ନୂଆଦିଲ୍ଲୀ:ଆସନ୍ତାକାଲି ସାଧାରଣ ଓ 2 ରାଜ୍ୟର ବିଧାନସଭା ନିର୍ବାଚନର ଜନାଦେଶ ପ୍ରକାଶ ପାଇବାକୁ ଯାଉଛି । ଏହା ପୂର୍ବରୁ ଶନିବାର ସଂଧ୍ୟାରେ ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଏକାଧିକ ଗଣମାଧ୍ୟମ ଓ ପୋଲ-ଓ୍ବାଚ ସଂସ୍ଥା ଯେଉଁ ‘ଏକଜିଟ ପୋଲ’ ରିପୋର୍ଟ ପ୍ରକାଶ କରିଛନ୍ତି, ସେଥିରେ କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ 350ରୁ ଅଧିକ ଆସନରେ ବିଜୟ ଲାଭ କରି କ୍ଷମତାର ହ୍ୟାଟ୍ରିକ ମାରିବାକୁ ଯାଉଛି । ସେହିପରି କଂଗ୍ରେସ ନେତୃତ୍ବରେ ମେଳି ବାନ୍ଧିଥିବା ‘ଇଣ୍ଡିଆ’ ମେଣ୍ଟ ମାତ୍ର 150 ଆସନ କିମ୍ବା ଏହାର ପାଖାପାଖି ରହିବ ବୋଲି ଆକଳନ ପ୍ରକାଶ ପାଇଛି । ଫଳାଫଳ ସ୍ପଷ୍ଟ ହେବାକୁ ଆଉ ମାତ୍ର 24 ଘଣ୍ଟାରୁ କମ ସମୟ ଥିବା ବେଳେ ବିଭିନ୍ନ ଦଳର ରାଜନୈତିକ ଶିବିରରେ କଳ୍ପନା ଜଳ୍ପନା ଜାରି ରହିଛି । ହେଲେ ଏକଜିଟ ପୋଲ ଭୁଲ ସାବ୍ୟସ୍ତ ହେବା ସହ ଫଳାଫଳ ସମ୍ପୂର୍ଣ୍ଣ ବିପରୀତ ହେବା ନେଇ ଦାବି କରିଛନ୍ତି ଭେଟେରାନ କଂଗ୍ରେସ ନେତ୍ରୀ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।
ଜାତୀୟ ଖବର ସରବରାହ ସଂସ୍ଥା ‘ପିଟିଆଇ’କୁ ପ୍ରତିକ୍ରିୟା ଦେଇ ଏକଜିଟ ପୋଲର ରିପୋର୍ଟକୁ ଖାରଜ କରିଛନ୍ତି ସୋନିଆ । କହିଛନ୍ତି, ଅପେକ୍ଷ କର ଓ ଦେଖ କ’ଣ ହେଉଛି । ଫଳାଫଳ ସମ୍ପୂର୍ଣ୍ଣ ବିପରୀତ ହେବ । ସେମାନେ ବେଶ ଆଶାବାଦୀ ଯେ, ଫଳାଫଳ ଏକଜିଟ ପୋଲ ତଥ୍ୟ ପରି ନୁହେଁ ବରଂ ଏହାର ଓଲଟା ହେବାକୁ ଯାଉଛି । ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳ ‘ଡିଏମକେ’ର ପ୍ରତିଷ୍ଠାତା ତଥା ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ଜନ୍ମବାର୍ଷିକୀରେ ଡିଏମକେ ଦିଲ୍ଲୀ ଅଫିସରେ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ଗଣମାଧ୍ୟମରେ ଏହି ପ୍ରତିକ୍ରିୟା ରଖିଛନ୍ତି ସୋନିଆ ଗାନ୍ଧୀ ।