ଓଡିଶା

odisha

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା; ହେଲିପ୍ୟାଡ ନିର୍ମାଣ ପାଇଁ କିଏ ଦେଉଥିଲା ନିର୍ଦ୍ଦେଶ, ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ - Pandian Chopper Rides Politics

By ETV Bharat Odisha Team

Published : Aug 11, 2024, 4:47 PM IST

Pandian Chopper Rides Politics: ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ପାଇଁ କିଏ ଦେଉଥିଲା ନିର୍ଦ୍ଦେଶ ? କାହା ନିର୍ଦ୍ଦେଶରେ ହେଲିପ୍ୟାଡ ନିର୍ମାଣ ହେଉଥିଲା ? ତଦନ୍ତ ପରେ ଦଣ୍ଡ ଦିଆଯିବ କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେପଟେ ବିଜେଡି କହିଲା ରାଜ୍ୟ ସରକାର ସୁଶାସନ ଉପରେ ଧ୍ୟାନ ଦିଅନ୍ତୁ । ଅଧିକ ପଢନ୍ତୁ

Pandian Chopper Rides Politics
Pandian Chopper Rides Politics (ETV Bharat Odisha)

ଭୁବନେଶ୍ବର:ପୁଣି ଗଣମାଧ୍ୟମର ଶିରୋନାମାରେ ଭିକେ ପାଣ୍ଡିଆନ । ତାଙ୍କ ହେଲିକପ୍ଟର ବୁଲା ନେଇ ଚାଲିଛି ତଦନ୍ତ ପ୍ରକ୍ରିୟା । ପାଣ୍ଡିଆନ ହେଲିକପ୍ଟର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା ? ରାଜ୍ୟର ବିଭିନ୍ନ ସ୍ଥାନରେ ହେଲିପ୍ୟାଡ ନିର୍ମାଣ ପାଇଁ କିଏ ନିର୍ଦ୍ଦେଶ ଦେଉଥିଲା ? କାହା ନିର୍ଦ୍ଦେଶରେ ଏସବୁ ଚାଲିଥିଲା ? ପାଣ୍ଡିଆନ ହେଲିକପ୍ଟର ବୁଲା ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା । ଏସବୁ ତଦନ୍ତ ପରିସରଭୁକ୍ତ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେପଟେ ଡବଲ ଇଞ୍ଜିନ ସରକାର ସୁଶାସନ ଉପରେ ଧ୍ୟାନ ଦିଅନ୍ତୁ ବୋଲି କହିଲା ବିଜେଡି । କଂଗ୍ରେସ କହିଲା ସରକାର ଗୋଟିଏ ଦୁଇଟି ଦୁର୍ନୀତି କଥା କହି ବଡ଼ ଦୁର୍ନୀତିକୁ ଭୁଲି ନ ଯାଆନ୍ତୁ ।

ହେଲିପ୍ୟାଡ ନିର୍ମାଣ ପାଇଁ କିଏ ଦେଉଥିଲା ନିର୍ଦ୍ଦେଶ, ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ (ETV Bharat Odisha)

ପୂର୍ବ ସରକାରରେ ଜଣେ ସଚିବ ହେଲିକପ୍ଟରରେ ବୁଲି ଅଭିଯୋଗ ପତ୍ର ଆଣୁଥିଲେ । ପ୍ରତ୍ୟେକ ଜିଲ୍ଲା ବୁଲି ଅଭିଯୋଗର ଶୁଣାଣି ମଧ୍ୟ କରୁଥିଲେ । ହେଲେ ରାଜ୍ୟରେ ଏବେ ସରକାର ବଦଳିଛି । ବିଜେପି ସରକାର ଆସିଛି । ତେବେ ଏହି ହେଲିକପ୍ଟର ଯୋଗେ ରାଜ୍ୟ ବୁଲିବା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରିବା ଉପରେ ହେବ ତଦନ୍ତ । ତଦନ୍ତ ପରେ ଦୋଷୀକୁ ଦଣ୍ଡ ଦିଆଯିବ ବୋଲି ରାଜ୍ୟ ସରକାର କହୁଛନ୍ତି । ତେବେ ଏହା ଉପରେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି ।

କଣ କହିଲେ ଆଇନ ମନ୍ତ୍ରୀ ?

ଏନେଇ ଆଇନ ମନ୍ତ୍ରୀ କହିଛନ୍ତି, " ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତ ହେବ । ଜଣେ ସଚିବଙ୍କୁ ହେଲିକପ୍ଟରର ବୁଲିବାକୁ ଅନୁମତି କିଏ ଦେଲା ? ପାଣ୍ଡିଆନ ହେଲିକପ୍ଟର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା, ତାର ସ୍ପଷ୍ଟତା ଆସିବା ଦରକାର ତେଣୁ ତଦନ୍ତ ହେବା ଆବଶ୍ୟକତା ରହିଛି । ତାଙ୍କ ହେଲିପ୍ୟାଡ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଯାଉଥିଲା ଏବଂ ସରକାରୀ ଖର୍ଚ୍ଚରେ ହେଲିପ୍ୟାଡ ନିର୍ମାଣ କରାଯାଉଥିଲା । ପାଖାପାଖି 450 ଜାଗା ସେ ବୁଲିଛନ୍ତି । ହେଲିପ୍ୟାଡ ନିର୍ମାଣ ଲାଗି ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ । କିଏ ନିର୍ଦ୍ଦେଶ ଦେଇଥିଲା ଏବଂ କେମିତି ନିର୍ଦ୍ଦେଶ ଦେଉଥିଲା ? ବିଭାଗୀୟ ସଚିବ ଯାହାର ହେଲିକପ୍ଟର ବ୍ୟବହାର କରିବାର ପ୍ରବଧାନ ନାହିଁ, ସରକାର କେମିତି ଅନୁମତି ଦେଇଥିଲେ, ହେଲିକପ୍ଟର ଅବତରଣ କରିବା ପାଇଁ ପ୍ରୋସେସ କରିଥିଲେ, ଏ ସବୁ ତଦନ୍ତ ପରିସରଭୁକ୍ତ ହେବ । ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ ।"

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା (ETV Bharat Odisha)

'ସୁଶାସନ ଉପରେ ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର'

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ନେତା ସମ୍ବିତ ରାଉତରାୟ କହିଛନ୍ତି, "ପାଣ୍ଡିଆନ ହେଲିକପ୍ଟରରେ ବୁଲି ଜନଶୁଣାଣି କରୁଥିଲେ । ମଠ ମନ୍ଦିର ବିକାଶ ହୋଇଛି । ଏ ସରକାର ଆସିବା ପରେ ପିସି କାରବାର ବଢିଛି । ଯାଜପୁରରେ କାମ କରି ଦେଉନାହାନ୍ତି । ସେମାନେ ଆକସ୍ମିକ ଶାସନକୁ ଆସିଛନ୍ତି । ସେଥିପାଇଁ କହୁଛନ୍ତି ପୂର୍ବ ସରକାରର ଦୁର୍ନୀତିକୁ ତଦନ୍ତ କରିବେ । ଯଦି ନବୀନ ସରକାର ଦୁର୍ନୀତି ଗ୍ରସ୍ତ ଥିଲେ ତାହାଲେ ଏତେ ବର୍ଷ ଶାସନ କଲେ କେମିତି ? ଡବଲ ଇଞ୍ଜିନ ଶାସନ କେମିତି ହେବ ତା' ଉପରେ ଧ୍ୟାନ ଦିଅନ୍ତୁ । ନିଜକୁ ସୁଶାସନର ସରକାର କହୁଥିବା ବିଜେପି ନିଜ ପରାକାଷ୍ଠା ଦେଖନ୍ତୁ ।"

କଂଗ୍ରେସ ରଖିଲା ପ୍ରତିକ୍ରିୟା (ETV Bharat Odisha)

'ଗୋଟିଏ ଦୁଇଟି ଦୁର୍ନୀତି କଥା କହି ବଡ଼ ଦୁର୍ନୀତିକୁ ଭୁଲି ନ ଯାଆନ୍ତୁ ସରକାର'

ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, "କେବଳ ପାଣ୍ଡିଆନଙ୍କ ହେଲିକେପ୍ଟର ବୁଲା ନୁହେଁ ଅନେକ ଦୁର୍ନୀତି କଥା କଂଗ୍ରେସ ଉଠେଇଥିଲା । ପାନୀୟ ଜଳ ପାଇଁ ମୁଷ୍ଟିମେୟ ବାହାର କଣ୍ଟ୍ରାକ୍ଟର କେମିତି କାମ ଦିଆଯାଇଥିଲା ତାହାର ତଦନ୍ତ ହେଉ । କୋଭିଡ ବେଳେ ହୋଇଥିବା ଦୁର୍ନୀତିର ବି ତଦନ୍ତ ହେବା ଦରକାର । ବିଦ୍ୟୁତ ସରଞ୍ଜାମ, ଭିତ୍ତିଭୂମି ପାଇଁ ଶକ୍ତି ବିଭାଗ ପକ୍ଷରୁ ବ୍ୟାପକ ଦୁର୍ନୀତି ନେଇ କଂଗ୍ରେସ ସ୍ବର ଉତ୍ତୋଳନ କରିଥିଲା । କେବଳ ଗୋଟିଏ ଦୁଇଟି ଘଟଣାର ତଦନ୍ତ କଥା କହି ବଡ଼ ଦୁର୍ନୀତିକୁ ଭୁଲି ନ ଯାଆନ୍ତୁ ସରକାର ।"

ଏହା ବି ପଢନ୍ତୁ- ହେଲିକପ୍ଟର ଗସ୍ତରେ କେତେ ଖର୍ଚ୍ଚ କରିଥିଲେ ପାଣ୍ଡିଆନ; ହିସାବ କରୁଛନ୍ତି ମୋହନ ସରକାର

ଏହା ବି ପଢନ୍ତୁ- ପାଣ୍ଡିଆନଙ୍କ 75ଥର ହେଲିକପ୍ଟର ଗସ୍ତ, ଖର୍ଚ୍ଚ ହେଲାଣି 500କୋଟି; ଜବାବ ମାଗିଲା ବିଜେପି

75ଥର ବୁଲି 500 କୋଟି ଖର୍ଚ୍ଚ କରିଥିଲେ ପାଣ୍ଡିଆନ !

ବିଜେପି ସରକାରକୁ ଆସିବା ପୂର୍ବରୁ ଏକ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରିଥିଲା । ଉକ୍ତ ରିପୋର୍ଟ ଅନୁସାରେ ଜାନୁଆରୀ 1ରୁ ଜୁନ ଭିତରେ 75 ଥର ହେଲିକପ୍ଟର ଏବଂ ଚାଟାର୍ଡ ଫ୍ଲାଇଟ ଉଡ଼ିଥିଲା । ଗୋଟିଏ ଗୋଟିଏ ଗସ୍ତ ପାଇଁ 15ରୁ 20 କୋଟି ଖର୍ଚ୍ଚ ହେଉଥିଲା । ପାଣ୍ଡିଆନ 75ଥର ହେଲିକପ୍ଟରରେ ବୁଲି 500କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ବିଜେପି ଗତବର୍ଷ ସେପ୍ଟେମ୍ବରରେ ଏଭଳି ଅଭିଯୋଗ ଆଣିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details