ଭଦ୍ରକ:ଜିଲ୍ଲାରେ ଥିବା 5 ଟି ବିଧାନସଭା ଆସନ ମଧ୍ୟରୁ 3 ଆସନ ପାଇଁ ବିଜେପି ପକ୍ଷରୁ ଘୋଷିତ ପ୍ରଥମ ପ୍ରାର୍ଥୀ ତାଲିକାରେ ୩ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ତେବେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି । ହେଲେ ଚାନ୍ଦବାଲି ଏବଂ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ପୁରୁଣା ମୁହଁକୁ ଦଳ ରିପିଟ୍ କରିଛି। ଏପରିସ୍ଥଳେ ରାଜ୍ଯ ବିଜେପି ସଭାପତି ମନମୋହନ ସାମଲ ନିର୍ବାଚନ ଲଢୁଥିବା ଚାନ୍ଦବାଲି ଆସନ ବିଜେପି ଫୋକସରେ ରହିଛି । କାରଣ 2019 ବିଧାନସଭା ନିର୍ବାଚନରେ ଦଳ ପରାଜିତ ହୋଇଥିଲେ ମଧ୍ୟ ପୂର୍ବ ଅପେକ୍ଷା ବେଶ ଭଲ ପ୍ରଦର୍ଶନ କରିଥିଲା ଏବଂ ସ୍ଵଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲା। ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଗତ 2009 ନିର୍ବାଚନ ପୂର୍ଣ୍ଣ ଚନ୍ଦ୍ର ପାଣି ବିଜେପିରୁ ଲଢ଼ି 14ହଜାର 784 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।
ସେହି 2009 ନିର୍ବାଚନରେ ବର୍ତ୍ତମାନର ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ ଭଣ୍ଡାରିପୋଖରୀ ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି 21ହଜାର 160 ଖଣ୍ଡ ଭୋଟ ପାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ମନମୋହନ ଭଣ୍ଡାରିପୋଖରୀ ଆସନ ମୋହ ଛାଡି ଚାନ୍ଦବାଲିରୁ ନିର୍ବାଚନ ଲଢ଼ି ଆସୁଛନ୍ତି। ହେଲେ ପରାଜୟ ତାଙ୍କ ପିଛା ଛାଡୁନାହିଁ। ଦିନକୁ ଦିନ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ସଂଗଠନ ମଧ୍ଯ ସୁଦୃଢ ହେବାକୁ ଲାଗିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ, 2009 ନିର୍ବାଚନରେ ବିଜେଡିର ବିଜୟ ନାୟକ 58ହଜାର 467 ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସର ଅମୀୟ କୁମାର ମହାପାତ୍ର 50ହଜାର 854 ଖଣ୍ଡ ଭୋଟ ପାଇଥିଲେ। ଅନ୍ୟପଟେ ପୂର୍ଣ୍ଣ ଚନ୍ଦ୍ର ପାଣି ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି 14ହଜାର 784 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେଣୁ ଏହି ନିର୍ବାଚନରେ ବିଜେଡିର ବିଜୟ ନାୟକ 7ହଜାର 613 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ।
2014 ନିର୍ବାଚନରେ ମନମୋହନ ସାମଲ ଭଣ୍ଡାରିପୋଖରୀ ଆସନ ପରିବର୍ତ୍ତେ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢିଥିଲେ। ବିଜେଡି ମଧ୍ଯ ତାର ପ୍ରାର୍ଥୀ ପରିବର୍ତ୍ତନ କରି 2009 ର ଚାନ୍ଦବାଲି ବିଧାୟକ ବିଜୟ ନାୟକଙ୍କ ବଦଳରେ 2014ରେ ବିଜୟଙ୍କ ଭଣଜା ବ୍ୟୋମକେଶ ରାୟଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ନିର୍ବାଚନରେ ମନମୋହନ ପରାଜିତ ହୋଇଥିଲେ ମଧ୍ୟ ବିଜେପିର ଭୋଟ ବ୍ୟବଧାନରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ବ୍ୟୋମକେଶ ରାୟ 68ହଜାର 557 ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସର ଅମୀୟ କୁମାର ମହାପାତ୍ର 43ହଜାର 674 ଖଣ୍ଡ ଭୋଟ ପାଇଥିଲେ। ଏଥିସହ ବିଜେପିର ମନମୋହନ ସାମଲ 38ହଜାର 952 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ ଦଳକୁ ଏକ ସମ୍ମନାଜନକ ସ୍ଥିତିକୁ ଆଣିବାରେ ସକ୍ଷମ ହୋଇଥିଲେ। ତେବେ 2014 ନିର୍ବାଚନରେ ବିଜେଡିର ବ୍ୟୋମକେଶ ରାୟ 24ହଜାର 883 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ।
ଏହା ମଧ୍ୟ ପଢନ୍ତୁ...ବରଗଡ଼ ଲୋକସଭା ଆସନରେ ତ୍ରିମୁଖୀ ଲଢେଇ: ବିଜେଡ଼ିର ମହିଳା କାର୍ଡ଼, ବିଜେପିରୁ ପ୍ରଦୀପ ଓ କଂଗ୍ରେସକୁ ବାହୁଡ଼ିଥିବା ସଞ୍ଜୟ ହେଲେ ପ୍ରାର୍ଥୀ - Bargarh Loksabha Constituency
ଏକଦା ଏହି ବିଧାନସଭା ଆସନକୁ ଟାର୍ଗେଟ କରି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ କଳ ବଳ ପ୍ରୟୋଗ ସତ୍ତ୍ଵେ ମଧ୍ୟ 2019 ନିର୍ବାଚନରେ ପରାଜୟରୁ ବର୍ତ୍ତି ପାରିନଥିଲେ। ହେଲେ ପୂର୍ବ ନିର୍ବାଚନରେ ବ୍ୟାକ ଫୁଟରେ ରହୁଥିବା ବିଜେପି ସହ ଶାସକ ବିଜେଡିକୁ କଡା ମୁକାବିଲା କରିବା ପାଇଁ ପଡିଥିଲା । ଭୋଟ ଗଣତି ଆରମ୍ଭରୁ ପଛରେ ଥିବା ବିଜେଡି ଶେଷ ପର୍ଯ୍ୟାୟରେ ମାତ୍ର 8ହଜାର 80 ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲା। ତେଣୁ 2024 ନିର୍ବାଚନକୁ ଫୋକସରେ ରଖି ବର୍ତ୍ତମାନର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିର୍ବାଚନ ଲଢୁଥିବା ଆଲୋଚନା ହେଉଛି। ତେବେ ନିର୍ବାଚନ ମଣ୍ଡଳୀର ଦୁଇ ପ୍ରଭାବଶାଳୀ ଦଳ ବିଜେଡି ଏବଂ ବିଜେପି ସେମାନଙ୍କ ପ୍ରାର୍ଥୀଙ୍କୁ ରିପିଟ୍ କରିଥିବାବେଳେ କଂଗ୍ରେସ କାହାକୁ 2024 ଟିକେଟ ଦେବ, ସେନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ।
ଇଟିଭି ଭାରତ, ଭଦ୍ରକ