ଓଡିଶା

odisha

'ଲୋକପ୍ରିୟ ସ୍ୱାଧୀନ ପ୍ରାର୍ଥୀ ବିଗାଡ଼ିବେ ନିର୍ବାଚନ ଗଣିତ' - Effect Of Independent Candidates

By ETV Bharat Odisha Team

Published : May 6, 2024, 7:32 PM IST

Effect Of Independent Candidates: ବଦଳିପାରେ ନିର୍ବାଚନୀ ଗଣିତ । କାରଣ ବହୁ ଲୋକପ୍ରିୟ ଚେହେରା ଟିକଟ ପାଇବାରୁ ବଞ୍ଚିତ ହେବା ପରେ ସ୍ବାଧୀନ ଭାବେ ଲଢୁଛନ୍ତି । ବର୍ତ୍ତମାନର ରାଜ୍ୟ ରାଜନୀତି ପାଣିପାଗ ବିଷୟରେ ଜାଣନ୍ତୁ

Independent Candidates
Independent Candidates (ETV Bharat Odisha)

Independent Candidates (ETV Bharat Odisha)

ଭୁବନେଶ୍ବର: ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଅଡୁଆ ବଢାଇ ପାରନ୍ତି ସ୍ବାଧୀନ ପ୍ରାର୍ଥୀ । ବହୁ ବରିଷ୍ଠ ନେତା ଦଳୀୟ ଟିକଟ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ସେହି ବଡ ନେତାମାନେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଛନ୍ତି । ସେମାନଙ୍କ ମଧ୍ୟରୁ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅନୁଭବ ପଟ୍ଟନାୟକ, ଐର ଖାରବେଳ ସ୍ୱାଇଁ, ସଞ୍ଜୀବ ବିଶ୍ୱାଳ ଅନ୍ୟତମ । ନିଜସ୍ୱ ସଂଗଠନ ଥିବାରୁ ଏମାନେ ନିର୍ବାଚନ ଗଣିତ ବିଗାଡିବାର ଯଥେଷ୍ଟ ସମ୍ଭାବନା ରହିଛି । "ଲୋକପ୍ରିୟ ଓ ଲୋକଙ୍କ ସମସ୍ୟା ଜଡିତ ଥିବା ନେତା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ନିଶ୍ଚୟ ଭାବେ ପ୍ରଭାବ ପକାଇବେ" ବୋଲି ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି, "ଏହି ସ୍ବାଧୀନ ନେତାମାନଙ୍କ ମଧ୍ୟରୁ ଦୁଇ ଜଣ ନେତା ବିଜେଡି ତଥା ଖଣ୍ଡପଡାରୁ ଅତୀତରେ ପ୍ରତିନିଧିତ୍ୱ କରିଛନ୍ତି । ବିଜେଡିରୁ ବିଦା ହେବା ପରେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଛନ୍ତି । ସେ ଏଥର ଘଷିପୁରାରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ । ଆଜି ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଘଷିପୁରାରେ ପରିବର୍ତ୍ତନ ପାଇଁ ଲୋକଙ୍କ ଉତ୍ସାହ ଦେଖି ସ୍ୱାଧୀନ ଭାବେ ନିର୍ବାଚନ ଲଢିବାକୁ ସ୍ଥିର କରିଥିବା ସୌମ୍ୟ କହିଛନ୍ତି । ଏହା ନିଶ୍ଚୟ ବିଜେଡି ତଥା ସ୍ଥାନୀୟ ବିଧାୟକ ତଥା ବିଜେଡି ପ୍ରାର୍ଥୀ ବଦ୍ରୀ ନାରାୟଣ ପାତ୍ରଙ୍କ ଲାଗି ସତର୍କ ଘଣ୍ଟି ।"


ସେ ଆହୁରି କହିଛନ୍ତି, "ଖଣ୍ଡପଡାରୁ 2014ରୁ 2019 ବିଜେଡିରୁ ବିଧାୟକ ଥିବା ଅନୁଭବ ପଟ୍ଟନାୟକ ଟିକେଟରୁ ବଞ୍ଚିତ ହୋଇ ଦଳ ଛାଡିଛନ୍ତି । ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ସେ ଘୋଷଣା କରିସାରିଛନ୍ତି । ନିଦର୍ଳୀୟ ଭାବେ ସେ ନାମାଙ୍କନ ଭରିଛନ୍ତି । ଏହା ବିଜେଡି ଓ ବିଜେଡି ପ୍ରାର୍ଥୀଙ୍କ ଲାଗି ମୁଣ୍ଡ ବିନ୍ଧାର କାରଣ ସାଜିଛି । ବାଲେଶ୍ୱର ଲୋକସଭା ଆସନରୁ ଆଶାୟୀ ଥିବା ଖାରବେଳ ସ୍ୱାଇଁ ଦଳୀୟ ଟିକେଟରୁ ବଞ୍ଚିତ ହୋଇଛନ୍ତି । ସେ ମଧ୍ୟ ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ସେହିପରି ବାଲିକୁଦା-ଏରସମା ନିର୍ବାବନ ମଣ୍ଡଳୀ ପାଇଁ ବିଜେଡି ଟିକଟ ଆଶାୟୀ ଥିଲେ ସଞ୍ଜୀବ ବିଶ୍ୱାଳ । ଟିକଟରୁ ବଞ୍ଚିତ ସଞ୍ଜୀବ ବିଶ୍ୱାଳ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଆଉ କିଛି ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ଅଞ୍ଚଳରେ ପ୍ରଭାବ ଥିବା ନେତା ସ୍ୱାଧୀନ ଭାବେ ନାମାଙ୍କନ ଭରୁଛନ୍ତି । ସ୍ୱାଧୀନ ଭାବେ ଏସବୁ ନେତା ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ ଏଥର ନିର୍ବାଚନର ସମୀକରଣ ବଦଳିବାର ଆକଳନ କରାଯାଉଛି । ଏସବୁ ନେତା ସ୍ୱାଧୀନ ଭାବେ ପ୍ରାର୍ଥୀ ହେବା ପରେ ଦଳୀୟ ପ୍ରାର୍ଥୀଙ୍କ ଭୋଟ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି ।"


ଏହା ବି ପଢନ୍ତୁ...ନାମାଙ୍କନ ଭରିଲେ ବହୁ କଂଗ୍ରେସ ବିଧାୟକ ଓ ସାଂସଦ ପ୍ରାର୍ଥୀ, ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ କାଳୁ - Congress Candidates File Nomination

"ବିଜେଡିରେ 10 ହଜାରରୁ ଅଧିକ ଆବେଦନ ହୋଇଥିବା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ । ସେହିପରି ଅନ୍ୟ ଦଳରେ ମଧ୍ୟ ବହୁ ଆଶାୟୀ ଥିଲେ । ଜଣଙ୍କୁ ଟିକଟ ମିଳିବ, ଅନ୍ୟମାନେ ଅସନ୍ତୁଷ୍ଟ ହେବେ । ସମସ୍ତ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ଅସନ୍ତୁଷ୍ଟ ତଥା ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କୁ ଦଳ କିଭଳି ସନ୍ତୁଷ୍ଟ କରିବ ତାହା ଉପରେ ନଜର । ନହେଲେ ଏଥର ନିଶ୍ଚୟ ଭାବେ ଯଥେଷ୍ଟ ପରିମାଣର ଅଙ୍କ ବିଗିଡିବାର ସମ୍ଭାବନା ରହିଛି । ଅନେକ ଦିଗ ରହିଛି । ଯେଉଁମାନେ ସ୍ୱାଧୀନ ଲଢ଼ିବେ ସେମାନଙ୍କର ଲୋକସଂପର୍କ ଥିବ । ଲୋକଙ୍କ ସମସ୍ୟା ସହିତ ସେମାନେ ଥିବେ । କେବଳ ଟଙ୍କା ଥିଲେ ସ୍ଵାଧୀନ ଭାବେ ଲଢ଼ିଲେ ଜିତିବା ସମ୍ଭାବନା କ୍ଷୀଣ" ବୋଲି ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details