ଭୁବନେଶ୍ବର:ଏଥର ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ କଡା ଲଢେଇ ହେଉଛି । ବିଜେପି କେନ୍ଦ୍ରୀୟ ନେତାମାନଙ୍କ ତୁଫାନୀ ଗସ୍ତ ଓ ଆକ୍ରମଣାତ୍ମକ ମାରାଥନ ପ୍ରଚାର ପ୍ରାୟତଃ ଏହି ସଙ୍କେତକୁ ସ୍ପଷ୍ଟ କରିସାରିଲାଣି । ନିକଟରେ ରାଜଧାନୀ ଭୁବନେଶ୍ବରରେ ରୋଡ ଶୋ’ ଓ ପଶ୍ଚିମ-ଓଡ଼ିଶାରେ ସିରିଜ ପ୍ରଚାର କରି ଫେରିଥିବା ବିଜେପିର ଶୀର୍ଷ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ନିର୍ବାଚନୀ କାର୍ଯ୍ୟକ୍ରମରେ ଏହା ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଓଡ଼ିଶା ଗସ୍ତ । ଆଜି (ରବିବାର) ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ । ଆସନ୍ତକାଲି (ସୋମବାର) ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ଓ ପରେ ବଡଦାଣ୍ଡରେ ରୋଡ ସୋ’ କରିବେ ।
ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆଜି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବେ । ସଂଧ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକ କରିବା ସହ ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳୁ ସେ ଭୁବନେଶ୍ବର ବିମାନ ବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିବେ । ପ୍ରଥମେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ବଡଦାଣ୍ଡରେ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଅନ୍ୟ ଦୁଇଟି ପୃଥକ ନିର୍ବାଚନୀ କାର୍ଯ୍ୟକ୍ରମ ମଧ୍ୟ ରହିଛି । ପୁରୀରୁ ସିଧା ଅନୁଗୋଳ ଯିବେ ପ୍ରଧାନମନ୍ତ୍ରୀ । ସେଠାରେ ପୂର୍ବାହ୍ନ ପ୍ରାୟ 10ଟାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ସେଠାରୁ ପୁନଶ୍ଚ ସେ କଟକ ଫେରିଆସି ପ୍ରାୟ 11ଟା ସମୟରେ ଅନ୍ୟ ଏକ ନିର୍ବାଚନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କର ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ତେବେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ଚଳିତ ନିର୍ବାଚନରେ ତୃତୀୟ ଓଡ଼ିଶା ଗସ୍ତ । ରାଜଧାନୀ ଭୁବନେଶ୍ବର ପରେ ପୁରୀରେ ପ୍ରଥମ ରୋଡ ସୋ’ କାର୍ଯ୍ୟକ୍ରମ । ଏଥିପାଇଁ ଭୁବନେଶ୍ବରରେ କମିସନରେଟ ପୋଲିସ ଏବଂ ପୁରୀରେ ଜିଲ୍ଲା ପୋଲିସ ଓ ପ୍ରଶାସନ ବ୍ଲ୍ୟୁ-ବୁକ ପ୍ରୋଟୋକଲ ଅନୁସାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ବିଜେପି ଶିବିରରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଛି । 400 ପାର୍ ନାରା ସହ ନିର୍ବାଚନୀ ଗ୍ରାଉଣ୍ଡକୁ ଓହ୍ଲାଇଥିବା ବିଜେପି ଏଥର ଓଡିଶାରେ ପୂର୍ବାପେକ୍ଷା ଅଧିକ ଲୋକସଭା ଆସନ ଜିତିବା ମିଶନରେ ପ୍ରଚାର ଜାରି ରଖିଛି । ଏଥର ରାଜ୍ୟରେ ମଧ୍ୟ ସରକାର ପରିବର୍ତ୍ତନ ହେବ ବୋଲି ଦଳ ଦୃଢୋକ୍ତି ଦେଖାଉଛି ।