ସମ୍ବଲପୁର/କେନ୍ଦୁଝର: ଓଡିଶାରେ ମାରାଥନ ଗସ୍ତରେ ଆସିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ସେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ନାକଟିଦେଉଳ ବ୍ଲକର ଜଗନ୍ନାଥପ୍ରସାଦ ଖେଳ ପଡିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ବିଜେପି ପାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ସେ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରକୁ ଟାର୍ଗେଟ କରିବା ସହ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ରାଜ୍ୟ ସରକାର ଓଡ଼ିଶାରେ ଲାଗୁ ହେବାକୁ ଦେଉନାହାନ୍ତି ବୋଲି କହିଥିଲେ । ଏହାବ୍ୟତୀତ ବିଗତ 10 ବର୍ଷ ଭିତରେ କେନ୍ଦ୍ର ମୋଦି ସରକାର ଅମଳରେ ଦେଶ ସୁଦୃଢ, ସୁରକ୍ଷିତ ହେବା ସହ ଦେଶରେ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ହୋଇଥିବା ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ । ଅନ୍ୟପଟେ ବିଗତ 24 ବର୍ଷ ମଧ୍ୟରେ ଓଡ଼ିଶାରେ ବିଜେଡି ସରକାର ଅମଳରେ ଯେଉଁଭଳି ଭାବରେ ବିକାଶ ହେବା କଥା ହୋଇପାରି ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।
ମୋଦିଙ୍କ ନେତୃତ୍ବକୁ ଆଜି ବିଶ୍ବ ପ୍ରଶଂସା କରୁଛି । ପୂର୍ବର ଭାରତର ସ୍ଥିତି ଆଉନାହିଁ । ଏବେ ବିଶ୍ବ ଭାରତକୁ ଦେଖୁଛି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ପୁରା ବଦଳି ଯାଇଛି । ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇପାରୁନାହିଁ । ଫଳରେ ଗରିବ ଲୋକେ ଉନ୍ନତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ଆମ ସରକାର ଯାହା କହିଛି ତଥା କରିକି ଦେଖେଇଛି । ଦେଶରେ ଆମ ସରକାର ତିନି ତଲାକ ବିଲ ଆଣିଥିବା ବେଳେ ଜାମ୍ମୁ କାଶ୍ମୀରରୁ 370କୁ ହଟାଯାଇଛି । ତାହା ସହ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଢ଼ାଖୋଲ ବିଜେପି ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ତଥା ବିଜେପିର ବରିଷ୍ଠ ନେତା ପ୍ରମୋଦ ରଥଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।
ଏହା ମଧ୍ୟ ପଢନ୍ତୁ...ପାଣ୍ଡିଆନଙ୍କୁ ଅପରାଜିତାଙ୍କ ଜବାବ, ୧୨ଜଣ ସାଂସଦଙ୍କ ରିପୋର୍ଟ କାର୍ଡ ରଖନ୍ତୁ - Aparajita Targets Pandian