କଟକ: ସିଲଭର ସିଟିରେ 'ଜୟ ଜଗନ୍ନାଥ' କହି ଓଡ଼ିଆରେ ଭାଷଣ ଆରମ୍ଭ କଲେ ମୋଦି । କଟକ ଚଣ୍ଡୀ ଓ ମା' ଭଟ୍ଟାରିକାଙ୍କୁ କଲେ ପ୍ରଣାମ । ଗତକାଲି ସନ୍ଧ୍ୟାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି କଟକରେ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ କଲେ ଟାର୍ଗେଟ । କହିଲେ ବିଜେଡି ସରକାର ଓଡ଼ିଶାକୁ ଦେଇଛି ଲ୍ୟାଣ୍ଡ, ସ୍ୟାଣ୍ଡ୍, କୋଇଲା ଓ ଖଣି ମାଫିଆ । ସେହିଭଳି ଓଡ଼ିଶା ସରକାରକୁ ଜଣେ ମାଫିଆ କବ୍ଜା କରି ରଖିଥିବା କହିଲେ ମୋଦି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ତାମିଲନାଡ଼ୁରେ ଥିବା କହିବା ସହିତ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
'ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ପଳାଇଛି': ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ବିଜୟ ସଂକଳ୍ପ ସମାବେଶରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ଜୋରଦାର ଆକ୍ରମଣ କରିଥିଲେ । ସବୁଠାରୁ ବଡ଼କଥା ହେଉଛି ଏଠାରେ ପୁଣି ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ବିଜେଡି ସରକାରକୁ ଟାର୍ଗେଟ କରିଥିଲେ । ପରୋକ୍ଷରେ ପାଣ୍ଡିଆନଙ୍କ ଉପରେ ମଧ୍ୟ ବର୍ଷିଥିଲେ ମୋଦି । ସେ କହିଥିଲେ, "ଲୋକ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ପଳାଇଛି । ରତ୍ନଭଣ୍ଡାର ଚାବି ଓଡ଼ିଶା କିଏ ନେଇଛି ? ଯାଞ୍ଚ କମିଟି ରିପୋର୍ଟକୁ ଚାପି ଦିଆଯାଇଛି । ବାରମ୍ବାର ଦାବି ସତ୍ତ୍ବେ ଏହାକୁ ସାର୍ବଜନୀନ କରାଯାଉନାହିଁ । ଶ୍ରୀମନ୍ଦିର ଓଡ଼ିଶାବାସୀଙ୍କ ଭାବାବେଗ ସହ ଜଡ଼ିତ । ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳୁଥିବା ଲୋକଙ୍କୁ କେବେ କ୍ଷମା ମିଳିବ ନାହିଁ । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଚାବିର ରାଜ ଖୋଲିବ । ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ ।" ତେବେ ଯଦି କିଛି ଗଡ଼ବଡ଼ ଥିବ, ମୋଦି କାହାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି ।
'ଓଡ଼ିଶାରେ ଜଣେ ମାଫିଆ ଚଳାଇଛି ସରକାର': କଟକ ସଭାରେ ବିଜେଡି ସରକାରକୁ ଲୁଟେରା ସରକାର ବୋଲି କହି ବର୍ଷିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, "ଶାସନ ଆରମ୍ଭରୁ ଓଡିଶାବାସୀଙ୍କୁ ଲୁଟି ଚାଲିଛି ବିଜେଡି ସରକାର । ବାଲି, ମାଟି, ଖଣି, ଇତ୍ୟାଦି ମାଫିଆ ରାଜ ରାଜ୍ୟରେ ଚାଲିଛି । ରାଜ୍ୟରେ ବିଜେଡିର ଭ୍ରଷ୍ଟାଚାର ପାଇଁ ରାଜ୍ୟର ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ୁଛି । ଜଣେ ମାଫିଆ ବିଜେଡିକୁ କବଜା କରିଛି । ସେହି ମାଫିଆ ସବୁ ସେକ୍ଟରକୁ କବ୍ଜା କରିଛି । ବିଜେଡି ନେତା ମାଫିଆଗିରିରେ ୨୪ ଘଣ୍ଟା ଲାଗିଛନ୍ତି ।" ଜୁନ୍ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ ବୋଲି ମୋଦି କହିଛନ୍ତି ।