ଲକ୍ଷ୍ନୌ:ଚଳିତଥର 370 ପାର ଲକ୍ଷ୍ୟ ନେଇ ନିର୍ବାଚନ ଲଢୁଥିବା ବିଜେପି ବିବାଦ ଓ ଅନ୍ୟ କାରଣରୁ ଏକାଧିକ ବରିଷ୍ଠ ନେତାଙ୍କୁ ଏଥର ନିର୍ବାଚନୀ ମୈଦାନରୁ ଦୂରରେ ରଖିଛି । ତେବେ ମହିଳା କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ବିବାଦୀୟ ହୋଇପଡିଥିବା ଉତ୍ତର ପ୍ରଦେଶରେ ଦଳର ଚର୍ଚ୍ଚିତ ଚେହେରା ତଥା ପୂର୍ବତନ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣଙ୍କ କ୍ଷେତ୍ରରେ ଦଳ କ’ଣ ନିଷ୍ପତ୍ତି ନେବ ସେନେଇ ସନ୍ଦେହ ଲାଗି ରହିଛି । ବିଜେପି ଏପର୍ଯ୍ୟନ୍ତ କୈସରଗଞ୍ଜ ଆସନରେ ପ୍ରାର୍ଥୀ ଘୋଷଣା କରିନି । ମାତ୍ର ବ୍ରିଜଭୂଷଣ ଶରଣ ସିଂ ନିଜ ଦାବିଦାରୀ ନେଇ ଦମ୍ଭ ଦେଖାଇଛନ୍ତି । ସେ ଜଣେ ଦୃଢ ପ୍ରାର୍ଥୀ ଓ ତାଙ୍କର ଚଳିତଥର ସେ ହିଁ ନିର୍ବାଚନ ଲଢିବାର ପ୍ରାୟ 99.99 ପ୍ରତିଶତ ସମ୍ଭାବନା ରହିଛି ବୋଲି ବ୍ରିଜଭୂଷଣ କରିଛନ୍ତି ।
ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବ୍ରିଜଭୂଷଣ କହିଛନ୍ତି, ସେ ଏପର୍ଯ୍ୟନ୍ତ ପ୍ରାର୍ଥୀ ହୋଇନାହାନ୍ତି । ମାତ୍ର ସେ ଏହି ଆସନରେ ପ୍ରାର୍ଥୀ ହେବା ପାଇଁ ସେ ଜଣେ ଦୃଢ ବ୍ୟକ୍ତି । ତାଙ୍କର ପ୍ରାର୍ଥୀ ହେବାର 99.9 ପ୍ରତିଶତ ସମ୍ଭାବନା ରହିଛି । ଗତଥର ଏହି ଆସନର ଲୋକେ ତାଙ୍କୁ 2ଲକ୍ଷ ଭୋଟ ବ୍ଯବଧାନରେ ବଜୟୀ କରାଇଥିଲେ । ଏଥର ଏହି ବ୍ୟବଧାନ 5ଲକ୍ଷ ହେବ ବୋଲି ଲୋକ କହିବା ଆରମ୍ଭ କଲେଣି । ଏହି ଆସନରେ କେବଳ ଭାରତୀୟ ଜନତା ପାର୍ଟି ହିଁ ବିଜୟୀ ହେବ । ମତଦାନର ମାତ୍ର ଏକ ଘଣ୍ଟା ପୂର୍ବରୁ ବିଜେପି ପ୍ରାର୍ଥୀ ଘୋଷଣା କଲେ ମଧ୍ୟ ଲୋକେ ବହୁସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ଦମ୍ଭ ଦେଖାଇଛନ୍ତି ବ୍ରିଜଭୂଷଣ ।
ମେ’ 20 ତାରିଖରେ ପଞ୍ଜମ ପର୍ଯ୍ୟାୟରେ ଏହି ଆସନରେ ଭୋଟିଂ ହେବାକୁ ଥିବା ବେଳେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି । ଏହି ବିଳମ୍ବ ହିଁ ବିବାଦୀୟ ବ୍ରିଜଭୂଷଣଙ୍କ ସ୍ଥାନରେ ଦଳ ବିକଳ୍ପ ଚେହେରା ବାଛିବା ନେଇ ହେଉଥିବା ଚର୍ଚ୍ଚାକୁ ଆହୁରି ବଢାଇବାରେ ଲାଗିଛି । ଏହାରି ମଧ୍ୟରେ ବ୍ରିଜଭୂଷଣ କିନ୍ତୁ ନିଜ ପତିଆରା ବଜାୟ ରଖି ପୁଣି ଥରେ ଏହି ଆସନରୁ ପ୍ରାର୍ଥୀ ହେବା ନେଇ ଦମ୍ଭ ଦେଖାଇଛନ୍ତି ।