ଭୁବନେଶ୍ବର: ହାତୀ ପଢୁଛନ୍ତି ପାଠ । ନେଉଛନ୍ତି କୁମ୍କି ତାଲିମ । ଜନବସତି ମୁହାଁ ବଣୁଆ ହାତୀକୁ ଘଉଡ଼ାଇବେ। ଦିନକୁ ଦିନ ରାଜ୍ୟରେ ହାତୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ହାତୀମାନେ ଗାଁରେ ପଶିବାରୁ କେତେବେଳେ ବ୍ୟାପକ ଫସଲ ନଷ୍ଟ ହେଉଛି ତ ଆଉ କେତେବେଳେ ହାତୀ ଆକ୍ରମଣରେ ଅନେକ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ବନ ବିଭାଗ । ଏଥର ସମସ୍ତ ହାତୀ ପାଠ ପଢ଼ିବେ ଏବଂ ନେବେ କୁମ୍କି ତାଲିମ । ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ମୁଖ୍ୟ ବନ୍ୟ ସଂରକ୍ଷକ ସୂଚନା ଦେଇଛନ୍ତି।
‘କୁମକି’ ତାଲିମ କଣ:-
କୁମକି ହାତୀଙ୍କ କାର୍ଯ୍ୟ କଣ:-
ରାଜ୍ୟରେ ଚନ୍ଦକା ଜଙ୍ଗଲ ମଧ୍ୟରେ ରହିଥିବା ହାତୀ ଯେଉଁ ମାନଙ୍କୁ ଟ୍ରେନିଂ ଦିଆଯାଉଛି । ଏହି ଟ୍ରେନିଂ ସମୟରେ କିଭଳି ଭାବରେ ଶୃଙ୍ଖଳିତ ଜୀବନ ବିତାଇବାର କଳା ଶିଖୁଛନ୍ତି କିଛି ଜଙ୍ଗଲୀ ହାତୀ । ଏହା ସମେତ ବିଶେଷ ଭାବରେ ଗୋଠରୁ ଅଲଗା ହୋଇଯାଇଥିବା ବା ଅନାଥ ପାଲଟିଥିବା ହାତୀଙ୍କୁ କୋଳେଇ ନେଇ ଏହି ଚନ୍ଦକା ଜଙ୍ଗଲ ମଧ୍ୟରେ ଏକ କୁମୁକି ଟ୍ରେନିଂ ଦେଉଛି ବନବିଭାଗ । ଏହା ସହ ଢେଙ୍କାନାଳର କପିଳାସ, ଶିମିଳିପାଳ ରେ ମଧ୍ୟ କୁମକି ଟ୍ରେନିଂ ଦିଆଯାଉଛି ।
ହାତୀଙ୍କ ପାଇଁ ରେସ୍ତୋରାଁ:-
ଜଙ୍ଗଲ ମଧ୍ୟରେ ରେସ୍ତୋରାଁ । ମଣିଷ ନୁହେଁ ବରଂ ହାତୀଙ୍କ ପାଇଁ ଖୋଲିଛି ରେସ୍ତୋରାଁ । ଏକା ସାଙ୍ଗରେ ସମସ୍ତ ହାତୀ ରେସ୍ତୋରାଁରେ ବସିକରି ଖାଇବେ । ସେମାନଙ୍କ ପାଇଁ ରହିଛି ହାଇଫାଇ ଖାଦ୍ୟ । ଯାହା ସ୍ବତନ୍ତ୍ର ଭାବରେ ଜଙ୍ଗଲ ମଧ୍ୟରେ କରାଯାଇଛି । ଚନ୍ଦକା -ଡମପଡ଼ା ଅଭୟାରଣ୍ୟ ମଧ୍ୟରେ ଏଭଳି ସ୍ବତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଉଛି । ଏହି ବ୍ୟବସ୍ଥା କେବଳ କିଛି ଖାସ୍ ହାତୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।
ଏମିତି ଦିଆଯାଉଛି ହାତୀଙ୍କୁ ଟ୍ରେନିଂ:
ଚନ୍ଦକା ସମେତ ଆଉ କେଉଁ ସ୍ଥାନରେ ହାତୀ ନେଉଛନ୍ତି ଟ୍ରେନିଂ:-
ଚନ୍ଦକା ଠାରୁ କିଛି ଦୂରରେ ଥିବା କୁମାରଖୁଣ୍ଟି ହାତୀ ଟ୍ରେନିଂ କେନ୍ଦ୍ରରେ ଏବେ ଅଛନ୍ତି ୫ଟି ଅନାଥ ହାତୀ । ସେମାନଙ୍କର ନାମ ହେଉଛି ଚନ୍ଦୁ, କାର୍ତ୍ତିକ, ଉମା, ଜଗା ଏବଂ ଶଙ୍କର ହାତୀ । ସେହିପରି ଭାବରେ କପିଳାସରେ ମଧ୍ୟ କିଛି ହାତୀଙ୍କୁ ନେଇ ଟ୍ରେନିଂ ଦିଆଯାଉଥିବା ବେଳେ ଶିମିଳିପାଳ ରେ ମଧ୍ୟ କିଛି ହାତୀଙ୍କୁ ନେଇ ଚାଲିଛି ଟ୍ରେନିଂ । ଯାହା ଆସାମରୁ ଆସିଥିବା ମାହୁନ୍ତ ମାନେ ଟ୍ରେନିଂ ଦେଉଛନ୍ତି । ଏହା ସହ ଢେଙ୍କାନାଳ କପିଳାସ ଓ ଶିମିଳିପାଳ ଠାରେ ଦିଆଯାଉଛି ହାତୀମାନଙ୍କୁ ଟ୍ରେନିଂ।
ହାତୀମାନଙ୍କ ପାଇଁ କ୍ଲାସ ରୁଟିନ୍:-
ହାତୀମାନେ ପ୍ରତ୍ୟେକ ଦିନ ସକାଳ ସମୟରୁ ମର୍ଣ୍ଣିଂୱାକ ଠାରୁ ଆରମ୍ଭ କରି କିଛି ସମୟ ଏକ୍ସର୍ସାଇଜ କରିବେ । ଏହାପରେ ସମସ୍ତ ହାତୀଙ୍କୁ ଜଙ୍ଗଲ ମଧ୍ୟକୁ ଯିବେ । ପ୍ରାୟ ୧୦ ରୁ ୧୫ କିଲୋମିଟର ଚାଲିବା ପରେ ଏକ ସାଙ୍ଗରେ ଏକ ଜଳାଶୟରେ ଗାଧୋଇବେ । ଏହାପରେ ସକାଳର ବ୍ରେକ ଫାଷ୍ଟ ଖାଦ୍ୟ ଖାଇବେ । ପରବର୍ତ୍ତୀ ସମୟରେ ପୁଣି ଥରେ ଜଙ୍ଗଲ ମଧ୍ୟକୁ ଯିବେ । ଏହାପରେ ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ରାତ୍ରି କାଳର ଭୋଜନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହା ଭିଆଇପିଙ୍କ ଠାରୁ ବେଶ ବ୍ୟବସ୍ଥିତ ଅଟେ।
ହାତୀଙ୍କ ପାଇଁ ଭୋଜନ କଣ:-
ହାତୀଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ରହିଛି ଗହମ ୬ କେଜି, ଚାଉଳ ୫ କେଜି, ମୁଗ ୧ କେଜି, କୋଳଥ ୧ କେଜି, ଏହାସହ କିଛି ମାଣ୍ଡିଆ, ୨ ରୁ ୩ କେଜି ପରିବା, ୪ଟି ନଡ଼ିଆ, କିଛି କଦଳୀ, ଆଉ ତା' ସହ ଗୁଡ଼ ୫ଶହ ଗ୍ରାମ ବ୍ୟବସ୍ଥିତ କରାଯାଇଛି। ହାତୀଙ୍କ ପାଇଁ ରହିଛି ସ୍ବତନ୍ତ୍ର କିଚେନ୍ର ବ୍ୟବସ୍ଥା ହୋଇଛି । ସେଥିରେ କିଛି ହାତୀଙ୍କ ପାଇଁ ଖାଦ୍ୟକୁ ସିଝାଇବା ପରେ ସେଥିରେ ଫଳ, ପରିବା ଓ ଗୁଡ଼ ଆଦି ମିଶାଇ ତାକୁ ବଲ୍ ଭଳି ଗୁଳା କରି ଖୁଆଇ ଦିଅନ୍ତି ସେମାନଙ୍କ ମାହୁନ୍ତମାନେ । ଏହା ପରେ ସେମାନେ ବିଶ୍ରାମ ନେବାକୁ ଯାଆନ୍ତି ନିଜ ନିଜ ସେଡ୍କୁ । ପରବର୍ତ୍ତୀ ସମୟରେ ହାତୀମାନେ ଉଠିଲା ପରେ ପୁଣିଥରେ ଟ୍ରେନିଂ ପାଇଁ ଆସିଯାଆନ୍ତି ପଡିଆ ମଧ୍ୟକୁ । କିଛି ସମୟ ଟ୍ରେନିଂ ନେବା ପରେ ହାଲିଆ ହୋଇ ସେମାନଙ୍କ ସେଡ ମଧ୍ୟକୁ ଚାଲି ଯାଆନ୍ତି ।
କେଉଁ କେଉଁ ସ୍ଥାନ ଦିଆଯାଉଛି କୁମକି ତାଲିମ:-
ପ୍ରାରମ୍ଭିକ ଭାବେ ଚନ୍ଦକା, ସାତକୋଶିଆ, କପିଳାସ ଓ ଶିମିଳିପାଳରେ ହାତୀ ପାଠଶାଳା ଖୋଲିବ। ଏହାସହିତ ପରବର୍ତ୍ତୀ ସମୟରେ ଦେବ୍ରିଗଡ଼ ଅଭୟାରଣ୍ୟରେ ଏହି ହାତୀମାନଙ୍କୁ ଟ୍ରେନିଂ ଦିଆଯିବ। ହାତୀଙ୍କୁ ଟ୍ରେନିଂ ଦେବାକୁ ରାଜ୍ୟରେ ମାହୁନ୍ତଙ୍କ ଅଭାବ ଥିବାରୁ ଅନ୍ୟ ରାଜ୍ୟରୁ ମାହୁନ୍ତ ଆଣିବାକୁ ସ୍ଥିର କରାଯାଇଛି । ହାତୀ ମାନେ କୁମକି ତାଲିମ ନେବେ ଏବଂ ଜନବସତି ମୁହାଁ ହେଉଥିବା ବଣୁଆ ହାତୀ ମାନଙ୍କୁ ଘଉଡାଇବେ। ଏହା ସହ କପିଳାସରେ ଥିବା କାର୍ତ୍ତିକ, ଉମା, ପଦ୍ମା, ଶ୍ୟାମ ଓ ଶିବାକୁ ଟ୍ରେନିଂ ଦିଆଯାଉଥିବା ବେଳେ ଶିମିଳିପାଳରୁ ଜଗନ୍ନାଥକୁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ । ସେହିପରି ଚନ୍ଦକାରୁ ଯଶୋଦା, ସାତକୋଶିଆରୁ ମହେନ୍ଦ୍ର ଓ ରାଜକୁମାର ଆଦି ହାତୀ ଶିମିଳିପାଳ ରେ ଟ୍ରେନିଂ ଦିଆଯିବାର ଯୋଜନା କରାଯାଇଥିଲା ।
ହାତୀଙ୍କ ସମେତ ମାହୁନ୍ତଙ୍କୁ ମଧ୍ୟ ଦିଆଯାଉଛି ପ୍ରଶିକ୍ଷଣ:-
ଏହି ସମସ୍ତ ହାତୀଙ୍କୁ ଟ୍ରେନିଂ ଦେଉଛନ୍ତି ଆସାମରୁ ଆସିଥିବା ପ୍ରଶିକ୍ଷିତ ମାହୁନ୍ତ । ହାତୀମାନଙ୍କୁ ଟ୍ରେନିଂ ଦେବା ସହ ଓଡ଼ିଶାର ମାହୁନ୍ତ ମାନଙ୍କୁ ମଧ୍ୟ ଦିଆଯାଉଛି ଟ୍ରେନିଂ । ହାତୀଙ୍କୁ କିଭଳି ଭାବରେ ଟ୍ରେନିଂ ଦିଆଯିବ ସେନେଇ ମଧ୍ୟ ଓଡ଼ିଶାର ମାହୁନ୍ତଙ୍କୁ ଟ୍ରେନିଂ ଦିଆଯାଉଛି। ଯେଭଳି ଭାବରେ ଓଡ଼ିଶାରେ ଥିବା ମାହୁନ୍ତ ମାନେ ଦକ୍ଷ ହୋଇପାରିବେ ।
୯୦ ଦଶକରେ ରାଜ୍ୟରେ ଆରମ୍ଭ ହୋଇଥିଲା ହାତୀଙ୍କ ଟ୍ରେନିଂ:-
ହାତୀଙ୍କୁ ଟ୍ରେନିଂ ଦେବାକୁ ରାଜ୍ୟରେ ମାହୁନ୍ତଙ୍କ ଅଭାବ ଥିବାରୁ ଅନ୍ୟ ରାଜ୍ୟରୁ ମାହୁନ୍ତ ଆସି ଓଡ଼ିଶା ହାତୀଙ୍କ ସମେତ ମାହୁନ୍ତଙ୍କୁ ଟ୍ରେନିଂ ଦିଆଯାଉଛି । ତେବେ ହାତୀଙ୍କୁ ତାଲିମ ଦିଆଯିବା କିଛି ନୂଆ କଥା ନୁହେଁ । ୯୦ ଦଶକରେ ଶିମିଳିପାଳ ଓ ଚନ୍ଦକାରେ ହାତୀଙ୍କୁ ଟ୍ରେନିଂ ଦେବା ବ୍ୟବସ୍ଥା କରାଯାଇଥିଲା । ମାତ୍ର କାଳକ୍ରମେ ଏହା ନିଷ୍କ୍ରିୟ ହୋଇଯାଇଥିଲା । ତେବେ ବିଭିନ୍ନ କାରଣକୁ ନେଇ ହାତୀଙ୍କୁ ଟ୍ରେନିଂ ଦେବା ଲାଗି ବନବିଭାଗ ପୁଣି ଆରମ୍ଭ କରିଛି ଯୋଜନା।
କେଉଁ କାମରେ ବ୍ୟବହାର ହେବେ ଦକ୍ଷ ହାତୀ:-
ସାଧାରଣ ଭାବରେ ଜଙ୍ଗଲର ସୁରକ୍ଷା, ଘଞ୍ଚ ଜଙ୍ଗଲରେ ରାସ୍ତା ସଫା, ବିପଦରେ ପଡ଼ିଥିବା ବଣ୍ୟଜନ୍ତୁଙ୍କୁ ଉଦ୍ଧାର, ବଣୁଆ ଜୀବଜନ୍ତୁଙ୍କୁ ଟ୍ରାଙ୍କୁଲାଇଜ୍ କରି କାବୁ କରିବା ଏବଂ ଶିକାରୀଙ୍କ ଜବତ ସାମଗ୍ରୀ ପରିବହନରେ ଏମାନଙ୍କୁ ବ୍ୟବହାର କରାଯିବ। ଏହା ସମେତ ହାତୀ ଚଲାପଥ ଅବରୋଧ ଓ ଜଙ୍ଗଲହ୍ରାସ କାରଣରୁ ହାତୀ ଅନେକ ସମୟରେ ଗାଁ ଓ ସହର ଭିତରକୁ ପଳାଇ ଆସିବା ଦ୍ୱାରା ଧନଜୀବନ ନିଷ୍ଟ ହେଉଛି । ଜନବସତିକୁ ପଶିଆସୁଥିବା ହାତୀଙ୍କୁ ଘଉଡାଇବାରେ ପ୍ରଶିକ୍ଷିତ ହାତୀ ବେଶ ଉପଯୋଗୀ ହେବେ ବୋଲି ଜଙ୍ଗଲ ବିଭାଗ ଆଶା ରଖିଛି।
ଆଉ ନାହିଁ କୁମକି ପ୍ରଶିକ୍ଷଣ ନେଉଥିବା ହାତୀ ନନ୍ଦ:-
୨୦୧୦ ମସିହାରେ କୁମ୍କୀ ପ୍ରଶିକ୍ଷଣ ପାଇଁ ‘ନନ୍ଦ’କୁ ଜନ୍ମସ୍ଥାନ ନନ୍ଦନକାନନରୁ ଚନ୍ଦକା ଅଣାଯାଇଥିଲା। କୁମ୍କି ଅପରେଶନ ଜରିଆରେ ଜଙ୍ଗଲରେ ଉତ୍ପାତ କରୁଥିବା ବଣୁଆ ହାତୀଙ୍କୁ ନିୟନ୍ତ୍ରଣ କରିବା ସହ ଆହତ ହାତୀର ଚିକିତ୍ସା କାର୍ଯ୍ୟରେ ନନ୍ଦକୁ ବ୍ୟବହାର କରିବା ନିମନ୍ତେ ପ୍ରଶିକ୍ଷଣ ଦିଆଯାଉଥିଲା। ଏଥିପାଇଁ ଆସାମର ହାତୀ ପ୍ରଶିକ୍ଷକଙ୍କୁ ମଧ୍ୟ ନିୟୋଜିତ କରାଗଲା। କିନ୍ତୁ ଶେଷରେ ନନ୍ଦ ମଧ୍ୟ ମରିଗଲା। ଏପଟେ କିଛି ଦିନ ତଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଚନ୍ଦକା ଜଙ୍ଗଲକୁ ଯାଇଥିଲା ହାତୀ ମାମା । କିନ୍ତୁ ସେଠି ମଧ୍ୟ ମାମାକୁ ଟ୍ରେନିଂ ଦିଆଯାଉଥିଲା । କିନ୍ତୁ କିଛି ଦିନ ପୂର୍ବରୁ ମାମାର ମୃତ୍ୟୁ ଘଟିଥିଲା ।
ହାତୀ ମୃତ୍ୟୁର ସରକାରୀ ରିପୋର୍ଟ:-
ରାଜ୍ୟରେ ପ୍ରତିବର୍ଷ ଅତି କମରେ ୮୦ଟି ହାତୀ ମୃତ୍ୟୁବରଣ କରନ୍ତି । ଯାହା ୨୦୧୧-୧୨ ରୁ ୨୦୨୧-୨୨ ମଧ୍ୟରେ ଏହି ୯୩୫ ମଧ୍ୟରୁ ୧୪୧ଟି ହାତୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଏବଂ ୧୩୫ ଟି ବିଦ୍ୟୁତ୍ ସଂଯୋଗ ଯୋଗୁଁ ମୃତ୍ୟୁ ଘଟିଛି । ସେହିଭଳି ରୋଗ ହେତୁ ୩୦୭ ହାତୀର ମୃତ୍ୟୁ ଘଟିଛି । ପୋଚରମାନେ ପ୍ରାୟ ୪୮ଟି ହାତୀକୁ ହତ୍ୟା କରିଥିବାବେଳେ ୧୧୯ ଜଣ ପ୍ରାକୃତିକ କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟ ୧୩୧ ହାତୀର ମୃତ୍ୟୁ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
"18 ବର୍ଷ ତଳେ ଓଡିଶାକୁ ଆସିଥିଲେ କୁମକି ହାତୀ । ସେମାନେ ଭଲ କାମ କରିଥିଲେ । ବହୁତ ସହଯୋଗ କରିଥିଲେ ରାଜ୍ୟ ବନ ବିଭାଗକୁ । କୁମକି ହାତି କହିଲେ ଟ୍ରେନିଂ ବା ତାଲିମ ନେଇଥିବା ହାତୀଙ୍କୁ ବୁଝାଏ । ସେମାନେ ମଣିଷ-ବନ୍ୟପ୍ରାଣୀ ଲଢେଇକୁ ରୋକିବାରେ ବହୁତ ବଡ ଭୂମିକା ନିର୍ବାହ କରିଥାନ୍ତି । ଯେପରି କୌଣସି ସ୍ଥାନରେ ଦନ୍ତା ହାତୀ ମାତିଥିଲେ ତାକୁ ଘଉଡେଇବାରେ କୁମକି ହାତୀ ସହଯୋଗ କରିଥାଏ । ଘର ଦ୍ବାର ନଷ୍ଟ କରୁଥିବା ହାତୀଙ୍କୁ ମଧ୍ୟ ଘଉଡାଇଥାନ୍ତି କୁମକି ହାତୀ । ଆମ ଓଡିଶାରେ ବହୁତ କମ କୁମକି ହାତୀ ଅଛନ୍ତି । ତେବେ ଆମ ଓଡିଶାରେ 3ଟି କୁମକି ହାତୀ ଥିଲେ ମଧ୍ୟ ବନ ବିଭାଗ ସେମାନଙ୍କୁ ଠିକ୍ ଭାବେ ବ୍ୟବହାର କରିପାରିଲେ ନାହିଁ । କୁମକି ହାତୀ ରେସ୍କ୍ୟୁ ମିଶନରେ ଜଙ୍ଗଲରେ ବହୁତ ସହଯୋଗ କରିଥାନ୍ତି । କୁମକି ହାତୀ ମଧ୍ୟ ଜଙ୍ଗଲରେ ପାଟ୍ରୋଲିଂରେ ସହଯୋଗ କରିଥାଏ," ବୋଲି କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ଅନୁପ ନାୟକ ।
"ଚନ୍ଦକା ଅଭୟାରଣ୍ୟରେ ରେସ୍କୁ ସେଣ୍ଟର ଖୋଲିଛି । ଏଠାରେ ଗୋଠ ଛଡା ହାତୀମାନଙ୍କୁ ଟ୍ରେନିଂ ଦିଆଯାଉଛି । ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଖାଇବା, ରହିବା ଏବଂ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି । ନିକଟରୁ ଢେଙ୍କାନାଳ ଏବଂ ଶିମିଳିପାଳରୁ ଉଦ୍ଧାର ହୋଇଥିବା ଛୁଆ ହାତୀଙ୍କୁ ଟ୍ରେନିଂ ଦିଆଯାଉଛି । ସେମାନଙ୍କୁ କୁମକି ଟ୍ରେନିଂ ଦିଆଯାଉଛି । ସେମାନେ ଜଙ୍ଗଲରେ ରେସ୍କ୍ୟୁ ଏବଂ ନୀରୀକ୍ଷଣ କାର୍ଯ୍ୟରେ ଲାଗିପାରିବେ । ଆମେ ହାତୀଙ୍କ ଟ୍ରେନିଂ ପାଇଁ ଆସାମରୁ କୁଶଳ ଏବଂ ଦକ୍ଷ ମାହୁନ୍ତଙ୍କୁ ଆଣିଛୁ । ସେମାନଙ୍କ ସହିତ ଆମ ସ୍ଥାନୀୟ ମାହୁନ୍ତ ମଧ୍ୟ ଟ୍ରେନିଂ ନଉଛନ୍ତି । ସେମାନଙ୍କ ପାଇଁ ହାତୀ ରେଷ୍ଟୁରାଣ୍ଟ ଏବଂ ଖେଳ ବ୍ୟବସ୍ଥା ହୋଇଛି । ଟ୍ରେନିଂ ପରେ ସେମାନଙ୍କୁ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ଛଡାଯିବ," ବୋଲି କହିଛନ୍ତି ମୁଖ୍ୟ ବନ୍ୟ ସଂରକ୍ଷକ ବିକାଶ ରଞ୍ଜନ ଦାସ ।