ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଦଳକୁ ମିଳୁଛି ବଳ । ଜଣଙ୍କ ପରେ ଜଣେ ବିଶିଷ୍ଟ ବ୍ୟକ୍ତି ଦଳରେ ସାମିଲ ହେଉଛନ୍ତି । ଆଜି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ ବାୟୁସେନାର ମୁଖ୍ୟ ରାକେଶ କୁମାର ସିଂହ ଭଦୋରିଆ । ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ସେ ଆଜି ଆରକେଏସ ଭଦୋରିଆ ପଦ୍ମ ଧରିଛନ୍ତି । ଅବସର ନେବାର ଅଢେଇ ବର୍ଷ ପରେ ସେ ରାଜନୀତିରେ ପ୍ରବେଶ କରିଛନ୍ତି । ସେ ଚଳିତ ଲୋକସବା ନିର୍ବାଚନ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏହା ମଧ୍ୟ ପଢନ୍ତୁ-ବିଜେପିରେ ମିଶିଲେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, କାଲି ଛାଡ଼ିଥିଲେ କଂଗ୍ରେସ
ବିଜେପିରେ ସାମିଲ ହେବା ପରେ ରାକେଶ କୁମାର ସିଂହ ଭଦୋରିଆ କହିଛନ୍ତି , ''ମୋତେ ପୁଣି ଥରେ ରାଷ୍ଟ୍ର ନିର୍ମାଣରେ ସାମିଲ ହେବାର ସୁଯୋଗ ଦେଇଥିବାରୁ ମୁଁ ଦଳର ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଉଛି । ଚାରି ଦଶନ୍ଧିରୁ ଅଧିକ ସମୟ ଧରି ମୁଁ ବାୟୁସେନାରେ କାମ କରିଛି, କିନ୍ତୁ ମୋର ସେବାର ସର୍ବୋତ୍ତମ ସମୟ ହେଉଛି ବିଜେପି ସରକାରଙ୍କ ନେତୃତ୍ୱରେ 8 ବର୍ଷ ଧରି କାମ କରିବା । ବାୟୁସେନାକୁ ସଶକ୍ତିକରଣ ତଥା ଆଧୁନିକୀକରଣ ତଥା ଆତ୍ମନିର୍ଭରଶୀଳ କରିବା ପାଇଁ ବିଜେପି ସରକାର ନେଇଥିବା କଠୋର ପଦକ୍ଷେପ ଏକ ସେନାକୁ ନୂଆ ଜନ୍ମ ଦେଇଛି । ଏହା ସେନାକୁ ଏକ ନୂତନ ଆତ୍ମବିଶ୍ୱାସ ମଧ୍ୟ ଦେଇଛି । ସରକାରଙ୍କ ଆତ୍ମନିର୍ଭରଶୀଳ ପଦକ୍ଷେପ ଭୂମିରେ ଦେଖିବାକୁ ମିଳେ । ସୁରକ୍ଷା ଦୃଷ୍ଟିରୁ ସରକାର ଗ୍ରହଣ କରୁଥିବା ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବିଶ୍ବସ୍ତରରେ ଭାରତକୁ ଏହା ବହୁ ଉଚ୍ଚସ୍ଥାନକୁ ନେଇଯିବ । ''