ଭୁବନେଶ୍ବର:ବଲାଙ୍ଗୀରର ପୂର୍ବତନ କଂଗ୍ରେସ ସାଧାରଣ ସମ୍ପାଦକ ଆକାଶ ମିଶ୍ର ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଆକାଶଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଶଙ୍ଖ ଫୁଙ୍କିଛନ୍ତି । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, କଣ୍ଟାବାଞ୍ଜି ଏବଂ ପଦ୍ମପୁର ନିର୍ବାଚନମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ମୌସମ ମିଶ୍ରଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ଆକାଶଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ବିଜେଡି ନେତା ସ୍ୱାଗତ କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ବଲାଙ୍ଗୀର ଜିଲ୍ଲାର ଆକାଶ ମିଶ୍ର କଂଗ୍ରେସ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବଲାଙ୍ଗୀର ଜିଲ୍ଲା କଂଗ୍ରେସ ସହିତ ସେ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ । ବଲାଙ୍ଗୀର ଲୋକସଭା କ୍ଷେତ୍ରର ଯୁବ କଂଗ୍ରେସ ସଭାପତି ଥିଲେ ଆକାଶ ।"
ସୂଚନା ଅନୁସାରେ, ବାଳ ଗୋପାଳ ମିଶ୍ରଙ୍କ ପୁଅ ହେଉଛନ୍ତି ଆକାଶ ମିଶ୍ର । ୨୦୦୪ ରେ ସ୍ବାଧୀନ ଭାବେ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଆକାଶ । ଆକାଶଙ୍କ ଯୋଗଦାନ ଦ୍ବାରା ଦଳ ଅଧିକ ସୁଦୃଢ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ଆକାଶ ଓ ଅନ୍ୟ କଂଗ୍ରେସ ନେତାଙ୍କୁ ଆଜି ସ୍ୱାଗତ କରାଯାଇଛି । ବିଜେଡିରେ ସାମିଲ ହେବା ପରେ ଆକାଶ ମିଶ୍ର କହିଛନ୍ତି , "୨୦୧୫ରୁ ୨୦୨୪ ପର୍ଯ୍ୟନ୍ତ କଂଗ୍ରେସରେ ରହିଲି । ସଂଗଠନ ପାଇଁ କାମ କଲି । କିନ୍ତୁ କଂଗ୍ରେସ ଦଳ ଅଣଦେଖା କଲା । କଂଗ୍ରେସ ଦଳ ମୂଳ ଲକ୍ଷ୍ୟରୁ ଦୂରେଇ ସାରିଛି । ଓଡ଼ିଶାର ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶୁଛି । ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ସାଂଗଠନିକ ସମ୍ପାଦକ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ।"