ଓଡିଶା

odisha

By ETV Bharat Odisha Team

Published : Jan 30, 2024, 10:31 PM IST

Updated : Jan 30, 2024, 10:37 PM IST

ETV Bharat / politics

ଓଡିଆ ଝିଅ କଳ୍ପନା ସୋରେନ ହେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ! ହେମନ୍ତଙ୍କ ପ୍ଲାନ ‘ବି’ ନେଇ ବଢିଲା ଚର୍ଚ୍ଚା

Plan B and beyond of Hemant Soren: ସ୍ବାମୀଙ୍କ ପ୍ଲାନ ‘ବି’ ହେବେ ସ୍ତ୍ରୀ ! କଳ୍ପନା ସୋରେନଙ୍କୁ ନେଇ ବଢିଲା ମୁଖ୍ୟମନ୍ତ୍ରୀ ଚର୍ଚ୍ଚା । ଝାଡଖଣ୍ଡ ଦେଖିପାରେ 90 ଦଶକର ଲାଲୁ-ରାବିଡି ଏକ୍ସଚେଞ୍ଜ ଫର୍ମୁଲା । ଅଧିକ ପଢନ୍ତୁ

ସ୍ବାମୀଙ୍କ ପ୍ଲାନ ‘ବି’ହେବେ ସ୍ତ୍ରୀ ! କଳ୍ପନା ସୋରେନଙ୍କୁ ନେଇ ବଢିଲା ଚର୍ଚ୍ଚା
ସ୍ବାମୀଙ୍କ ପ୍ଲାନ ‘ବି’ହେବେ ସ୍ତ୍ରୀ ! କଳ୍ପନା ସୋରେନଙ୍କୁ ନେଇ ବଢିଲା ଚର୍ଚ୍ଚା

ରାଞ୍ଚି:ବିହାର ପରେ ପଡୋଶୀ ଝାଡଖଣ୍ଡରେ ଏବେ ହାଇ ଭୋଲଟେଜ ରାଜନୈତିକ ଡ୍ରାମା ଜାରି ରହିଛି । ଜମି ଦୁର୍ନୀତିରେ ଛନ୍ଦି ହୋଇଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ଚଢାଉ କରିଥିଲା । ପ୍ରାୟ 30 ଲକ୍ଷରୁ ଅଧିକ ନଗଦ ଟଙ୍କା ଓ ଏକ ଏସୟୁଭି କାର ‘ଇଡି’ ଜବତ ମଧ୍ୟ କରିଛି । ଆଜି ସକାଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିରୁଦ୍ଦିଷ୍ଟ ଥିବା ଚର୍ଚ୍ଚା ହୋଇଥିଲା । ହେଲେ ଆଜି ଅପରାହ୍ନରେ ହେମନ୍ତ ରାଞ୍ଚି ଫେରି ନିଜ କ୍ୟାବେନେଟ ସହଯୋଗୀ ଓ ଦଳୀୟ ବିଧାୟକଙ୍କ ସହ ବୈଠକ ଡାକିଥିଲେ । ସାଙ୍ଗରେ ପତ୍ନୀ କଳ୍ପନା ସୋରେନ ମଧ୍ୟ ଉପସ୍ଥିତ ଥିଲେ । ଏହା ପରେ ବଡ ପରିବର୍ତ୍ତନର ଆଭାସ ଚର୍ଚ୍ଚାକୁ ସରଗମର କରିବାରେ ଲାଗିଛି ।

ଆସନ୍ତାକାଲି ଇଡିରେ ହାଜର ହେବା ପାଇଁ ଯାଉଥିବା ହେମନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ତାଙ୍କ ସ୍ଥାନରେ ସ୍ତ୍ରୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ବସିଥିବା ବୈଠକରେ ଏହା ହିଁ ଆଲୋଚନାର ମୁଖ୍ୟବିନ୍ଦୁ ଥିଲା । ଯଦି ହେମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଢେ କିମ୍ବା ସେ ଗିରଫ ହୁଅନ୍ତି, ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ତୁରନ୍ତ ସ୍ତ୍ରୀ କଳ୍ପନା ସୋରେନ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏପରି ଚର୍ଚ୍ଚା ମଧ୍ୟରେ ଏବେ ଝାଡଖଣ୍ଡ ରାଜନୀତି ଉପରେ ସମଗ୍ର ଦେଶର ନଜର ରହିଛି ।

କି’ଏ ଏହି କଳ୍ପନା:

ହେମନ୍ତ ସୋରେନଙ୍କ ପତ୍ନୀ ତଥା ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବୋହୁ କଳ୍ପନା ହେଉଛନ୍ତି ଜଣେ ଓଡିଆ । 1976 ମସିହାରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିବା କଳ୍ପନାଙ୍କ ପୈତୃକ ଜିଲ୍ଲା ହେଉଛି ମୟୂରଭଞ୍ଜର ରାଇରଙ୍ଗପୁର । ସେ 2006 ମସିହାରେ ହେମନ୍ତ ସୋରେନଙ୍କୁ ବିବାହ କରିଥିଲେ । କଳ୍ପନାଙ୍କ ବାପା କ୍ୟାପ୍ଟେନ ଆମ୍ପା ମୁର୍ମୁ ଜଣେ ସେନାଧିକାରୀ ଭାବେ ଅବସର ଗ୍ରହଣ କରିଛନ୍ତି । ଖବର ସରବରାହ ସଂସ୍ଥା ‘ପିଟିଆଇ’ କୁ ସାକ୍ଷାତକାର ଦେଇ କଳ୍ପାନାଙ୍କ ବାପା କ୍ୟାପଟେନ ମୁର୍ମୁ କହିଥିଲେ,1976 ସେ ଭାରତୀୟ ସେନାରେ କାର୍ଯ୍ୟରତ ଥିବା ବେଳେ ପଞ୍ଜାବର କାପୁରତାଲାରେ ଝିଅ କଳ୍ପନା ଜନ୍ମ ହୋଇଥିଲେ । କଳ୍ପନା ଏମଟେକ ଓ ଏମବିଏ ଶିକ୍ଷା ସମାପ୍ତ କରିଛନ୍ତି । ଯେକୌଣସି ଦାୟିତ୍ବ ତୁଲାଇବା ପାଇଁ ତାଙ୍କ ଝିଅ ସମ୍ପୂର୍ଣ୍ଣ ସକ୍ଷମ । ବାପାଙ୍କ ଏପରି ମନ୍ତବ୍ୟ, ଝିଅ କଳ୍ପନାଙ୍କୁ କୌଣସି ସମୟରେ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳିପାରେ ବୋଲି ସଙ୍କେତ ଦେଇଥିଲା ।

2006 ରେ ହେମନ୍ତଙ୍କ ସହ ବିବାହ:-

କଳ୍ପନା ପଞ୍ଜାବରେ ଜନ୍ମ ହୋଇଥିଲେ ହେଁ ରାଞ୍ଚିରେ ଶିକ୍ଷା ଗ୍ରହଣ କରିଛନ୍ତି । ତେବେ 2006 ମସିହା ଫେବୃଆରୀ 7 ତାରିଖରେ ହେମନ୍ତ ସୋରେନଙ୍କ ସହ ତାଙ୍କର ବିବାହ ହୋଇଥିଲା । ରାଜ୍ୟର ଶୀର୍ଷ ରାଜନୈତିକ ପରିବାରର ବୋହୁ ହୋଇଥିଲେ ମଧ୍ୟ ତାଙ୍କର ରାଜନୀତି ସହ କୌଣସି ପ୍ରତ୍ୟେକ୍ଷ ସମ୍ପର୍କ ନାହିଁ । 48 ବର୍ଷୀୟା କଳ୍ପନା ଏବେ ଏକ ପ୍ଲେ-ସ୍କୁଲ ଚଲାଉଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ ସର୍ବଦା ସ୍ବର ଉତ୍ତୋଳନ କରୁଥିବା କଳ୍ପନାଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳିନି ।

କାହଁକି ଚର୍ଚ୍ଚାକୁ ଆସିଲେ କଳ୍ପନା:-

ସକ୍ରିୟ ରାଜନୀତି ଠାରୁ ବେଶ ଦୂରରେ ଥିବା କଳ୍ପନା ରାଜନୈତିକ ଆରୋପରୁ କିନ୍ତୁ ଦୂରରେ ନଥିଲେ । ପୂର୍ବତନ ବରିଷ୍ଠ ବିଜେପି ନେତା ତଥା ବର୍ତ୍ତମାନର ଓଡିଶା ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ କ୍ଷମତାର ଅପବ୍ୟବହାର କରି ନିଜ ପତ୍ନୀ କଳ୍ପନାଙ୍କ ବ୍ୟବସାୟକୁ ଲାଭ ପହଞ୍ଚାଇଥିବା ଅଭିଯୋଗ କରିଥିଲେ । ମାଂସ ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ରାଞ୍ଚିର ବାରହେ ଇଣ୍ଡଷ୍ଟ୍ରିଆଲ୍ ପାର୍କରେ କଳ୍ପନାଙ୍କ ମାଲିକାନାରେ ଥିବା କମ୍ପାନୀ ‘ସୋହରାଇ ପ୍ରାଇଭେଟ ଲିମିଟେଡ’କୁ ପ୍ଲଟ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଥିଲା । ପ୍ଲଟ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ସହ କଳ୍ପନା ସୋରେନଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା ।

ଲାଲୁ-ରାବିଡିଙ୍କ ଫର୍ମୁଲା ଦେଖିପାରେ ଝାଡଖଣ୍ଡ ! -

ଝାଡଖଣ୍ଡର ବର୍ତ୍ତମାନ ସ୍ଥିତି ଓ ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖିଲେ ବିହାରରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ମୁଖ୍ୟମନ୍ତ୍ରୀ ଚୌକି ପରିବର୍ତ୍ତନ ଘଟଣାର ପୁନରାବୃତ୍ତି ସମ୍ଭାବନାକୁ ଏଡାଯାଇ ନପାରେ । 1997 ମସିହାରେ ଲାଲୁ ବିହାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିଲେ । ତାଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯିବା ପରେ ଲାଲୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ହେଲେ ତାଙ୍କ ସ୍ଥାନରେ ଦଳର ଅନ୍ୟ କୌଣସି ବରିଷ୍ଠ ନେତାଙ୍କ ପରିବର୍ତ୍ତେ ପତ୍ନୀ ରାବିଡି ହିଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 30, 2024, 10:37 PM IST

ABOUT THE AUTHOR

...view details