ଅନୁଗୋଳ:ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ସମ୍ବଲପୁର ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଧର୍ମେନ୍ଦ୍ର ପ୍ରଚାରକୁ ଯେତେଯେତେ ଜୋରଦାର କରୁଛନ୍ତି, ରାଜ୍ୟ ସରକାରଙ୍କୁ ସେତେସେତେ ନିଶାନା କରୁଛନ୍ତି । ପ୍ରତି ପ୍ରଚାରରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ବେଳେ ଆଜି ମଧ୍ୟ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଆୟୋଜିତ ରୋଡ଼ ସୋ ଏବଂ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକରାଙ୍କୁ ଟାର୍ଗେଟ କରି କହିଛନ୍ତି, " ଓଡ଼ିଶାରେ ଅନେକ ପ୍ରସଙ୍ଗ ଅଛି । ଏଠାରେ ସରକାର ବୋଲି କିଛି ବ୍ୟବସ୍ଥା ନାହିଁ । ମୁଖ୍ୟମନ୍ତ୍ରୀ କହୁଛନ୍ତି ବିରୋଧି ବିକାଶକୁ ସହି ପାରୁନାହାନ୍ତି । ଓଡ଼ିଶାର ଗାଁରେ ପିଇବା ପାଣି ନାହିଁ । ଚାଷ ଜମିରେ ପାଣି ନାହିଁ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ସ୍କୁଲ ଗୁଡିକରେ ଶିକ୍ଷକ ନାହାନ୍ତି । ପିଲାମାନେ ଅଧାରୁ ପାଠପଢା ଛାଡୁଛନ୍ତି । ଗାଁରେ ଗାଁରେ କାମ ଧନ୍ଦା ଆଶାରେ ଲୋକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାରେ ୬୦ ପ୍ରତିଶତ ମହିଳା ରକ୍ତହୀନତା ଏବଂ ଶିଶୁମାନେ ଅପପୁଷ୍ଟିର ଶୀକାର । ଏହାକୁ ମୁଖ୍ୟମନ୍ତ୍ରୀ ବିକାଶ କହୁଛନ୍ତି କି ?"
ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, "ମୁଖ୍ୟମନ୍ତ୍ରୀ ମହାସହ ଭିଡ଼ିଓରେ ଅଛନ୍ତି । ତାଙ୍କର ରିମୋର୍ଟ ଅଣଓଡ଼ିଶା ଗୁମାସ୍ତାଙ୍କ ପାଖରେ ପହଞ୍ଚିଲାଣି । ଏହା ଓଡ଼ିଆ ଅସ୍ମିତାର ପ୍ରଶ୍ନ । ଓଡ଼ିଶା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ଏହା ଗଣତନ୍ତ୍ର । ଲୋକ ଯାହାକୁ ଚାହିଁବେ ସେ ଜିତିବ । ଏଠି ଓଡ଼ିଆ ଲୋକଙ୍କ କର ଓ ଖଞ୍ଜଣାରେ କିଛି ସରକାରୀ ବାବୁ ଦରମା ନେଇ ଓଡ଼ିଶାକୁ କବ୍ଜା କରିବାକୁ ଯେଉଁ ଚେଷ୍ଟା କରୁଛନ୍ତି ତାହା ବିରୁଦ୍ଧରେ ଲଢେଇ ହେବ । ନରେନ୍ଦ୍ର ମୋଦିଙ୍କ ସହ ଓଡ଼ିଶାବାସୀ ଛିଡା ହେବେ । ଓଡ଼ିଶାର ବିକାଶ ପାଇଁ ଓ ଭାରତକୁ ଆଗକୁ ନେବାପାଇଁ ମୋଦିଙ୍କ ଜୟ ଜୟକାର ହେବ।"