ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଛି ବିଜେପି ଶାସନ । ଶପଥ ନେବା ପୂର୍ବରୁ ନବୀନ ନିବାସରେ ପହଞ୍ଚି ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲି ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ବରିଷ୍ଠ ନେତାଙ୍କ ଏକ ଟିମ୍ ନବୀନଙ୍କୁ ଭେଟି ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିବାବେଳେ ଆଜି ମୋହନ ମାଝୀ ନିଜେ ନବୀନଙ୍କୁ ଭେଟିଥିଲେ । ନବୀନଙ୍କ ଆଶୀର୍ବାଦ ଚାହିଁବା ସହ ଶପଥ ସମାରୋହରେ ସାମିଲ ହେବା ପାଇଁ ସେ ନିମନ୍ତ୍ରଣ କରିଥିଲେ । ନବୀନ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସହମତି ପ୍ରକାଶ କରିଥିଲେ ଏବଂ ସାମିଲ ମଧ୍ୟ ହୋଇଥିଲେ ।
ନବୀନ ନିବାସକୁ ମୋହନଙ୍କ ସହ ବିଜେପି ନେତା ଗୋଲକ ମହାପାତ୍ର ମଧ୍ୟ ଯାଇଥିଲେ । ପ୍ରାୟ 15 ମିନିଟ୍ ଧରି ନବୀନ ନିବାସରେ ନବୀନ-ମୋନହନ ବାର୍ତ୍ତାଳାପ ହୋଇଥିଲା । ସେଠାରୁ ଫେରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୋହନ କହିଛନ୍ତି ଯେ, ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହେବା ସହ ନୂଆ ସରକାରକୁ ଆଶୀର୍ବାଦ କରିବା ପାଇଁ ସେ ନବୀନଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନବୀନ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ନୂଆ ସରକାରଙ୍କ ପ୍ରତି ନବୀନଙ୍କର ଆଶୀର୍ବାଦ ରହିବ ବୋଲି ମଧ୍ୟ ମୋହନ ଆଶା ବ୍ୟକ୍ତ କରିଛନ୍ତି । ସମସ୍ତ ବିରୋଧୀ ଦଳକୁ ସାଙ୍ଗରେ ନେଇ ରାଜ୍ୟର ବିକାଶ କାର୍ଯ୍ୟରେ ନିୟୋଜିତ ହେବେ ବୋଲି କହିଛନ୍ତି ମୋହନ ।