ଝାରସୁଗୁଡା:ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଏବେ ଦଳରେ ଅନ୍ତକନ୍ଦଳ ଆରମ୍ଭ ହୋଇଯାଇଛି । ଏପରିକି ଟିକେଟ ଆଶାୟୀ ଥିବା କିଛି ନେତା ଦଳ ଛାଡ଼ିବାକୁ ସଜବାଜ ହେଉଥିବା ନେଇ ଚର୍ଚ୍ଚା ଜୋର୍ ଧରିଲାଣି । ବ୍ରଜରାଜନଗର ଆସନ ପାଇଁ ଆଶାୟୀ ଥିବା ବେଲପାହାଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷ ନିମାଇଁ ଚରଣ ପଣ୍ଡା କୁଆଡ଼େ ସ୍ବାଧୀନ ଭାବେ ଲଢ଼ିବେ ବୋଲି ବି ତାଙ୍କ ସମର୍ଥକ ଏବଂ କଂଗ୍ରେସ କର୍ମୀମାନେ ସାମ୍ନାକୁ ଆସିଲେଣି ।
ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତିରେ ମଧ୍ୟ ସେତେ ରୋଚକ ଘଟଣା ସାମ୍ନାକୁ ଆସୁଛି । ରାଜ୍ୟ କଂଗ୍ରେସ ମାତ୍ର 47 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏହାମଧ୍ୟରେ ବି ଅସନ୍ତୋଷ ଦେଖିବାକୁ ମିଳିଲାଣି । ବ୍ରଜରାଜନଗରର ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ପକ୍ଷରୁ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ମଧ୍ୟରେ ବଢିବାକୁ ଲାଗିଛି ଅସନ୍ତୋଷ । କାରଣ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ଜଣେ ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବା ନେଇ ପୂର୍ବରୁ ଚର୍ଚ୍ଚା ଧରିଥିଲା । ବେଲପାହାଡ଼ ପୌର ପରିଷଦର ଅଧ୍ୟକ୍ଷ ନିମାଇଁ ଚରଣ ପଣ୍ଡା (ବୁଲୁ ପଣ୍ଡା)ଙ୍କ ନାଁ ବ୍ରଜରାଜନଗର ବିଧାନସଭା ଆଶାୟୀ ପ୍ରାର୍ଥୀ ରେସରେ ଆଗୁଆ ରହିଥିଲା । ହେଲେ କଂଗ୍ରେସ କିଶୋର ପଟେଲଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ନିମାଇଁ ଚରଣଙ୍କ ସମର୍ଥକମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ.. ବ୍ରଜରାଜନଗରରେ ପୁଣି ବିଧାନସଭା ପ୍ରାର୍ଥୀ ହେଲେ ଅଳକା ମହାନ୍ତି - BJD Candidate Alaka Mohanty