ଭୁବନେଶ୍ବର: ଆଜି ରାଜ୍ୟରେ ଚାଲିଥିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ତେବେ ମତଦାନ ପରେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡଃ ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଯେଉଁଥିରେ ତୃତୀୟ ପର୍ଯ୍ୟାୟ ମତଦାନ ପରେ ରାଜ୍ୟରେ ବିଜେଡି ସରକାର ହେଉଛି ବୋଲି ସେ କହିଛନ୍ତି । ଏହାଛଡା ଓଡିଶା ବିଜେପି ବଡ଼ ଧରଣର ପରାଜୟ ଆଡ଼କୁ ଗତି କରୁଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।
ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ଯେ, ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟ ଶେଷରେ ବିନମ୍ରତାର ସହ କହିବାକୁ ଚାହୁଁଛୁ ଯେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଓଡ଼ିଶାରେ ସରକାର ଗଠନ କରୁଛି । ଗ୍ରାଉଣ୍ଡରୁ ଆସୁଥିବା ସୂଚନା ଅନୁସାରେ ବିଜେଡି ଓଡ଼ିଶାରେ ସରକାର ଗଢୁଛି । ଭୋଟର ମାନେ ଆମକୁ ବହୁଳ ମାତ୍ରାରେ ସମର୍ଥନ କରିଛନ୍ତି । ସମ୍ୱଲପୁର, ପୁରୀ, ଭୁବନେଶ୍ୱର, କଟକ, କେନ୍ଦୁଝର ଓ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀମାନେ ଆଶୀର୍ବାଦ କରିଛନ୍ତି । ବିଜେଡିକୁ ନିରନ୍ତର ସମର୍ଥନ ପାଇଁ ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ପ୍ରଥମ ଦୁଇ ପର୍ଯ୍ୟାୟର ସମସ୍ତ ଭୋଟର ଭାଇ ଭଉଣୀଙ୍କୁ ସେମାନଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ମଧ୍ୟ ଧନ୍ୟବାଦ ଜଣାଉଛନ୍ତି । ତୃତୀୟ ପର୍ଯ୍ୟାୟ ପରେ ବିଜେଡି ସରକାର ଗଢ଼ିବା ନିଶ୍ଚିତ ହୋଇଥିବା ବେଳେ ଓଡ଼ିଶା ବିଜେପି ବଡ଼ ଧରଣର ପରାଜୟ ଆଡ଼କୁ ଗତି କରୁଛି ବୋଲି ସେ କହିଛନ୍ତି ।