ଖୋର୍ଦ୍ଧା: ଆସନ୍ତା 25 ତାରିଖରେ ଜଟଣୀ ବିଧାନସଭା ଆସନ ପାଇଁ ପଡିବ ଭୋଟ । ହାତରେ ଆଉ ମାତ୍ର 3 ଦିନ ଥିବାରୁ ପ୍ରଚାରକୁ ଜୋର କରିଛନ୍ତି ପ୍ରତିଦ୍ବନ୍ଦ୍ବୀ ଦଳର ପ୍ରାର୍ଥୀ । ଘନଘନ ପ୍ରଚାର କରି ଭୋଟରଙ୍କୁ ପୁଳାପୁଳା ପ୍ରତିଶ୍ରୁତି ଦେବା ସହ ଭୋଟ ଭିକ୍ଷା କରୁଛନ୍ତି । ସଭା, ସମିତି ଓ ରାଲିରେ କମ୍ପୁଛି ଜଟଣୀ । ଚଳିତ ଥର ଜଟଣୀ ବିଧାନସଭା ଆସନକୁ ବିଜେଡିରୁ ବିଭୁତି ଭୂଷଣ ବଳବନ୍ତରାୟ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ବିଶ୍ୱରଞ୍ଜନ ବଡଜେନା ଓ କଂଗ୍ରେସ ସନ୍ତୋଷ କୁମାର ଜେନାଙ୍କ ଉପରେ ଭରସା କରିଛି ଦଳ । ଅନ୍ୟପଟେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ସୁଜିତ ବଳବନ୍ତରାୟ ।
2024ରେ ଜଟଣୀ କାହାର ? : 2009ରେ ବିଜେଡି, 2014ରେ ବିଜେଡି ଓ 2019ରେ କଂଗ୍ରେସ ଏହି ଆସନରେ ବାଜିମାତ କରିଥିବା ବେଳେ 2024ରେ ଜଟଣୀ ଗଡରେ କାହାର ହେବ ବିଜୟ । ଜଟଣୀ ଆସନ ହାତେଇବାକୁ ବିଭିନ୍ନ ସ୍ଥାନରେ ରାଲି କରିଥିବା ସହିତ କର୍ମୀ ସମ୍ମିଳନୀ କରି ନିଜ ଦମ ଦେଖାଉଛନ୍ତି 4 ପ୍ରାର୍ଥୀ । ଜଟଣୀ ନିର୍ବାଚନ ମଣ୍ଡଳୀରେ 2009 ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଭୁତି ଭୂଷଣ ବଳବନ୍ତରାୟ 55 ହଜାର 573 ଖଣ୍ଡ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟଙ୍କଠାରୁ 14 ହଜାର 925 ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । 2014ରେ ବିଜେଡି ପ୍ରାର୍ଥୀ ଭାଗିରଥି ବଡ଼ଜେନା 60 ହଜାର 976 ଖଣ୍ଡ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟଙ୍କଠାରୁ 5 ହଜାର 747 ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । 2019ରେ କିନ୍ତୁ ବିଜେଡିଠାରୁ ଏହି ଆସନ ଛଡାଇ ନେଇଥିଲା କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟ 68 ହଜାର 841 ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟଙ୍କଠାରୁ 7 ହଜାର 522 ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ।
'ବିଜେଡିର ହେବ ଏକ ତରଫା ବିଜୟ':ତେବେ ଚଳିତ ନିର୍ବାଚନରେ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ବିଜେଡିରୁ ସାଂସଦ ପ୍ରାର୍ଥୀ ହେବା ପରେ ବିଜେଡି ଏଠାରେ ସହଜ ବିଜୟୀ ଲକ୍ଷ୍ୟରେ ଅଛି । ବିଜେଡି କର୍ମୀ ସମ୍ମୀଳନୀ କରିବା ସହିତ ଘରେ ଘରେ ପହଞ୍ଚି ସରକାରଙ୍କ ବିଭିନ୍ନ ସଫଳ ଯୋଜନା ସହିତ ଆଗାମୀ ଦିନରେ ଅନେକ ଯୋଜନା ଆଣିବା ଆଶାଦେଇ ଚଳାଇଛି ପ୍ରଚାର । ବିଧାୟକ ପ୍ରାର୍ଥୀ କର୍ମୀ ସମ୍ମିଳନୀରେ କର୍ମୀମାନଙ୍କ ସହିତ ବିଜୟ ଡଙ୍ଗାରେ ଯାତ୍ରା କରିବାକୁ କହିଛନ୍ତି ବିଭୁତି ଭୂଷଣ ବଳବନ୍ତରାୟ । ବିଜେଡି ପ୍ରାର୍ଥୀ ବିଭୁତି ଭୂଷଣ ବଳବନ୍ତରାୟ କହିଛନ୍ତି, ''ବିଭୁତି ଭୂଷଣ ବଳବନ୍ତରାୟ ବିଜେଡି ଏକ ଦଳରେ ସିମିତ ନାହିଁ ବରଂ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଏଥିରେ ସମସ୍ତଙ୍କ ସକ୍ରିୟ ସହଯୋଗ ରହିଛି । ଜଟଣୀରେ ଚଳିତ ଥର ବିଜେଡିର ଏକ ତରଫା ବିଜୟ ହେବ । ''