ଅନୁଗୋଳ:ରାଜ୍ୟରେ ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ । ନିର୍ବାଚନୀ ବୈତରଣୀ ପାର୍ ହେବାକୁ ସବୁ ପ୍ରକାର ରଣକୌଶଳ ଆପଣାଉଛନ୍ତି ବିଭିନ୍ନ ରାଜନୈତିକ ଦଳ । ଜୋରଦାର ପ୍ରଚାର ସହ ପ୍ରତିଶ୍ରୁତି ବର୍ଷା କରୁଛନ୍ତି ପ୍ରାର୍ଥୀ । ଏହି କ୍ରମରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଢ଼େଙ୍କାନାଳ ଲୋକସଭା ପ୍ରାର୍ଥୀ ଇଂ ସସ୍ମିତା ବେହେରା ନିଜସ୍ୱ ୧୦ ଦଫା ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରି ଅନୁଗୋଳ ଓ ଢେଙ୍କାନାଳର ଅଧୁରା ସ୍ୱପ୍ନକୁ ପୁରା କରିବାର ଏକ ରୋଡ଼ମ୍ୟାପ ଉପସ୍ଥାପନ କରିଛନ୍ତି । ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଆଶୀର୍ବାଦ ରହିଛି ବୋଲି ପ୍ରକାଶ କରି ଯେଉଁମାନେ ଅନୁଗୋଳ, ଢେଙ୍କାନାଳ ଲୋକଙ୍କୁ ଅଣଦେଖା କରି ବାହାରିଆଙ୍କ ସହ ମିଶି ଲୁଟୁଛନ୍ତି, ସାଂସଦ ଓ ବିଧାୟକମାନେ ଓଡ଼ିଶାର ନେତୃତ୍ଵ ନେବା ବଦଳରେ ଠିକାଦାର ପାଲଟିଛନ୍ତି, ପିସି କାରବାର ଚଳାଇଛନ୍ତି, ଏହି ଲଢେଇ ସେହି ଲୁଟିଖିଆଙ୍କ ବିରୁଦ୍ଧରେ ଏବଂ ଖଟିଖିଆଙ୍କ ଅଧିକାର, ରୋଜଗାର ଓ ବାସ୍ତବିକ ବିକାଶର ପାଇଁ ଆନ୍ଦୋଳନ ବୋଲି କଂଗ୍ରେସ ପ୍ରାର୍ଥୀ କହିଛନ୍ତି । ତେଣୁ ବିଜେପି-ବିଜେଡିର ଅଦୃଶ୍ୟ ମେଣ୍ଟର ସରକାରକୁ ହଟାଇ କଂଗ୍ରେସ ସରକାର ଗଢିବା ପାଇଁ ହାତ ଚି଼ହ୍ନକୁ ଦୁଇଟି ଭୋଟ ଦେଇ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି ।
ଏହି ଗ୍ୟାରେଣ୍ଟି କାର୍ଡରେ ମହିଳା, ଯୁବ, ଛାତ୍ର, ଚାଷୀ, ମଜଦୁର, ବେରୋଜଗାରଙ୍କୁ ଗୁରୁତ୍ୱ ଦେବା ସହ ଅନୁଗୋଳ, ଢେଙ୍କାନାଳର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ପ୍ରାଥମିକତା ରହିବ ବୋଲି ଉଲ୍ଲେଖ କରିଛନ୍ତି । ଲୋକଙ୍କ ଆଶୀର୍ବାଦରୁ ବିଜୟୀ ହେଲେ ସେ ନିଜର ପ୍ରତ୍ୟେକ ମାସର ଭତ୍ତାକୁ ସଂସଦୀୟ କ୍ଷେତ୍ରର ମହିଳା ସଶକ୍ତିକରଣ ପାଇଁ ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ନିଶା ମୁକ୍ତ ଢେଙ୍କାନାଳ, ଅନୁଗୋଳ ଗଢିବା, ବେରୋଜଗାରୀକୁ ରୋଜଗାର, ମାଆ-ଭରଣୀଙ୍କ ସୁରକ୍ଷା, ସ୍ୱାଭିମାନ ଓ ସମ୍ମାନ ତଥା ନିମ୍ନଲିଖିତ ଜନହିତକାରୀ ବିଷୟକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉତ୍ତୋଳନ କରିବେ ବୋଲି କହିଛନ୍ତି । ସେ ନିଜ ଗ୍ୟାରେଣ୍ଟି କାର୍ଡରେ ଉଲ୍ଲେଖ କରିଛନ୍ତି:-
୧. ଢେଙ୍କାନାଳ ଓ ଅନୁଗୋଳ ଜ଼ିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ତଥା ପୁନଃ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ଗତ ୧୦ ବର୍ଷରେ ପ୍ରାୟ ୨୦୦ ଦୁର୍ଘଟଣାରେ ୪୦୦ ଲୋକଙ୍କର ମୃତ୍ୟୁ ହୋଇଛି l ଉଭୟ ବିଜେପି ଓ ବିଜେଡି ନେତାଙ୍କର ଅବହେଳା ଯୋଗୁଁ ୫୫ ନମ୍ବର ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି, ତାହା ଅତିଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବେ ।
୨. ବହୁ ଜନଆନ୍ଦୋଳନ ପରେ ମଧ୍ୟ ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇପାରିନଥିବା ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ, ତାଳଚେରରେ ମେଡିକାଲ କଲେଜ ଓ ଅନୁଗୋଳରେ ସୁପରସ୍ପେସିଆଲିଷ୍ଟ ହସ୍ପିଟାଲ ତୁରନ୍ତ ଚାଲୁ ହେବ ।
୩. ଉଭୟ କେନ୍ଦ୍ର ଓ ରାଜ୍ୟ ସଂସ୍ଥା “କେନ୍ଦ୍ରୀୟ ପୋଲ୍ଲୁସନ କଣ୍ଟ୍ରୋଲ ବୋର୍ଡ” ଓ “ରାଜ୍ୟ ପୋଲ୍ଲୁସନ କଣ୍ଟ୍ରୋଲ ବୋର୍ଡ”ର ଚରମ ନିଷ୍କ୍ରିୟତା ଯୋଗୁଁ ଓ “ପୁଞ୍ଜିପତି ରାଜ ” କାରଣରୁ ଅନୁଗୋଳ, ତାଳଚେର ଓ ମେରାମୁଣ୍ଡଳୀ ଅଞ୍ଚଳ ଦେଶର ପ୍ରମୁଖ ପ୍ରଦୂଷିତ ଅଞ୍ଚଳ ରୂପେ ଗଢି ଉଠିଛି l
୪. କୋଇଲା, ଲୁହାପଥର ସମେତ ବିଭିନ୍ନ ଖଣିଜ ପଦାର୍ଥ ଓ ଯନ୍ତ୍ରପାତି ପରିବହନ ପାଇଁ ସ୍ୱତନ୍ତ୍ର ପରିବହନ କୋରିଡର ତିଆରି ନକରି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ରାସ୍ତାରେ ଦୈନିକ ହଜାର ହଜାର ଗାଡି ଚଳାଚଳ କରୁଥିବାରୁ ବ୍ୟାପକ ଟ୍ରାଫିକ ସମସ୍ୟା ଓ ପ୍ରଦୂଷଣ ସୃଷ୍ଟି ହେଉଛି l
୫. ବିଜେଡି ଓ ବିଜେପି ନେତାମାନେ ବିଭିନ୍ନ ଉପାୟରେ ଶିଳ୍ପ ଓ ଖଣି ସଂସ୍ଥାଗୁଡିକ ଠାରୁ ପ୍ରଚୁର ଅନୈତିକ ଲାଭ ନେଉଥିବାରୁ, ସ୍ଥାନୀୟ ବେକାର ଯୁବକ ଯୁବତୀମାନେ ନିଯୁକ୍ତି ଓ କର୍ମ ସଂସ୍ଥାନରୁ ବଞ୍ଚିତ ହୋଇ ଦାଦନ ଖଟିବାକୁ ଯାଉଛନ୍ତି ।