଜର ଦାବି ପୂରଣ ପାଇଁ କିଏ ରାଜରାସ୍ତାରେ ତ ଆଉ କିଏ କାର୍ଯ୍ୟ ବନ୍ଦ କରି ମାଗୁଛି ନ୍ୟାୟ । ଏମିତିକି ଲୋକସେବା ଭବନ ଭିତରେ କଲମ ଛାଡ଼ ଆନ୍ଦୋଳନ କରୁଛନ୍ତି ଏଏସଓ । ଆନ୍ଦୋଳନକୁ ନେଇ ବ୍ୟାକ ଫୁଟରେ ଥିବା ସରକାର ଆକ୍ସନ ମୋଡକୁ ଆସିଛନ୍ତି । ନ୍ୟାୟ ବଦଳରେ ଆନ୍ଦୋଳନକୁ ଦମନ କରିବାକୁ ଯୋଜନା କରିଛନ୍ତି । ୨ ଦଫା ଦାବି ନେଇ କାର୍ଯ୍ୟ ବନ୍ଦ କରିଥିବା ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ନେତୃତ୍ବ ନେଉଥିବା ବ୍ୟକ୍ତିଙ୍କୁ ଚାକିରିରୁ ବିଦା କରିଛନ୍ତି ସରକାର । ସେହିପରି ହକ୍ ମାଗୁଥିବା ଏଏସଓ ତାଲିକା ସହ ଦରମା ବନ୍ଦ ଚେତାବନୀ ଦେଇଛନ୍ତି ସରକାର । ଶିକ୍ଷକ, ଗାଁ ସାଥୀ, ଅଙ୍ଗନୱାଡ଼ି, ଆଶାକର୍ମୀ, ସରପଞ୍ଚ ଓ ସମିତିସଭ୍ୟଙ୍କ ଆନ୍ଦୋଳନକୁ ମିଳିଛି କାର୍ଯ୍ୟାନୁଷ୍ଠାନର ଧମକ ।

ନିର୍ବାଚନ ପୂର୍ବରୁ ଏହାକୁ ପ୍ରସଙ୍ଗ କଲେଣି ବିରୋଧୀ । ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବିଜୁ ଜନତା ଦଳ ଆସନ୍ତା ନିର୍ବାଚନ ହାରିବା ଏକ ପ୍ରକାର ଥୟ । କାରଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନ କରି ନ୍ୟାୟ ମାଗୁଥିବା ସଂଗଠନକୁ ସରକାର ଭୟଭୀତ କରୁଛନ୍ତି । ଆନ୍ଦୋଳନକାରୀଙ୍କୁ ଚାକିରିରୁ ବି ବିଦା କଲେଣି । ଯିଏ ସ୍ୱର ଉଠାଉଚଛି ତାକୁ ଖତମ କରିବା ଆରମ୍ଭ କଲେଣି । ଏଏସଓ ହୁଅନ୍ତୁ ବା ଅଗ୍ନିଶମ ବାହିନୀଙ୍କ ବିରୋଧରେ ଏସମା ଲଗାଇ ଓ ଚାକିରିରୁ ବିଦା କରି କଣ୍ଠରୋଧ କରୁଛି ବିଜେଡି ସରକାର । ସରକାର ହାରିବା ଭୟରେ ଗଣତନ୍ତ୍ରର ଅଧିକାରକୁ ଚାପିବାକୁ ବସିଛି । ବିଜେପି ଏହାକୁ ବରଦାସ୍ତ କରିବନାହିଁ । ସେହିଭଳି ପିସିସି ସଭାପତି ଶରତ ପଟ୍ଟନାୟକ ସଂଗଠନମାନଙ୍କ ପ୍ରତି ଘଟିଥିବା ଅନ୍ୟାୟକୁ ନିନ୍ଦା କରିଛନ୍ତି । ଏହା ସହ ରାଜ୍ୟ ସରକାରଙ୍କ ଉପରେ ସେ ଜୋରଦାର ବର୍ଷିଛନ୍ତି । ବିଜେଡି ସରକାରର ପତନ ସମୟ ଆସିଥିବାରୁ ଏମିତି କରୁଥିବା ସେ କହିଛନ୍ତି ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ପୂର୍ବରୁ ଆନ୍ଦୋଳନ କରିଥିବା କିଛି ସଂଗଠନର ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ତଥାପି ଅନେକ ସଂଗଠନ ଅଛନ୍ତି, ଯାହାଙ୍କ ଦାବି ପୂରଣ ହୋଇନାହିଁ । ଯେଉଁମାନେ ଅଯଥା ଦାବି କରୁଛନ୍ତି ବୋଲି ସରକାର ଭାବୁଛନ୍ତି, ସେମାନଙ୍କ ବିରୋଧରେ ଆକ୍ସନ ନେବା ଆରମ୍ଭ କଲେଣି । ଆନ୍ଦୋଳନ ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ନିର୍ବାଚନ ପୂର୍ବରୁ କୌଣସି କଠୋର ଆଭିମୁଖ୍ୟ ରଖିବା ସରକାରଙ୍କ ପାଇଁ କଷ୍ଟ ।"

ଏହା ମଧ୍ୟ ପଢନ୍ତୁ: ରାଜ୍ୟ ବିଜେପିର ରହସ୍ୟଜନକ ନୀରବତା ପଛର କାରଣ କଣ ?

ଏହା ମଧ୍ୟ ପଢନ୍ତୁ:ଦିଅର ବନାମ ଭାଉଜ ଲଢେଇ, କାହାର ହେବ ବଲାଙ୍ଗୀର ?

ସେପଟେ ଶ୍ରମ ମନ୍ତ୍ରୀ ସାରଦା ନାୟକ କହିଛନ୍ତି, "ସରକାର ଏକ ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ ଅନେକ ଯୋଜନା ହାତକୁ ନେଇଛନ୍ତି ଯାହା ଇତିହାସ ସୃଷ୍ଟି କରିଛି । ସରକାର ତା' ଆୟକୁ ନେଇ ବ୍ୟୟ କରେ । ସମସ୍ତେ ଦାବି କରନ୍ତି । କିନ୍ତୁ ଏହାକୁ ପୂରଣ କରିବା ପାଇଁ ସମୟ ଲାଗେ । ଯଦି ଜଣଙ୍କ ଦାବି ଶୁଣାଯାଏ ଅନ୍ୟମାନେ ଅଭିଯୋଗ କରନ୍ତି । ସବୁବେଳେ ଆମ ସରକାର ଲୋକଙ୍କ ହିତ ପାଇଁ ଅଛନ୍ତି । ସମସ୍ତଙ୍କ ଦାବି ଠିକ ବୋଲି କହିବା ଠିକ ନୁହେଁ କି ଯୁକ୍ତି ସଂଗତ ନୁହେଁ । ଡିମାଣ୍ଡ ପୂରଣ ପାଇଁ ସରକାର ପାରିପାର୍ଶିକ ସ୍ଥିତିକୁ ନଜର ରଖନ୍ତି । ସରକାରୀ କର୍ମଚାରୀ ହୁଅନ୍ତୁ ଅବା ସଂଗଠନର ଦାବି ଉପରେ ସରକାର ନଜର ରଖିଛନ୍ତି । କାହା ବିରୋଧରେ ଅନ୍ୟାୟ କରିନାହାନ୍ତି ।"

ବିଜେଡିର ପଞ୍ଚମ ପାଳିର ସରକାର ଶେଷ ହେବାକୁ ଯାଉଛି । ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ଷଷ୍ଠ ଥର ସରକାର ଗଢ଼ିବାକୁ କଳ, ବଳ ଓ କୌଶଳ ଲଗେଇଛନ୍ତି ସରକାର । ଆନ୍ଦୋଳନକାରୀଙ୍କୁ ନାଲି ଆଖି ଭୋଟରେ କି ପ୍ରଭାବ ପକାଉଛି ତା' ଉପରେ ନଜର ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details