ପୁରୀ: "ଜିପିଆର ସର୍ଭେର ଦୁଇ ଚାରି ଦିନରେ ରିପୋର୍ଟ ଆସିବ । ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ । ଚଟାଣ ତଳେ କିମ୍ବା କାନ୍ଥ ଭିତରେ କିଛି ମୂଲ୍ୟବାନ ରତ୍ନ ଅଛି କି ? ତା ସହିତ ଯଦି ସୁନା, ମଣି ମାଣିକ୍ୟ ଥିବାର ସ୍ପଷ୍ଟତା ଆସିଲା ଅବା ସୁଡ଼ଙ୍ଗ ଅଛି ବୋଲି ରିପୋର୍ଟ ଆସିଲା, ତେବେ ସରକାର ନିଷ୍ପତ୍ତି ନେବେ କଣ କରାଯିବ । ଯଦି କୌଣସି କିଛି ନାହିଁ । ରିପୋର୍ଟ ଆସିବା ପରେ ଏଏସଆଇ ଟିମ ପ୍ରସ୍ତୁତ ଅଛନ୍ତି, ସେମାନେ ମରାମତି କାର୍ଯ୍ୟ ଆରମ୍ଭ କରିବେ ଏବଂ ଯଥାଶୀଘ୍ର ଶେଷ କରିବେ ଏବଂ ଏହାପରେ ରତ୍ନଗୁଡିକ ରତ୍ନ ଭଣ୍ଡାର ଭିତରକୁ ଯିବ ଏବଂ ଗଣତି ମଣତି ଆରମ୍ଭ ହେବ," ବୋଲି ଆଜି (ରବିବାର) ରତ୍ନଭଣ୍ଡାର ଜିପିଆର ସର୍ଭେକୁ ନେଇ ଏମିତି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଦୂର ହେବ ସନ୍ଦେହ-
ଶ୍ରୀମନ୍ଦିର ରତ୍ନଭଣ୍ଡାର ତଳେ ସୁଡ଼ଙ୍ଗ ଥିବା ସହ ଆହୁରି ରତ୍ନ ଅଳଙ୍କାର ଥିବା ଚର୍ଚ୍ଚା ହୋଇଆସୁଛି । ଏଣୁ ରତ୍ନଭଣ୍ଡାରର ମରାମତି ପୂର୍ବରୁ ଭକ୍ତଙ୍କ ଦାବିକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର ସର୍ଭେ କରାଯାଇଥିଲା । ଏହା ପୂର୍ବରୁ ଲେଜର ସ୍କାନିଂ ଓ ରାଡାର ସର୍ଭେ ମଧ୍ୟ କରାଯାଇଥିଲା । ତେବେ ଜିପିଆର ସର୍ଭେ କାର୍ଯ୍ୟ ଶେଷ ହେବା ପରେ ରତ୍ନଭଣ୍ଡାରର ମରାମତି ଓ ସଂଗ୍ରକ୍ଷଣ କାର୍ଯ୍ୟ ଆରମ୍ଭ ହେବ ।
Law minister on Puri srimandir (ETV Bharat Odisha)
କେବେ ହୋଇଥିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଜିପିଆର ସର୍ଭେ-
ନିକଟରେ ଶେଷ ହୋଇଥିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଜିପିଆର ସର୍ଭେ । ରତ୍ନ ଭଣ୍ଡାରରେ ସୁଡ଼ଙ୍ଗ ଥିବା ନେଇ ସ୍ପଷ୍ଟ ତଥ୍ୟ ଜଣାପଡ଼ିନାହିଁ । ରିପୋର୍ଟକୁ ଏବେ ମଧ୍ୟ ସମସ୍ତଙ୍କ ଅପେକ୍ଷା । ତେବେ ଜିପିଆର ସର୍ଭେ ପାଇଁ ତିନି ଦିନ ସମୟ ଧାର୍ଯ୍ୟ କରାଯାଇଥିବାବେଳେ ଏହା ଦୁଇଦିନରେ ଶେଷ ହୋଇଥିଲା । ଜିପିଆର ସର୍ଭେରୁ ଆସିଥିବା ତଥ୍ୟକୁ ଏନଜିଆରଆଇର ବୈଜ୍ଞାନିକ ଅନୁଶୀଳନ କରିବା ପରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦେବେ । ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ରିପୋର୍ଟ ଦିଆଯିବ । ତେବେ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଅନୁଯାୟୀ ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ । ଏଥିସହିତ ରତ୍ନ ଅଳଙ୍କାରର ଗଣତି ମଣତି ମଧ୍ୟ କରାଯିବ ।
ଏହା ବି ପଢନ୍ତୁ- ରତ୍ନଭଣ୍ଡାରର ହେବ GPR ସର୍ଭେ, ଏହି ଦିନ ସୁଦ୍ଧା କାମ ସାରିବା ପାଇଁ ତଦାରଖ କମିଟି ଅଧ୍ୟକ୍ଷଙ୍କ ଅନୁରୋଧ - Ratna Bhandar Inspection
ଏହା ବି ପଢନ୍ତୁ- ଶ୍ରୀମନ୍ଦିର ରତ୍ନଭଣ୍ଡାର ହେବ GPR ସର୍ଭେ, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ - RATNA BHANDAR GPR SURVEY
ଏହା ବି ପଢନ୍ତୁ- ସରିଲା ପ୍ରଥମ ଦିନର GPR ସର୍ଭେ, ଗୁପ୍ତ ସୁଡ଼ଙ୍ଗକୁ ନେଇ ଏମିତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - GPR SURVEY
ଏହା ବି ପଢନ୍ତୁ- ରତ୍ନଭଣ୍ଡାର GPR ସର୍ଭେ ଶେଷ, ଜଣାପଡ଼ିବ ସୁଡ଼ଙ୍ଗ ସତ - Ratna Bhandar GPR Survey
NGRIର ବୈଜ୍ଞାନିକଙ୍କ ମତରେ, "ଶ୍ରୀମନ୍ଦିର ରତ୍ନଭଣ୍ଡାରର GPR ସର୍ଭେ ସରିଛି । ହାଇଦ୍ରାବାଦର ନ୍ୟାସନାଲ ଜିଓ ଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ସହାୟତାରେ ରତ୍ନଭଣ୍ଡାରର ହେଲା ଜିପିଆର ସର୍ଭେ । ୨୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଜିପିଆର ସର୍ଭେ କାର୍ଯ୍ୟ ଦୁଇ ଦିନରେ ଶେଷ ହୋଇଥିଲା । ଏହି ସର୍ଭେ ପାଇଁ ତିନି ଦିନ ସମୟ ଧାର୍ଯ୍ୟ ହୋଇଥିଲା । ୩ଟି ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରର ଭୂମି ତଳକୁ ୧୦ ମିଟର ପର୍ଯ୍ୟନ୍ତ ଜିପିଆର ସର୍ଭେ କରାଯାଇଥିଲା । ଉଭୟ ଭିତର ଓ ବାହାର ପଟ ମଧ୍ୟ ଏହି ରାଡାର ସର୍ଭେ କାର୍ଯ୍ୟ କରାଯାଇଥିଲା । ଜିପିଆର ସର୍ଭେରୁ ମିଳିଥିବା ଡାଟାକୁ ଅନୁଶୀଳନ କରିଯିବ। ମିଳିଥିବା ଡାଟାକୁ ସଫ୍ଟୱେର ସାହାଯ୍ୟରେ ଏହାର ଚିତ୍ର ସଂଗ୍ରହ କରାଯିବ । ସେହି ଚିତ୍ରକୁ ଅନୁଶୀଳନ କରାଯିବା ପରେ ରତ୍ନଭଣ୍ଡାର ଭିତରେ ଗୁପ୍ତ ସୁଡ଼ଙ୍ଗ, ଗୁପ୍ତ କୋଠରୀ ଏବଂ ଆଉ ଧନ ରତ୍ନ ଅଛି କି ନାହିଁ ତାହା ଜଣାପଡିବ । ଏବେ କହିବା ସମ୍ଭବପର ନୁହେଁ ।"
ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ) ପକ୍ଷରୁ ଆସନ୍ତା ସେପ୍ଟେମ୍ବର 21,22 ଏବଂ 23 ତାରିଖ ତିନି ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହୋଇଥିଲା । ଦିନ 2 ଟାରୁ ସନ୍ଧ୍ୟା 6 ଟା ଯାଏଁ ସର୍ଭେ ପାଇଁ ସମୟ ସ୍ଥିର ହୋଇଥିଲା । ଆସନ୍ତା ସେପ୍ଟେମ୍ବର 24 ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଏ.ଏସ୍.ଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଅନୁରୋଧ କରିବା ପରେ ଏ.ଏସ୍ ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ତାରିଖ ସ୍ଥିର ହୋଇଥିଲା ।
ଦଶହରା ପୂର୍ବରୁ ସର୍ଭେ ଶେଷ ହୋଇଥିଲା-
ପୂର୍ବରୁ ଗତ 18 ସେପଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଏ.ଏସ୍.ଆଇ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ସେହି ଦିନ ସର୍ଭେ ସମୟରେ ଏ.ଏସ୍.ଆଇର ବୈଷୟିକ ଟିମର ମୁଖ୍ୟ ଏବଂ ସି.ଏସ.ଆଇ.ଆର୍-ଏନ.ଜି.ଆର.ଆଇ (NGRI)ର ମୁଖ୍ୟ ବୈଜ୍ଞାନିକ ଆଉ ଏକ ରାଉଣ୍ଡ ସର୍ଭେ କରିବାକୁ ମତାମତ ଦେଇଥିଲେ । ରାଡାର୍ ପେନିଟ୍ରେଟିଂ ସିଷ୍ଟମ୍ ତଥା ଅନ୍ୟ ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ସର୍ଭେ କରିବା ପରେ ହିଁ ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ବୈଷୟିକ ଟିମ୍ ପ୍ରସ୍ତାବ ଦେଇଥିଲେ । ତେଣୁ ଆସନ୍ତା ସେପଟେମ୍ବର 24 ତାରିଖ ଠାରୁ ଦଶହରା (ଷୋଳ ପୂଜା) ସମ୍ପର୍କିତ ନୀତିକାନ୍ତି ଆରମ୍ଭ ହେବା ପୂର୍ବରୁ ଯଥାଶୀଘ୍ର ଏହି ବାକି ଥିବା ସର୍ଭେ ଶେଷ କରି ଚୂଡାନ୍ତ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ନିଜ ପତ୍ରରେ ଗୁରୁତ୍ବରୋପ କରିଥିଲେ ।